Home ଜିଲ୍ଲା ପରିକ୍ରମା ଭଦ୍ରକ – ତୃତୀୟ ଜିଲ୍ଲାପରିଷଦ ବୈଠକ, ଅଧିକାରୀ ହୁଅନ୍ତୁ କି ଜନ ପ୍ରତିନିଧି ଜନସାଧାରଣଙ୍କ ପାଖରେ...

ଭଦ୍ରକ – ତୃତୀୟ ଜିଲ୍ଲାପରିଷଦ ବୈଠକ, ଅଧିକାରୀ ହୁଅନ୍ତୁ କି ଜନ ପ୍ରତିନିଧି ଜନସାଧାରଣଙ୍କ ପାଖରେ ସମସ୍ତେ ଉତ୍ତର ଦାୟୀ

41

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପରିଷଦ, ଭଦ୍ରକର ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ଆଜି ୩ୟ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ, ଭଦ୍ରକ ବିଧାୟକ ସଂଜୀବ୍ କୁମାର ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପରିଷଦର ଉପସଭାପତି ଟୁନିବାଳା ବିଶ୍ୱାଳ, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦ୍ରମଣି ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ସହିତ, ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ସାମୂହିକ ଭାବେ ଜିଲ୍ଲାର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରୟାସ ଜାରି ରଖିଲେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହୋଇପାରିବ। ସମାଜର ସର୍ବନିମ୍ନ ସ୍ତରରେ ପଡ଼ି ରହିଥିବା ଲୋକଙ୍କୁ ଉପରକୁ ଉଠାଇ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ ପଞ୍ଚାୟତି ଶାସନ ବ୍ୟବସ୍ଥାର ମୁଖ୍ୟଲକ୍ଷ୍ୟ। ଗୁଣାତ୍ମକ ମାନ ରକ୍ଷା ସହିତ ସମସ୍ତ କାର୍ଯ୍ୟ ଯଥା ସମୟରେ ସମାପ୍ତ ହେବା ଆବଶ୍ୟକ। ସଠିକ୍ ଭାବେ କାମ ନକଲେ ଜନସାଧାରଣ କଷ୍ଟ ଭୋଗିବା ସହିତ, ଜନପ୍ରତିନିଧି ଏବଂ ସରକାରଙ୍କୁ ଲୋକହସା ହେବାକୁ ପଡ଼ୁଛି। ବୈଠକରେ ମଞ୍ଚାସୀନ ଜନପ୍ରତିନିଧିମାନେ ନିଜ ନିଜ ବକ୍ତବ୍ୟ ପ୍ରସଙ୍ଗରେ ଏହିପରି ମତାମତ ପ୍ରକାଶ କରି ଆନ୍ତରିକତାର ସହିତ ସମସ୍ତ କାମ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ।

ଅଧିକାରୀ ହୁଅନ୍ତୁ କି ଜନପ୍ରତିନିଧି ଲୋକଙ୍କୁ ଆମକୁ ହିଁ ଉତ୍ତର ଦେବାକୁ ପଡ଼ିବ ବୋଲି ଜିଲ୍ଲାପାଳ ବୈଠକରେ ପ୍ରକାଶ କରି ସବୁ କାମ ପାଇଁ ସମୟ ଧାର୍ଯ୍ୟ କରିବା ସହିତ ନିୟମିତ ତଦାରଖ କରିବାକୁ ବୈଠକରେ ଉପସ୍ଥିତ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଡିଭିଜନ ୨, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସାଳନ୍ଦୀ କେନାଲ ଡିଭିଜନ, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପୂର୍ତ୍ତ ଆଦି ବିଭାଗୀୟ ଯୋଜନା ଅନ୍ତର୍ଗତ ହାତକୁ ନିଆଯାଇଥିବା ନୂତନ ପ୍ରକଳ୍ପ, ନିର୍ମାଣାଧୀନ ପ୍ରକଳ୍ପ, ଅସଂପୂର୍ଣ୍ଣ ପ୍ରକଳ୍ପ ସବୁପାଇଁ ସମସ୍ୟା, ବିଭିନ୍ନ କାମ ପାଇଁ ବ୍ୟୟ ଅଟକଳ ଆଦି ସମ୍ବନ୍ଧରେ ସଂପୃକ୍ତ ଅଧିକାରୀମାନଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଆଧାରରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆବଶ୍ୟକ ମତେ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଯୋଗ ଦେଇଥିବା ନବ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ନିଜ ନିଜ ଅଞ୍ଚଳର ବିଶେଷକରି ଡାକ୍ତରଖାନାରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକ ଅଭାବ, ରାସ୍ତା ମରାମତି, ନଦୀବନ୍ଧ ରାସ୍ତା ନିର୍ମାଣ, ଆଡ଼ିବନ୍ଧ ନିର୍ମାଣ ଆଦି ବିଷୟରେ ବିଭିନ୍ନ ଅଭିଯୋଗ ଉତ୍‌ଥାପନ କରିଥିଲେ। ବୈଠକ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବା ସହିତ ମଞ୍ଚାସୀନ ଅତିଥି ଓ ନବନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ବୈଠକ ଶେଷରେ ଜିଲ୍ଲାପରିଷଦ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.