Home ଜିଲ୍ଲା ପରିକ୍ରମା ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ବ୍ୟାସକବି ଜୟନ୍ତୀ

ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ବ୍ୟାସକବି ଜୟନ୍ତୀ

99

ବାଲେଶ୍ୱର, ୧୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟର ଅନ୍ୟତମ ସାରସ୍ୱତ ଅନୁଷ୍ଠାନ ବାଲେଶ୍ୱରର ଫକୀର ମୋହନ ସାହିତ୍ୟ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୯ତମ ଜୟନ୍ତୀ ଉତ୍ସବ ସହରର କବିତୀର୍ଥ ଶାନ୍ତିକାନନ ପରିସରରେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି ଉତ୍ସବକୁ ଉଦଘାଟନ କରିବା ସହିତ ଜଣେ ଦୂରଦୃଷ୍ଟି ସମ୍ପନ୍ନ ସାରସ୍ୱତ ସାଧକ ଭାବେ ନିଜର ଲେଖନୀ ମାଧ୍ୟମରେ ନାରୀଶିକ୍ଷା ଓ ନାରୀ ସ୍ୱାଧୀନତାକୁ ନେଇ ଫକୀର ମୋହନ ରେବତୀ ଗଳ୍ପର ପ୍ରାସଙ୍ଗିକତା ଆଜି ବି ଲୋକେ ଅନୁଭବ କରୁଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ। ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଫନୀ ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ବ୍ୟାସକବିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ୟକ୍ତି ଚେତନା ସାମୂହିକ ସ୍ତରକୁ ଯିବା ପରେ ସେ ହିିଁ ଫକୀର ମୋହନଙ୍କ ଭଳି ଚିରନ୍ତନ ସାହିତ୍ୟ ସୃଷ୍ଟି କରିପାରେ ବୋଲି ଡକ୍ଟର ମହାନ୍ତି କହିଥିଲେ। ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ତଥା ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଫକୀର ମୋହନଙ୍କୁ ନେଇ ଗର୍ବ କରିବା ଉଚିତ ବୋଲି କହିଥିଲେ। ମାତୃଭାଷା ଆମ ପାଇଁ ସର୍ବଦା ଜାତୀୟ ଭାଷା ସଦୃଶ। ଏହାର ଉନ୍ନତି ପାଇଁ ପ୍ରାଣପାତ କରିବାକୁ ପଡ଼ିଥାଏ ବୋଲି ବ୍ୟାସକବି କହିଥିବା କଥାର ପ୍ରାସଙ୍ଗିକତା ରହିଛି। ତେବେ ଫକୀର ମୋହନଙ୍କୁ ସମସ୍ତେ କଥାକାର ଭାବେ ଗ୍ରହଣ କରିଥିବା ବେଳେ ତାଙ୍କର ବହୁ କାବ୍ୟକୃତି ଏବେ ବି ଅନାଲୋଚିତ ହୋଇ ରହିଯାଇଛି ବୋଲି ଡକ୍ଟର ପଟ୍ଟନାୟକ ମତ ପ୍ରକାଶ କରିଥିଲେ। ଏନେଇ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଏଥିରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଡାକ୍ତର କୁମାର ଗୋପାଲ ପ୍ରାରମ୍ଭିକ ସୂଚନା ସହ ବିବରଣୀ ଉପସ୍ଥାପନ କରିଥିଲେ। ପରିଷଦର ଯୁଗ୍ମ ସମ୍ପାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର “ସାହିତ୍ୟ ବାହିକା”, ପ୍ରମିଳା ଶତପଥୀଙ୍କ କବିତା ଗ୍ରନ୍ଥ “ପଦେ ଦି’ପଦ” ଓ ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ “ମେଷପାଳକର ଗୀତ” ପ୍ରଭୃତି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥି ସହିତ ପରିଷଦ ପକ୍ଷରୁ ମୁଖ୍ୟଅତିଥି ଡକ୍ଟର ମହାନ୍ତିଙ୍କୁ ଫକୀର ମୋହନ ସାହିତ୍ୟଶ୍ରୀ ପୁରସ୍କାର, ମୁଖ୍ୟବକ୍ତା ଡକ୍ଟର ପଟ୍ଟନାୟକଙ୍କୁ ଫକୀର ମୋହନ ପ୍ରବନ୍ଧ ସମ୍ମାନ ସମେତ ସାରସ୍ୱତ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବହୁ ବ୍ୟକ୍ତିବିଶେଷଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭୋଗରାଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପରିଷଦର ପତାକା ଉତୋଳନ କରାଯିବା ସହ ଶାନ୍ତିକାନନ ପରିସରରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଫକୀରମୋହନ ବନ୍ଦନା ଗାନ ସହ ପରିଷଦର ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଉପ-ସଭାପତି ପ୍ରଦୀପ ଚାଟାର୍ଜୀ, ଦୀନବନ୍ଧୁ ଲେଙ୍କା, ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ, କୋଷାଧ୍ୟକ୍ଷ ତପନ ରାୟଙ୍କ ସମେତ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ନିବାରଣ ଜେନା, ଶ୍ରୀମତୀ ମମତା ମହାପାତ୍ର, ଅରୁଣା ରାୟ, ଶ୍ରୀ ରଂଜନ କୁମାର ବାଗ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.