Home ଓଡ଼ିଶା ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ ଟଙ୍କା ଦେବା ଦାବିରେ କୃଷିମନ୍ତ୍ରୀଙ୍କୁ ସ୍ମାରକ ପତ୍ର :...

ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ ଟଙ୍କା ଦେବା ଦାବିରେ କୃଷିମନ୍ତ୍ରୀଙ୍କୁ ସ୍ମାରକ ପତ୍ର : ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

266

ଭୁବନେଶ୍ୱର, ତା ୧୦ା୯ (ଓଡ଼ିଆ ପୁଅ) : ରାଜ୍ୟ ସରକାରଙ୍କ ତରଫରୁ ଆଜି କୃଷି ଭବନଠାରେ ଆୟୋଜିତ କର୍ମଶାଳା – ଗୋ ସମ୍ପଦ ବିକାଶରେ ଉଦ୍ୟୋଗପତିଙ୍କ ଭୂମିକା ଅବସରରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଡଃ ଅରୁଣ ସାହୁ, ସମବାୟ, ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ଉତ୍ପାଦକ କମିଶନର ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର (ଆଇ.ଏ.ଏସ୍.)ଙ୍କୁ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଓଡ଼ିଶାର ୧୧ଲକ୍ଷ ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ। ଆଜି ଯେତେବେଳେ ‘ଗୋ ସମ୍ପଦ’ର ବିକାଶ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି, ସେତିକି ବେଳେ ଦୁଗ୍ଧଚାଷୀମାନଙ୍କର ନିମ୍ନଲିଖିତ ସମସ୍ୟା ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏହା ଉପରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରୁଅଛୁ। ଏହି ଦାବିଗୁଡ଼ିକ ମଧ୍ୟରେ

– ଦୁଗ୍ଧ ଚାଷୀମାନଙ୍କର ଦାବି ପ୍ରତି ସମ୍ବେଦନଶୀଳ ହୋଇ ରାଜ୍ୟ ସରକାର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା ଦୁଗ୍ଧଚାଷୀମାନଙ୍କୁ ପ୍ରଦାନ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଭା ଦାବି କରୁଅଛି।

– ରାଜ୍ୟ ସରକାର ମଣିଷମାନଙ୍କର ମାଗଣା ଚିକିତ୍ସା କରିବା ପାଇଁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ପ୍ରଚଳନ କରିଛନ୍ତି, କିନ୍ତୁ ଦୁଃଖର କଥା ଗୋ-ଧନର ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ଗାଈ ଗୋରୁମାନଙ୍କର ରୋଗ ପାଇଁ ଗୋବର ପରୀକ୍ଷା କଲେ ମଧ୍ୟ ୨୦ ଟଙ୍କା, ରକ୍ତ ପରୀକ୍ଷା ପାଇଁ ୫୦ ଟଙ୍କା, ମୁତ୍ର ପରୀକ୍ଷା ପାଇଁ ୫୦ ଟଙ୍କା ପର୍ଯ୍ୟନ୍ତ ଫିସ୍ ଦେବାକୁ ପଡ଼ୁଛି। ତେଣୁ ଗାଈଗୋରୁମାନଙ୍କର ଚିକିତ୍ସା ପାଇଁ ଏକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଚଳନ କରିବାକୁ ଆମ୍ଭେ ଦାବି କରୁଅଛୁ। ସେହିଭଳି ଅଧିକାଂଶ ସମୟରେ ଗାଈଗୋରୁମାନଙ୍କର ରୋଗ ପାଇଁ ଔଷଧ ମିଳିବା ବହୁ କଷ୍ଟକର ହୋଇପଡୁଛି। ତେଣୁ ପ୍ରତି ବ୍ଲକରେ ଏକ ପଶୁ ଔଷଧାଳୟ ଖୋଲି ମଣିଷମାନଙ୍କ ଭଳି ପଶୁ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରିବା ପାଇଁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରୁଛୁ।

– ଓମ୍ଫେଡ୍ର ବିଭିନ୍ନ ଦୁଗ୍ଧ ସମବାୟ ସମିତି ଗୁଡ଼ିକ ପ୍ରିୟାପ୍ରୀତି ତୋଷଣ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଏକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ଏହାସହିତ ବିଭିନ୍ନ ଜିଲ୍ଲା ସମବାୟ ସମିତିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। କେନ୍ଦ୍ରାପଡ଼ା ଦୁଗ୍ଧ ସମବାୟ ସମିତିରେ ୨୭ଲକ୍ଷ ଟଙ୍କାର ଦୁର୍ନୀତିର ଏକ ନମୂନା ମାତ୍ର। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲା ଦୁଗ୍ଧ ସମବାୟ ସମିତିର ଭିଜିଲାନ୍ସ ତଦନ୍ତ କରାଯିବା ସହିତ ଓମ୍ଫେଡ୍ରେ ବିଭିନ୍ନ କର୍ମଚାରୀ ଓ କର୍ମକର୍ତ୍ତାମାନଙ୍କର ସମ୍ପର୍କୀୟମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିଯୁକ୍ତିକୁ ଉଚ୍ଛେଦ କରିବାକୁ ଆମ୍ଭେ ଦାବି କରୁଛୁ।

– ଦୁଗ୍ଧ ସମବାୟ ସମିତିରେ କାର୍ଯ୍ୟ କରୁଥିବା ସମିତି ସମ୍ପାଦକମାନେ ଦିନରାତି ୮ ରୁ ୧୦ ଘଣ୍ଟା କାମ କରୁଛନ୍ତି, କିନ୍ତୁ ସେମାନଙ୍କ ପାଇଁ କୌଣସି ପାରିଶ୍ରମିକ ମିଳୁନାହିଁ। ତେଣୁ ରାଜ୍ୟ ସରକାର ସଦୟ ପୂର୍ବକ ସେମାନଙ୍କୁ ସମବାୟ ଆଇନ୍ ଅନୁଯାୟୀ ନିଯୁକ୍ତି ଦେବାକୁ ଆମ୍ଭେ ନିବେଦନ କରୁଅଛୁ।

– ରାଜ୍ୟର ବିଭିନ୍ନ ଆଇ.ସି.ଡି.ଏସ୍. କେନ୍ଦ୍ର ଓ ସ୍କୁଲ୍ ମାନଙ୍କରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସରକାର ପୁଷ୍ଟିକର ଖାଦ୍ୟ ହିସାବରେ ଅଣ୍ଡା ପ୍ରଦାନ କରୁଛନ୍ତି। ସେହିଭଳି ଭାବରେ ଏହି କାର୍ଯ୍ୟକ୍ରମରେ ଦୁଗ୍ଧ ଓ ପନିର ଜାତୀୟ ପୁଷ୍ଟିସାର ଖାଦ୍ୟ ପ୍ରଦାନ କରାଗଲେ ଏହା ପୁଷ୍ଟିହୀନତା ଦୂର କରିବାରେ ଯଥେଷ୍ଟ ସହାୟକ ହେବ। ଏହାବ୍ୟତୀତ ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷ ବ୍ୟାପକ ପ୍ରସାରଲାଭ କରିବା ସହିତ ଗ୍ରାମ୍ୟ ମହିଳାମାନଙ୍କ ମଧ୍ୟରେ ଓ ଅର୍ଦ୍ଧଶିକ୍ଷିତ ବେକାରଙ୍କ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ।

– କୃଷକମାନଙ୍କୁ ରାଜ୍ୟ ସରକାର ୧% ସୁଧରେ ଋଣ ଯୋଗାଇ ଦେଉଥିଲା ବେଳେ ଦୁଗ୍ଧଚାଷ କରି ଆତ୍ମନିଯୁକ୍ତି ପାଇଁ ଋଣ କରୁଥିବା ଦୁଗ୍ଧଚାଷୀମାନଙ୍କୁ ୧୨% ରୁ ୧୪% ବାର୍ଷିକ ସୁଧହାରରେ ଋଣ ପ୍ରଦାନ କରାଯାଉଛି। ସାଧାରଣ କୃଷକମାନଙ୍କ ଭଳି ଦୁଗ୍ଧଚାଷୀମାନଙ୍କୁ ମଧ୍ୟ ୧% ବାର୍ଷିକ ସୁଧରେ ବ୍ୟାପକ ଋଣ ଯୋଗାଇ ଦେବାକୁ ଆମ୍ଭେ ଦାବି କରୁଅଛୁ।

– ଗୋ-ଖୋଦ୍ୟର ଦୈନନ୍ଦିନ ଦରବୃଦ୍ଧି ଓ ଅପମିଶ୍ରଣ ଯୋଗୁଁ ଦୁଗ୍ଧଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଗୋ-ଖାଦ୍ୟର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ ଅପମିଶ୍ରଣ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ଆମ୍ଭେ ଦାବି କରୁଅଛୁ।

– ସେହିଭଳି ଗ୍ରାମମାନଙ୍କରେ ଚାରଣଭୂମିର ସୁରକ୍ଷା ପାଇଁ ଗୋଚରକୁ ଦୁଗ୍ଧ ସମବାୟ ସମିତିମାନଙ୍କୁ ଘାଷ ଚାଷ ପାଇଁ ଲିଜ୍ ପ୍ରଦାନ କରିବାକୁ ଆମ୍ଭେ ଦାବି କରୁଅଛୁ।

ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, କାର୍ଯ୍ୟକାରୀ କମିଟି ସଦସ୍ୟ ବିଜୟ ବେହେରା ଓ ଗୌରାଙ୍ଗ ରାଉତ ପ୍ରମୁଖ ଉଭୟ ମନ୍ତ୍ରୀଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରଟିକୁ ଗ୍ରହଣ କରି ଦୁଗ୍ଧଚାଷୀମାନଙ୍କର ସମସ୍ୟା ଉପରେ ଖୁବ୍ଶୀଘ୍ର ସକରାତ୍ମକ ପଦକ୍ଷେପ ନେବାପାଇଁ ସରକାର ଚିନ୍ତା କରୁଛନ୍ତି ଏବଂ ଦୁଗ୍ଧ ମୂଲ୍ୟ ବୃଦ୍ଧି ଉପରେ ମଧ୍ୟ ସକରାତ୍ମକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀମାନେ ଏହି ପ୍ରତିନିଧିଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ଗତ ୨୬ ତାରିଖଠାରୁ ରାଜ୍ୟର ଘରୋଇ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ‘ପ୍ରଗତି ଡାଇରୀ’ ଏବଂ ‘ମିଲ୍କ ମୁଁ’ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦେଉଥିଲା ବେଳେ ଓମ୍ଫେଡ୍ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଦୁଗ୍ଧ ଲିଟର ପିଛା ଟଙ୍କାଟିଏ ମଧ୍ୟ ବୃଦ୍ଧି କରିନାହାଁନ୍ତି। ଫଳରେ ଦିନକୁ ୬ଲକ୍ଷ ୩୦ ହଜାର ଲିଟର ଦୈନିକ ଦୁଗ୍ଧସଂଗ୍ରହ କରୁଥିବା ଓମ୍ଫେଡ୍ର ସଂଗ୍ରହ ପରିମାଣ ଆଜି ୫ଲକ୍ଷ ୧୦ ହଜାର ଲିଟରକୁ ଖସି ଆସିଛି। ଏହାଫଳରେ ଦୁଗ୍ଧଚାଷୀମାନେ ବହୁତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୮୦ ପ୍ରତିଶତ ଥିଲାବେଳେ ସରକାର ଦୁଗ୍ଧଚାଷୀମାନଙ୍କୁ ଯେତିକି ଟଙ୍କା ଦେଉଥିଲେ ଆଜି ସପ୍ତମ ବେତନ କମିଶନ ଲାଗୁ ହେଲାପରେ ମଧ୍ୟ ଦୁଗ୍ଧଚାଷୀମାନେ ଲିଟର ପିଛା ହାରାହାରି ୨୬ଟଙ୍କା ୧୦ ପଇସା ଦରରେ ଓମ୍ଫେଡ୍କୁ କ୍ଷୀର ବିକ୍ରୟ କରୁଛନ୍ତି। ଯାହା ଆଜିର ଅଭାବି ଯୁଗରେ ଗ୍ରାମାଞ୍ଚଳର ଚାଷୀମାନଙ୍କ ପାଇଁ ଏକ ଅର୍ଥନୈତିକ ଶୋଷଣ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଚାଷୀମାନଙ୍କର ସ୍ୱାର୍ଥକୁ ଆକି ଆଗରେ ରଖି ଖୁବ୍ଶୀଘ୍ର ଦୁଗ୍ଧ ମୂଲ୍ୟରେ ଅନ୍ତତଃ ପକ୍ଷେ ୪ଟଙ୍କା ବୃଦ୍ଧି କରି ଚାଷିଙ୍କୁ ଲିଟର ପିଛା ୩୦ଟଙ୍କା ଦେବାକୁ ମହାସଂଘର ଅଧ୍ୟକ୍ଷ ଶ୍ରୀ ବେହେରା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.