Home ଜିଲ୍ଲା ପରିକ୍ରମା ବରିଷ୍ଠ ଆଇନ୍‌ଜୀବୀ ଗୋଲକ ରାୟଙ୍କ ଦେହାନ୍ତ, ଭଦ୍ରକ ସାଂସଦ ଓ ବିଧାୟକଙ୍କ ଶେଷ ଦର୍ଶନ, ରାଜ୍ୟବ୍ୟାପୀ...

ବରିଷ୍ଠ ଆଇନ୍‌ଜୀବୀ ଗୋଲକ ରାୟଙ୍କ ଦେହାନ୍ତ, ଭଦ୍ରକ ସାଂସଦ ଓ ବିଧାୟକଙ୍କ ଶେଷ ଦର୍ଶନ, ରାଜ୍ୟବ୍ୟାପୀ ଶୋକ

27

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଜଣେ ବରିଷ୍ଠ ଆଇନ୍‌ଜୀବୀ ଗୋଲକ ପ୍ରସାଦ ରାୟଙ୍କର ଆଜି ସକାଳ ୭.୩୭ ସମୟରେ ୯୨ ବର୍ଷ ବୟସରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି । ସେ କିଛିଦିନ ଧରି ତାଙ୍କ ଭଦ୍ରକର ବୁଦ୍ଧବିହାରସ୍ଥିତ ବାସଭବନରେ ଅସୁସ୍ଥ ଥିଲେ । ତାଙ୍କର ଜନ୍ମ ୧୯୨୯ ଜାନୁଆରୀ ୩୦ ତାରିଖରେ ଭଦ୍ରକ ବ୍ଲକ୍‌ର କଲେି ପଂଚାୟତର ବଳଭଦ୍ରପୁରରେ ହୋଇଥିଲା । ସେ ୧୯୬୨ ମସିହାରୁ ଆଇନ୍ ବ୍ୟବସାୟ ଆରମ୍ଭ କରି ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ, ନିଖିଳ ଉତ୍କଳ ଅଧିବକ୍ତା ସଂଘର ଦୁଇଥର ସଭାପତି, ଭଦ୍ରକ ଓକିଲ ସଂଘର ଦୁଇଥର ସଭାପତି ଓ ସାଧାରଣ ସଂପାଦକ, ବରପଦା ଇଂଜିନିୟରିଂ ସ୍କୁଲ ଓ ଟେକ୍ନୋଲୋଜିର ସଭାପତି, ଭଦ୍ରକ କଲେଜ ପରିଚାଳନା ସମିତିର ସଦସ୍ୟ, ଭଦ୍ରକ ସହରର ଶ୍ରୀ ଶ୍ରୀ ଗୋପାଳଜୀଉ ଗୋଶାଳାର ସଭାପତି, ରାଜ୍ୟ ଜନତା ଦଳ ଭଦ୍ରକ ଶାଖାର ସଭାପତି, ସର୍ବଭାରତୀୟ ଟି ବୋର୍ଡର ସଦସ୍ୟ ଥିଲେ । ସେ ଆଇନ୍ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ କିଛିଦିନ ଶିକ୍ଷକତା କରିଥିଲେ । ପରେ ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରିବା ଭିତରେ ରାଉରକେଲା ହିନ୍ଦୁସ୍ଥାନ ଷ୍ଟିଲ୍ ଲିମିଟେଡ୍‌ରେ ମଧ୍ୟ ହିସାବ ରକ୍ଷକ ଥିଲେ । ୨୦୦୧ ମସିହାରେ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ସେଠାକାର ବିଚାରପ୍ରଥା ଓ ଗ୍ରାମ୍ୟ ଜୀବନକୁ ଅନୁଧ୍ୟାନ କରିଥିଲେ । ୨୦୧୨ ମସିହାରେ ସେ ନିଖିଳ ଉତ୍କଳ ଆଇନ୍‌ଜୀବୀ ସଂଘ ପକ୍ଷରୁ ସମ୍ମାନିତ ହୋଇଥିବାବେଳେ ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ମଧ୍ୟ ମଧୁଜୟନ୍ତୀ ଓ ଆଇନ୍‌ଜୀବୀ ଦିବସ ଅବସରରେ ‘ମଧୁଜ୍ୟୋତି’ ସମ୍ମାନରେ ସମ୍ମାନିତ କରିଥିଲେ ।

ତାଙ୍କର ଆତ୍ମଜୀବନୀ ‘ମାଇ ଷ୍ଟ୍ରଗଲ’ ପାଇଁ ସେ ବେଶ୍ ଚର୍ଚ୍ଚିତ ଥିଲେ । ତାଙ୍କ ଦେହାନ୍ତର ଖବର ପାଇ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡି ସଂପାଦକ ତଥା ସାଂସଦଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ୰ ରାୟଙ୍କର ଭଣଜା ମନମୋହନ ସାମଲ, ପୂର୍ବତନ ସାଂସଦ ମଙ୍ଗରାଜ ମଳିକ, ତ୍ୟାଗଭୂମିର ଆବାହକ ଅଜୟ ନାୟକ, ପ୍ରଫେସର ଡ. ବଳରାମ ମିଶ୍ର, ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଓ ସମାଜସେବୀ ଏସ୍‌ଏମ୍ ଫାରୁକଙ୍କ ସମେତ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଳୀପ ମହାପାତ୍ର ଓ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ପର୍ଶୁରାମ ଦ୍ୱିବେଦୀ, ରାଧାକାନ୍ତ ନାୟକ, ତୁଷାରକାନ୍ତି ମହାନ୍ତି, ଯତିକାନ୍ତ ନାୟକ, ଦିବ୍ୟସିଂହ ନାୟକ, ରାଧା ଦାସ, ପବନ ଶର୍ମା, ନିତ୍ୟାନନ୍ଦ ଦାସ, ପ୍ରଫୁଲ୍ଲ ରାଉତ, ରାଜକିଶୋର ଦାସ, ଶରତ ମହାପାତ୍ର, ବସନ୍ତ ମହାନ୍ତି, ବସନ୍ତ ଦାସ, ଗଦାଧର ବଳ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଅନ୍ତିମ ଦର୍ଶନ କରି ଈଶ୍ୱରଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏବଂ ଶୋକସନ୍ତପ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଆଇନ୍‌ଜୀବୀ ପ୍ରଫୁଲ୍ଲ କୁମାର ରାୟ, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ତାଙ୍କର ମଧ୍ୟମ ପୁତ୍ର ଡ. ପ୍ରସନ୍ନ ରାୟ, ଓ କନିଷ୍ଠ ପୁତ୍ର ଅଧ୍ୟାପକ ପ୍ରଦୀପ୍ତ ରାୟଙ୍କ ସମେତ ଝିଅ-ଜ୍ୱାଇଁ, ନାତି-ନାତୁଣୀ ଉପସ୍ଥିତ ଥିଲେ । ଭଦ୍ରକ ଓକିଲ ସଂଘ ପକ୍ଷରୁ ତାଙ୍କ ମର ଶରୀରକୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନିଆଯାଇ ଓକିଲ ସଂଘ ଓ ଅଦାଲତ ପରିସରସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟ ପରିକ୍ରମା କରାଯିବା ପରେ ତାଙ୍କ ଜନ୍ମସ୍ଥାନ ବଳଭଦ୍ରପୁରକୁ ନିଆଯାଇ ସଂସ୍କାର କରାଯାଇଛି । ତାଙ୍କର ନାତି ରୌମ୍ୟଦର୍ଶନ ରାୟ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.