Home ଜିଲ୍ଲା ପରିକ୍ରମା ଖରାପ ପରୀକ୍ଷା ଫଳ ଆଶଙ୍କାରେ ଛାତ୍ରଙ୍କ ଆତ୍ମହତ୍ୟା : କୁରୁଣିଆ ଅଞ୍ଚଳରେ ଶୋକର ଛାୟା

ଖରାପ ପରୀକ୍ଷା ଫଳ ଆଶଙ୍କାରେ ଛାତ୍ରଙ୍କ ଆତ୍ମହତ୍ୟା : କୁରୁଣିଆ ଅଞ୍ଚଳରେ ଶୋକର ଛାୟା

39

ବାଲେଶ୍ୱର, ୧୨ା୮(ଓଡ଼ିଆ ପୁଅ/ଅଭୟ ଦାସ): ଯୁକ୍ତଦୁଇ ବିଜ୍ଞାନ ଫଳ ପ୍ରକାଶ ପାଇବାର କେଇଘଣ୍ଟା ପୂର୍ବରୁ ଚଳିତ ବର୍ଷ ପରୀକ୍ଷା ଦେଇଥିବା ଜନୈକ ଛାତ୍ରଙ୍କର ଆଜି ଆତ୍ମହତ୍ୟା କରିବା ଘଟଣା ପରିବାର ଓ ସାଙ୍ଗସାଥୀଙ୍କ ସମେତ କୁରୁଣିଆ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ହେଲେ ବାହାନଗା ବ୍ଲକ ଅନ୍ତର୍ଗତ କୁରୁଣିଆ ପଞ୍ଚାୟତର ମାଗୁରା ନରସିଂହପଦା ଅଞ୍ଚଳର ଶିକ୍ଷକ ମନୋରଂଜନ ନାୟକଙ୍କ ପୁତ୍ର ତରୁଣ ଜ୍ୟୋତି ନାୟକ। ସେ ଗୋପାଳପୁର ଜୁନିୟର ବିଜ୍ଞାନ କଲେଜରେ ପଢ଼ିବା ସହ ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଦେଇଥିଲେ। ଶିକ୍ଷକତା କରୁଥିବା ଉଭୟ ବାପାମାଆ ଆଜି ସକାଳେ ଘରେ ନଥିବା ବେଳେ ଶୋଇବା ଘର ସିଲଂଫ୍ୟାନରେ ଗାମୁଚ୍ଛା ଲଗାଇ ତରୁଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ତରୁଣ ଫାଶୀରେ ଝୁଲୁଥିବା ନେଇ ଜେଜେବାପା ଝରକାରେ ଦେଖି ପଡ଼ୋଶୀଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରିବା ସହ ସଙ୍ଗେ ସଙ୍ଗେ ଗୋପାଳପୁର ଡାକ୍ତରଖାନା ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର ୨/୩ଘଣ୍ଟା ପରେ ପରୀକ୍ଷା ଫଳ ବାହାରିଥିବା ବେଳେ ତରୁଣ ୩୫୯ ନଂ ରଖି ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ମାତ୍ର ୧ ନମ୍ବର ପାଇଁ ସେ ପ୍ରଥମ ଶ୍ରେଣୀରେ ଯାଇପାରି ନଥିଲେ। ପରୀକ୍ଷା ଫଳକୁ ନେଇ ସନ୍ଦିହାନ ଥିବା ତରୁଣ ଖରାପ ରେଜାଲ୍ଟ ଆଶଙ୍କାରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର ସାଙ୍ଗସାଥୀ ପ୍ରକାଶ କରିଛନ୍ତି। ତେବେ ତାଙ୍କର ଏହି ଅକାଳ ବିୟୋଗରେ କୁରୁଣିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ବ୍ୟଚ୍ଛେଦ ପରେ ମୃତଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.