Home ଓଡ଼ିଶା ବାତ୍ୟା କ୍ଷୟକ୍ଷତି ଓ ପୁନର୍ଗଠନ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ବିପର୍ଯ୍ୟୟର ମୁକାବିଲା ପାଇଁ...

ବାତ୍ୟା କ୍ଷୟକ୍ଷତି ଓ ପୁନର୍ଗଠନ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ବିପର୍ଯ୍ୟୟର ମୁକାବିଲା ପାଇଁ ୧୭ ହଜାର କୋଟି ଟଙ୍କାର ଦୀର୍ଘ ମିଆଦୀ ସହାୟତା ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

604

ଭୁବନେଶ୍ବର, ୬.୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଫନୀ ବାତ୍ୟା କ୍ଷତିଗ୍ରସ୍ତ ବାତ୍ୟାଞ୍ଚଳରେ ପରିଦର୍ଶନ ପାଇଁ ଓଡିଶା ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହିତ ବାତ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ପରେ ଭୁବନେଶ୍ବର ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ଓ ପୁନର୍ଗଠନ ସଂପର୍କରେ ସମୀକ୍ଷା କରିଥିଲେ। ଫନୀ ଭଳି ଏକ ଭୟଙ୍କର ବାତ୍ୟାର ମୁକାବିଲା କରିବାରେ ରାଜ୍ୟ ସରକାରଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ଓଡ଼ିଶାର ଏହି ବିପର୍ଯ୍ୟୟ ପରିଚାଳନା ସାରା ବିଶ୍ୱ ପାଇଁ ଏକ ଉଦାହରଣ ଭାବରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିବା ସହିତ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଏକାଠି ମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାର କାର୍ଯ୍ୟ କରିଚାଲିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତ ବାତ୍ୟାର କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଥିଲେ।

ଭୁବନେଶ୍ବରଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାର କ୍ଷୟକ୍ଷତି ସଂପର୍କରେ ଏକ ଉପସ୍ଥାପନା ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ ପାଇଁ ୧୭ ହଜାର କୋଟି ଟଙ୍କାର ଦୀର୍ଘମିଆଦୀ ସହାୟତା ଦାବି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଦାବି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ‘ବାତ୍ୟା ବିପନ୍ନ ଲୋକଙ୍କର ଜୀବନ ରକ୍ଷା କରି ଆମେ ଏକ ବିଶ୍ବସ୍ତରୀୟ ମାନକ ସୃଷ୍ଟି କରିଛୁ। ବର୍ତ୍ତମାନ ଆମେ ଏକ ବିପର୍ଯ୍ୟୟ ପ୍ରତିରୋଧ ଓଡିଶା ଗଠନ କରିବା ଦିଗରେ ମଧ୍ୟ ବିଶ୍ବସ୍ତରୀୟ ମାନ ସୃଷ୍ଟି କରିବା ଆବଶ୍ୟକ।’

ଏଥିପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ତିନୋଟି ବିଷୟ ଉପରେ ଆଲୋକପାତ କରିଥିଲେ।

(୧) ବିଦ୍ୟୁତ ଭିତ୍ତିଭୂମି – ଓଡ଼ିଶା ଉପକୂଳ ବାତ୍ୟାପ୍ରବଣ ହୋଇଥିବାରୁ ଏହି ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ଯେପରି ବାରମ୍ବାର କ୍ଷତିଗ୍ରସ୍ତ ନ ହେବ, ସେଥିପାଇଁ ସେଗୁଡିକୁ ବିପର୍ଯ୍ୟୟ ପ୍ରତିରୋଧ କରିବା ଆବଶ୍ୟକ। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ସହାୟତା ଦାବି ଜଣାଇଥିଲେ।

(୨) ବାସଗୃହ – ବାତ୍ୟାପ୍ରବଣ ଉପକୂଳ ଓଡିଶାର ୫ ଲକ୍ଷ କଚ୍ଚା ଘରକୁ ବିପର୍ଯ୍ୟୟ ପ୍ରତିରୋଧ ପକା ଘରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୭ ହଜାର କୋଟି ଟଙ୍କାର ସହାୟତା ଦାବି କରିଥିଲେ। ଏଥିରେ କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ ୯୦ ଓ ୧୦ ପ୍ରତିଶତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ।

(୩) ଟେଲି ଯୋଗାଯୋଗ – ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥାର ଗୁରୁତ୍ବକୁ ଉପଲବ୍ଧ କରି ସମଗ୍ର ଉପକୂଳରେ ବିପର୍ଯ୍ୟୟ ପ୍ରତିରୋଧ ଟେଲି ଯୋଗାଯୋଗ ଭିତ୍ତିଭୂମିର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ୨୦୧୩ରେ ଓଡିଶା ଫାଇଲିନ ପରି ବାତ୍ୟାର ସାମନା କରିଥିଲା। ୨୦୧୪ରେ ହୁଡହୁଡ, ୨୦୧୫ରେ ମରୁଡି, ୨୦୧୮ରେ ତିତିଲି ଏବଂ ୨୦୧୯ରେ ଫନୀ ପରି ପ୍ରାକୃତିକ ବିପର୍ଯ୍ୟୟ ଓଡିଶାର ଅର୍ଥନୈତିକୁ ପ୍ରଭାବିତ କରିଆସୁଛି। ଏହିସବୁ ବିପର୍ଯ୍ୟୟର ମୁକାବିଲା ଏବଂ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଯାହାଦ୍ଵାରା ଆମର ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ହ୍ରାସ କରୁଛି। ଅନ୍ୟଥା ଓଡିଶାର ବିକାଶ ଆହୁରି ଦୃତ ହୋଇପାରନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଏହିସବୁ ଲଗାତାର ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡିଶାର ସ୍ଵତନ୍ତ୍ର ରାଜ୍ୟ ପାହ୍ୟ ଦାବିକୁ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.