Home Top News ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍‌, ଖୋର୍ଦ୍ଧା ଡିଭିଜନ ଡିଆରଏମଙ୍କ ଅନୁମୋଦନ, ନରେନଙ୍କ ପ୍ରସ୍ତାବିତ ରେଳରୋକ...

ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍‌, ଖୋର୍ଦ୍ଧା ଡିଭିଜନ ଡିଆରଏମଙ୍କ ଅନୁମୋଦନ, ନରେନଙ୍କ ପ୍ରସ୍ତାବିତ ରେଳରୋକ ସ୍ଥଗିତ

47

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକବାସୀଙ୍କ ପାଇଁ ଭଲ ଖବର। ପ୍ରାକ୍ତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଭଦ୍ରକରୁ ମେମୁ ଟ୍ରେନ ପୁନର୍ବାର ଚଳାଇବା ଦାବିରେ ଆନ୍ଦୋଳନ ସଫଳ ହୋଇଛି। ଏ ସମ୍ପର୍କରେ ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ମାସ ପରି ଭଦ୍ରକରୁ ଭୁବନେଶ୍ୱରକୁ ମେମୁ ଟ୍ରେନ ଯାତ୍ରା କରିବା ଦାବିରେ ନରେନଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ଭଦ୍ରକ ଷ୍ଟେସନରେ ପହଞ୍ଚିବା ସମୟରେ ବିଭାଗ ପକ୍ଷରୁ ଖୋର୍ଦ୍ଦା ଡିଭିଜନର ଡିଆରଏମଙ୍କ ପତ୍ର ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଟ୍ରେନ ପୁନର୍ବାର ଚଳାଚଳ କରିବ ଓ ଭୁବନେଶର ପରିବର୍ତ୍ତେ ଏହାକୁ ପୁରୀକୁ ସମ୍ପ୍ରସାରିତ କରିବାକୁ ଡିଆରଏମ ଅନୁମୋଦନ କରିଥିବା ଏହି ପତ୍ରରେ ଉଲ୍ଲେଖ ରହିଛି। ତେଣୁ ନରେନ ବିଭାଗର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ, ହେବାକୁ ଥିବା ତାଙ୍କ ପ୍ରସ୍ତାବିତ ରେଳରୋକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ। ଯଦି ଏକ ମାସ ମଧ୍ୟରେ ଡିଆରଏମଙ୍କ ଏହି ଅନୁମୋଦନ କାର୍ଯ୍ୟକାରୀ ନହୁଏ, ତେବେ ଆସନ୍ତା ମାସ ୬ ତାରିଖ ପୁନର୍ବାର ମେମୁ ଟ୍ରେନ ସମ୍ମୁଖରେ ଭଦ୍ରକ ଷ୍ଟେସନ ଠାରେ ରେଳରୋକ କରାଯିବ ବୋଲି ନରେନ ଚେତାବନୀ ଦେଇଛନ୍ତି।

ବିଭାଗର ସବିଶେଷ ସୂଚନା ଅନୁଯାୟୀ ଉକ୍ତ ଟ୍ରେନ ଭଦ୍ରକରୁ ସକାଳ ୭ଟାରେ ବାହାରିବ। ୪୩ଟି ଷ୍ଟେସନରେ ରହଣି ପରେ ମଧ୍ୟାହ୍ନ ୧୨ଟା ୩୦ରେ ପୁରୀରେ ପହଞ୍ଚିବ। ପୁଣି ପୁରୀରୁ ଏହି ମେମୁ ଟ୍ରେନ ଦିନ ୧ଟା ୧୫ରେ ଯାତ୍ରା ଆରମ୍ଭ କରି ଅନୁରୂପ ଷ୍ଟେସନମାନଙ୍କରେ ରହଣୀ ସହିତ ସଂଧ୍ୟା ୬ଟାରେ ଭଦ୍ରକରେ ପହଞ୍ଚିବ। ଜିଲ୍ଲାବାସୀ ଉକ୍ତ ଟ୍ରେନ ଭଦ୍ରକରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଯିବାକୁ ଦାବି କରି ଆସୁଥିଲେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଟ୍ରେନ ଭୁବନେଶ୍ୱର ପରିବର୍ତ୍ତେ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିବାରୁ ରେଳ ବିଭାଗର ଏହି ନିଷ୍ପତ୍ତ୍‌ି ଓ ଅନୁମୋଦନ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ମାହୋଲ ସୃଷ୍ଟି କରିଛି। ଭଦ୍ରକରୁ ମେମୁ ଟ୍ରେନ ଯାତ୍ରା ଆରମ୍ଭ କରିବା ଦାବିରେ ଗତ ୬ମାସ ଧରି ଆନ୍ଦୋଳନ ଚଳାଇ ଆସିଥିବା ପ୍ରାକ୍ତନ ବିଧାୟକ ନରେନ ମଧ୍ୟ ଉକ୍ତ ବିଭାଗୀୟ ନିଷ୍ପତ୍ତିରେ ଖୁସୀବ୍ୟକ୍ତ କରିବା ସହ ଡିଆରଏମଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ କୋଭିଡ ମହାମାରୀ କଟକଣା ହଟିବା ପରେ ଭଦ୍ରକରୁ ଭୁବନେଶ୍ୱରକୁ ଏକ ମେମୁ ଟ୍ରେନ ଚଳାଚଳ କରୁଥିଲା। କିନ୍ତୁ ଗତ ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଉକ୍ତ ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରିୀତ କରାଯାଇଥିଲା। ଫଳରେ ପୂର୍ବରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରୁଥିବା ମେମୁ ଟ୍ରେନ ସେହି ଦିନଠାରୁ ବାଲେଶ୍ୱରରୁ ଛାଡ଼ୁଛି ଓ ଭଦ୍ରକରେ ସକାଳ ୬.୧୫ରେ ପହଞ୍ଚି ୬.୨୦ରେ ଛାଡ଼ୁଛି। ଯାହାକ୍‌ୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା।

ନରେନ ମେମୁ ଭଦ୍ରକରୁ ଯାତ୍ରାରମ୍ଭ କରିବା ଦାବିରେ ଆନ୍ଦୋଳନ ଆରମ୍ଭ କରିଥିଲେ। ମାର୍ଚ୍ଚ ମାସ ଠାରୁ ୪ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ୬ ତାରିଖ ନରେନ ଭଦ୍ରକରୁ ଏହାର ଚଳାଚଳ ଦାବିରେ ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହିତ ଗତ ୨ ମାସ ଧରି ମେମୁ ଟ୍ରେନ ସମ୍ମୁଖରେ ରେଳରୋକ କରିଥିଲେ। ଅପରପକ୍ଷେ ଏହି ପ୍ରସଙ୍ଗରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ରେଳ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ବଗି ସଂଖ୍ୟା ୪ରୁ ୫କୁ ବଢ଼ାଇବାକୁ ଦାବି କରିଥିଲେ। କିନ୍ତୁ ନରେନ ଭଦ୍ରକରୁ ମେମୁ ଚଳାଇବା ଦାବିରେ ଅଟଳ ରହିଥିଲେ। ତେବେ ଭଦ୍ରକବାସୀଙ୍କ ଆବଶ୍ୟକତା ଓ ଭାବାବେଗକୁ ନେଇ ଇତିମଧ୍ୟରେ ନରେନ ଓ ଡିଆରଏମଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଡିଆରଏମ କେତେକ ବୈଷୟିକ ଦିଗ ସମ୍ପର୍କରେ କହିବା ସହ ଭୁବନେଶ୍ୱର ଷ୍ଟେସନରେ ପୂର୍ବାହ୍ନ ୧୧ଟା ସମୟରେ ଟ୍ରେନ ରହିବା(ହଲଟିଂ) ସମ୍ଭବ ନୁହେଁ ବୋଲି କହିଥିଲେ। ତେଣୁ ଶ୍ରୀ ପଲେଇ ଉକ୍ତ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ଯଦି ସମ୍ପ୍ରସାରିତ କରାଯାଏ, ତେବେ ଉକ୍ତ ଟ୍ରେନ ଦିନ ୧ରେ ପୁରୀ ପହଞ୍ଚିବା ସହ ୨ଟାରେ ପୁରୀ ଛାଡ଼ିଲେ ଭଦ୍ରକରେ ରାତି ୮ଟା ସୁଦ୍ଧା ପହଞ୍ଚି ପାରିବ ଓ ଟ୍ରେନ ରହଣୀରେ କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରସ୍ତାବ ରଖିଥିଲେ। ତେବେ ଶେଷରେ ଉକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବିଭାଗୀୟ ଡିଆରଏମ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.