Home ଆନ୍ତର୍ଜାତୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ: ଆତ୍ମନିର୍ଭର ପୋଷଣ ଅଭିଯାନ ଦିଗରେ ଭାରତ ଏକ ଆଦର୍ଶ ଭାବରେ ଅନୁକରଣୀୟ...

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ଆତ୍ମନିର୍ଭର ପୋଷଣ ଅଭିଯାନ ଦିଗରେ ଭାରତ ଏକ ଆଦର୍ଶ ଭାବରେ ଅନୁକରଣୀୟ ଦେଶ ହୋଇପାରିବ

193

ଭୁବନେଶ୍ୱର: ସ୍ତନ୍ୟପାନ ଅଭାବ ହେତୁ ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୮ ଲକ୍ଷ ଶିଶୁ ମୃତ୍ୟୁ ବରଣ କରନ୍ତି। ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ୍ (WHO) ରିପୋର୍ଟ ଅନୁଯାୟୀ, ବିଭିନ୍ନ ରୋଗ ହେତୁ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଶିଶୁ ମୃତ୍ୟୁ ବରଣ କରନ୍ତି ଯାହା କେବଳ ସ୍ତନ୍ୟପାନ ଦ୍ୱାରା ରୋକାଯାଇ ପାରିବ। ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ WHO ଧ୍ୟାନ ଦେଉଛି ଏବଂ ଏହାର ଅନ୍ୟତମ ପଦକ୍ଷେପ ହେଉଛି ଅଗଷ୍ଟ ପ୍ରଥମ ସପ୍ତାହରେ ‘ସ୍ତନ୍ୟପାନ ସପ୍ତାହ’ ପାଳନ। ସ୍ତନ୍ୟପାନ ସପ୍ତାହ ପାଳନ କରିବା ଅବସରରେ ସ୍ତନ୍ୟପାନ କରାଇବା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଡାଃ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏହା ଏକ ଆନ୍ତର୍ଜାତୀୟ ୱେବିନାର୍ ଥିଲା, ଯେଉଁଥିରେ ଭାରତ ଏବଂ ବ୍ରିଟେନର ବିଶିଷ୍ଟ ପେସାଦାର ବିଶେଷଜ୍ଞ ବସନ୍ତ କର, ହର୍ଷିତା ପାଣ୍ଡେ, ଡାଃ ପ୍ରଣବ ମହାପାତ୍ର, ପ୍ରଫେସର ଲୋରା ମିଶ୍ର, ଡାଏନା ସାହୁ, ଡକ୍ଟର ପ୍ରକାଶ ଦେ, ଡାଃ ସହଦେବ ସ୍ବେନ ଏବଂ ରଞ୍ଜିତା ସେଠୀ ପ୍ରମୁଖ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ।

ବିଶେଷଜ୍ଞ ମାନେ କହିଥିଲେ ଯେ ମା’ କ୍ଷୀର ହେଉଛି ପ୍ରଥମ ଖାଦ୍ୟ ଏବଂ ଶିଶୁର ପୋଷଣ ପାଇଁ ପୁଷ୍ଟିକର ଖାଦ୍ୟର ସର୍ବୋତ୍ତମ ଉତ୍ସ। ଭାରତରେ ମଧ୍ୟ ଆତ୍ମନିର୍ଭର ପୋଷଣ (ଆତ୍ମନିର୍ଭରଶୀଳ ପୁଷ୍ଟିକର ଖାଦ୍ୟ) ପାଇଁ ସ୍ତନ୍ୟପାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଫର୍ମୁଲା କ୍ଷୀର ଏବଂ ଅଲ୍ଟ୍ରା ପ୍ରକ୍ରିୟାକୃତ ଖାଦ୍ୟ ଖୁଆଇବା କ୍ଷତିକାରକ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ବିଶେଷଜ୍ଞ ମାନେ ସହମତ ହୋଇଥିଲେ ଯେ ସ୍ତନ୍ୟପାନ ବିକଳ୍ପ ଆଇନକୁ କଡ଼ାକଡ଼ି ପାଳନ କରାଯିବା ଉଚିତ୍। ସମାଜରେ ସ୍ତନ୍ୟପାନର ଲାଭକୁ ପ୍ରୋତ୍ସାହନ ତଥା ପ୍ରଚାରପ୍ରସାର କରିବା ଦିଗରେ ଗଣମାଧ୍ୟମର ସକରାତ୍ମକ ଭୂମିକାକୁ ପ୍ରଶଂସା କରାଯାଇଥିଲା। କୋଭିଡ -୧୯ ମହାମାରୀ ସମୟରେ ସ୍ତନ୍ୟପାନ ପାଇଁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ, କାରଣ ମା’ର କ୍ଷୀର ଶିଶୁକୁ ଭାଇରାଲ ସଂକ୍ରମଣ ସହିତ ମୁକାବିଲା କରିବା ପାଇଁ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ବୋଲି ମତ ପ୍ରକାଶ ପାଇଥିଲା। ଏକ ବୃହତ ପ୍ରଭାବ ପାଇଁ ଭାରତରେ ଛତିଶଗଡ଼ ସର୍ଗୁଜା ଜିଲ୍ଲା ପରି ସ୍ୱଦେଶୀ ମଡେଲକୁ ପ୍ରୋତ୍ସାହନ ଦେବା ସହିତ ଏହାର ଅନୁକରଣ କରିବା ଆବଶ୍ୟକ ବୋଲି ଉଦାହରଣ ଦିଆଯାଇଥିଲା। ସର୍ଗୁଜା ମଡେଲର ସଫଳତାର କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଯେଉଁଠାରେ ସ୍ଥାନୀୟ ସ୍ତରର ନେତା ଏବଂ ନାଗରିକ ସମାଜର ସଦସ୍ୟମାନେ ସ୍ତନ୍ୟପାନ ବିଷୟରେ ସଚେତନତା ସୃଷ୍ଟି କରିବାରେ ଜଡ଼ିତ ରହିଛନ୍ତି। ଏପରିକି ସେମାନଙ୍କର ପଞ୍ଚାୟତ ସଭା ପୁଷ୍ଟିକର ଖାଦ୍ୟ ଉପରେ ଜାଗୃକତା କରିବା ପାଇଁ ପୋଷଣ ପଞ୍ଚାୟତ ନାମରେ ଏକ ସ୍ୱତନ୍ତ୍ର ବୈଠକ ଆରମ୍ଭ କରିଥିଲା। ଏହି ସକ୍ରିୟତା କାରଣରୁ ସେଠାରେ ଅଧିକ ମହିଳା ନିଜ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ଆରମ୍ଭ କରିଥିଲେ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୪ ଅନୁଯାୟୀ, ସର୍ଗୁଜାରେ ପ୍ରାୟ ୮୭.୫% ମା’ ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାନ୍ତି। ଯେଉଁଠାରେ କି ଏହାର ଜାତୀୟ ହାର ୫୦% ରୁ କମ୍ ଅଟେ। ସେହିପରି ଓଡ଼ିଶାରେ ଏକ ତୃତୀୟାଂଶ ଶିଶୁ ବିଭିନ୍ନ କାରଣରୁ ସ୍ତନ୍ୟପାନରୁ ବଞ୍ଚିତ ହେଉଛନ୍ତି ବୋଲି ଉଦବେଗ ପ୍ରକାଶ ପାଇଥିଲା।

ଏକ ମା ଏବଂ ଶିଶୁ ମଧ୍ୟରେ ଥିବା ବନ୍ଧନ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଭାବନାତ୍ମକ ବନ୍ଧନ ଭାବରେ ଜଣାଯାଏ। ସ୍ତନ୍ୟପାନ ଏକ ମା’ ଏବଂ ଶିଶୁ ମଧ୍ୟରେ ବନ୍ଧନକୁ ଆହୁରି ଦୃଢ଼ କରିଥାଏ। ବିଭିନ୍ନ କ୍ଲିନିକାଲ୍ ଅଧ୍ୟୟନ ଗୁଡ଼ିକରେ ଜୋର ଦିଆଯାଏ ଯେ ଶିଶୁଟିଏ ତା’ର ବୟସ୍କ ଜୀବନରେ ଉନ୍ନତ ଜ୍ଞାନ ଏବଂ ସାମାଜିକ ଭାବପ୍ରବଣ ସ୍ତର ବିକାଶ କରିଥାଏ, ଯଦି ତାକୁ ମା’ର କ୍ଷୀର ଖାଇବାକୁ ଦିଆଯାଇଥାଏ। ଶିଶୁର ସାମଗ୍ରିକ ବୃଦ୍ଧି ଏବଂ ବିକାଶ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନବଜାତ ଶିଶୁ ଅନ୍ତତଃ ପକ୍ଷେ ପ୍ରଥମ ଛଅ ମାସ ପାଇଁ ମା’ର କ୍ଷୀର ଉପରେ ନିର୍ଭରଶୀଳ ହୋଇଥାଆନ୍ତି। କାରଣ ସେମାନଙ୍କର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ। ମା’ର କ୍ଷୀରରେ ମାଇକ୍ରୋ ଏବଂ ସୂକ୍ଷ୍ମ ପୋଷକ ତତ୍ତ୍ୱ ସହିତ ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶିଶୁର ବୃଦ୍ଧି ଏବଂ ବିକାଶ ପାଇଁ ଆବଶ୍ୟକ ହୋଇଥାଏ। ମାତୃ କ୍ଷୀରରେ ଆବଶ୍ୟକୀୟ ସ୍ତରର ଆଣ୍ଟିବଡି ରହିଥାଏ, ଯାହା ନବଜାତ ଶିଶୁର ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା, ମୋଟାପଣର ସମ୍ଭାବନାକୁ ହ୍ରାସ କରିବା ଏବଂ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ସ୍ତନ୍ୟପାନ ଶିଶୁମାନଙ୍କୁ ଡାଇରିୟା ଏବଂ ନିମୋନିଆରୁ ରକ୍ଷା କରିଥାଏ, ଯାହା ଶିଶୁ ମୃତ୍ୟୁହାର ପାଇଁ ପ୍ରମୁଖ କାରଣ ହୋଇଥାଏ। ୟୁନିସେଫ୍ ରିପୋର୍ଟ ଅନୁଯାୟୀ, ସ୍ତନ୍ୟପାନ ଦ୍ୱାରା ମା’ ମାନଙ୍କୁ ଓଭାରିନ୍ ଏବଂ ସ୍ତନ କର୍କଟ ଭଳି ରୋଗର ଭୟଙ୍କର ପ୍ରଭାବରୁ ସେମାନଙ୍କୁ ରୋକିଥାଏ। ସ୍ତନ୍ୟପାନ କରାଇବା ମା’ ମାନଙ୍କ ସାମଗ୍ରିକ ସୁସ୍ଥତା ସହିତ ଜଡ଼ିତ ଅଟେ। ଯେପରିକି ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍, ମିନେରାଲ୍ ଏବଂ ଭିଟାମିନ୍ ଧାରଣ କରିଥିବା ପୁଷ୍ଟିକର ଖାଦ୍ୟ ଗ୍ରହଣ, ଯାହା ଦୁର୍ଭାଗ୍ୟବଶତଃ ଅଧିକାଂଶ ଭାରତୀୟ ମହିଳାଙ୍କ ପାଇଁ ଉପଲବ୍ଧ ହୋଇନଥାଏ। ଗ୍ରାମାଞ୍ଚଳ ଗୁଡ଼ିକରେ ଅତ୍ୟଧିକ ଦାରିଦ୍ର୍ୟତା କାରଣରୁ ଅଭାବ ହେତୁ ଏହା ସମ୍ଭବ ହୋଇନଥାଏ। ଯାହାର ପ୍ରତିକାର କରିବାର ନିହାତି ଆବଶ୍ୟକତା ରହିଛି। ସ୍ତନ୍ୟପାନ ନେଇ ସଚେତନତା ଏବଂ ପ୍ରୋତ୍ସାହନ ଶିଶୁ ଏବଂ ମା’ ପାଇଁ ପୁଷ୍ଟିକର ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ପୁଷ୍ଟିହୀନତାର ସମାଧାନ ତଥା ସ୍ତନ୍ୟପାନ କରାଇବା ଲକ୍ଷ୍ୟ ହାସଲ କରିବାରେ ଭାରତ ଏକ ଆଦର୍ଶ ତଥା ଅନୁକରଣୀୟ ଦେଶ ଭାବରେ ବିଶ୍ୱକୁ ପ୍ରଦର୍ଶନ କରିପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.