Home ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରିବ ବିଜେପି: ଭୁବନେଶ୍ୱରଠାରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରିବ ବିଜେପି: ଭୁବନେଶ୍ୱରଠାରେ ସେବା ସପ୍ତାହକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

162

ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ସେବା ସପ୍ତାହ
– ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ କରାଯିବ
– ମୋଦୀଙ୍କ କାର୍ଯ୍ୟଶୈଳୀ ସଂର୍ପକୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ
– ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇ ଦିଆଯିବ
– ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନା କାର୍ଯ୍ୟକ୍ରମ ଓ ସଂକଳ୍ପ ନିଆଯିବ
– ଭୁବନେଶ୍ୱର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ତା.୧୦/୦୯ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି ଯେ, ଆଗାମୀ ସେପ୍ଟେମ୍ବର ୧୪ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିବେ। ବିଜେପିର କାର୍ଯ୍ୟକର୍ତମାନଙ୍କ ସହ ଭରତପୁର ବାସିନ୍ଦା ସେବା କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ କାର୍ଯ୍ୟଶୈଳୀ ସଂର୍ପକୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ପୁସ୍ତକକୁ ସମସ୍ତ ସହର ଏବଂ ଜିଲ୍ଲାରେ ପ୍ରଦର୍ଶିତ କରାଯିବା ସହ ବରିଷ୍ଠ ନେତାମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଏହି ପୁସ୍ତକକୁ ପ୍ରଦାନ କରିବେ।

ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ। ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ। ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ। ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବା ସହ ବିଜେପି ପକ୍ଷରୁ ସହାୟତା ଯୋଗାଇ ଦିଆଯିବ। ୨୦ ତାରିଖ ଦିନ ସାରା ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଜୀ ‘ସିଙ୍ଗଲ ୟୁଜ ପ୍ଲ୍ାଷ୍ଟିକ’ ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ। ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତାମାନେ ନିଜ ଅଂଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ। ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଏହି ସେବା ସପ୍ତାହ ପାଳନର ପ୍ରସ୍ତୁତି ବୈଠକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ସେବା ସପ୍ତାହର ରାଜ୍ୟ ସଂଯୋଜକ ତଥା ବିଧାୟକ ବିଷ୍ମୁ ସେଠୀ, ସହ ସଂଯୋଜକ ମହେଶ ମହାନ୍ତି, ସ୍ୱାସ୍ଥ୍ୟ ସେବା ପ୍ରମୁଖ ଡା. କୈଳାସ ବିଶ୍ୱାଳ, ରାଜ୍ୟ ଉପସଭାପତି ନୟନ ମହାନ୍ତି, ସଂପାଦକ ଦିଲୀପ ମଲ୍ଲିକ, ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ପୂର୍ବତନ ସାଂସଦ ବିଭୁ ତରାଇ, ଶ୍ରୀତମ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ଜିଲ୍ଲା ସ୍ତରରେ ୫ ଜଣଙ୍କୁ ଏହି କାର୍ଯ୍ୟକ୍ରମର ଦାୟୀତ୍ୱ ଦିଆଯାଇଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସେବା ସମିତିର ସହ ସଂଯୋଜକ ଭାବେ ମହେଶ ମହାନ୍ତି ଏବଂ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.