Home ଓଡ଼ିଶା ଭୁବନେଶ୍ୱର ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା...

ଭୁବନେଶ୍ୱର ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

39

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

– ରାଜ୍ୟର ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷା ପାଇଁ ଗବେଷଣା ନିମନ୍ତେ ପ୍ରତିଷ୍ଠା କରାଯାଉ ଏହି କେନ୍ଦ୍ର
– ପ୍ରଧାନମନ୍ତ୍ରୀଙ୍କ ସମୁଦ୍ର ଆଧାରିତ ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ହେବ ସହାୟକ
– ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନର ସୁରକ୍ଷା ପାଇଁ ହେବ ଭଲ ପଦକ୍ଷେପ
– ଓଡିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ଲକ୍ଷାଧିକ ଲୋକଙ୍କୁ ରୋଜଗାର ଦେଇଛି
– ପ୍ରଧାନମନ୍ତ୍ରୀ ମୋଦିଙ୍କ କେନ୍ଦ୍ରବିନ୍ଦୁରେ ରହିଛି ଓଡିଶାର ସୁଦୀର୍ଘ ବେଳାଭୂମି
– ଓଡିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବା ପାଇଁ ନିଆଯାଉ ପଦକ୍ଷେପ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୧୭ (ଓଡ଼ିଆ ପୁଅ) – ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଗବେଷଣା ନିମନ୍ତେ ଭୁବନେଶ୍ୱର ସ୍ଥିତ ଲାଇଫ୍‌ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ଭୂପୃଷ୍ଠ ବିଜ୍ଞାନ ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ଏକ ହଲମାର୍କ ଭାବରେ ପରିଗଣିତ ହୋଇଛି। ମତ୍ସ୍ୟ ଚାଷ, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଲଜିଷ୍ଟିକ୍ ତଥା ଆନୁଷାଙ୍ଗିକ କାମରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି। ସମୁଦ୍ର ଆଧାରିତ ନୀଳ ଅର୍ଥନୀତି ପାଇଁ ବିଗତ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାର ସୁଦୀର୍ଘ ବେଳାଭୂମି କେନ୍ଦ୍ର ବିନ୍ଦୁରେ ରହିଛି।

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡିଶାର ପର୍ଯ୍ୟଟନ ତଥା ଏଭଳି କ୍ଷେତ୍ର ପାଇଁ ଏକ ମେରୁଦଣ୍ଡ ଭାବରେ ପରିଗଣିତ ହୋଇଛି। ସେହିପରି ପାରାଦୀପ ବନ୍ଦର, ଆଇଓସିଏଲ ପାରାଦୀପ ବିଶୋଧନାଗାର, ପାରାଦୀପ ସ୍ମାର୍ଟ୍ ବନ୍ଦର ସହର ଭଳି ସଂପ୍ରସାରଣ ଓ ବିକାଶମୂଳକ ପ୍ରକଳ୍ପ, ଧାମରା ଏଲଏନଜି ଟର୍ମିନାଲ, ପ୍ରସ୍ତାବିତ ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେର ବିକାଶ ତଥା ପ୍ରତିଷ୍ଠା ହେବାକୁ ଥିବା ପାରାଦୀପ ଏବଂ ବାଲେଶ୍ୱରରେ ମାଛଧରା ବନ୍ଦର ସମୁଦ୍ର ଆଧାରିତ ଅର୍ଥନୀତିର ସଠିକ୍ ସମ୍ଭାବନାର ସମ୍ଭାର ଖୋଲିବା କରିବା ସହ ଓଡିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଏହିଭଳି ଶିଳ୍ପଭିତିକ ଅର୍ଥନୀତିର ବିକାଶ ନିଶ୍ଚିତ ଭାବରେ ପରିବେଶ ସଂରକ୍ଷଣ ସହ ସନ୍ତୁଳନ ରଖାଯିବା ଆବଶ୍ୟକ। ତେଣୁ ବିଶେଷ ଭାବରେ ଯେତେବେଳେ ଆମେ ସାମୁଦ୍ରିକ ବାୟୋ-ଟେକ୍ନୋଲୋଜି ଜରିଆରେ ନୋଭେଲ୍ ଆପ୍ରୋଚେସକୁ ବିକଶିତ କରୁଅଛେ, ସେହି ସମୟରେ ଏହି ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନ ଯଥା ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବଂ ଉପକୂଳ ଅଂଚଳରେ ଥିବା ଗଛ ବିଶେଷ ଭାବରେ ଲୁଣି ହେନ୍ତାଳ ଗଛ ଗୁଡିକର ସଂରକ୍ଷଣ ପାଇଁ ପୁଞ୍ଜିନିବେଶ କରିଯିବା ଏକାନ୍ତ ଆବଶ୍ୟକ।

ପରିବେଶ ସଂରକ୍ଷଣ କ୍ଷେତ୍ର ଗୁଡିକରେ ଭୁବନେଶ୍ୱର ସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ବିଭିନ୍ନ ଗବେଷଣା ମାଧ୍ୟମରେ ଆଂଚଳିକ ଜୈବ ସମ୍ବଳର ପରିଚାଳନା, ଇକୋ ସଂରକ୍ଷଣ ଉଦ୍ୟମ ଏବଂ ସାମୁଦ୍ରିକ ଉତ୍ସର ସଠିକ୍ ବ୍ୟବହାର ସପକ୍ଷରେ ଏକାଧିକ ପ୍ରକାଶନୀ ଓ ପେଟେଂଟ ଦ୍ୱାରା ପ୍ରମାଣିତ କରିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡିଶାର ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନର ସନ୍ତୁଳନ ଏବା ଏହାର ନୀଳ ଅର୍ଥନୀତିର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏହିସବୁ କ୍ଷେତ୍ର ଗୁଡିକରେ ବୈଜ୍ଞାନିକ ଗବେଷଣା ଉପରେ ଅଧିକ ଧ୍ୟାନଦେବା ନେଇ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.