Home ଜିଲ୍ଲା ପରିକ୍ରମା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ

109

ବଲାଙ୍ଗୀର ୨୯-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ ତିନି ସପ୍ତାହ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୨୨ ଥର ବୃଦ୍ଧି ପାଇଛି। ଇତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୧୧ ଟଙ୍କା ବୃଦ୍ଧି ପାଇ ସାରିଛି। ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ସମଗ୍ର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ସଙ୍ଗେ ପ୍ରତିବାଦ କରାଯାଇଛି। ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ, ମହାମାରୀ କରୋନା ଦେଶ ଆଜି ଘଡିସନ୍ଧି ମୁହୁର୍ତରେ ଗତି କରୁଛି। ସାଧାରଣ ଲୋକଙ୍କର ଆୟ ପନ୍ଥା ପ୍ରତିମୂହୂର୍ତ୍ତରେ ସଂକୁଚିତ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ମଧ୍ୟ କାମଧନ୍ଦା ନ ପାଇ ଅତି ଦୟନୀୟ ଭାବେ ଭୋକ ଉପାସରେ ଦିନ କାଟୁଛନ୍ତି। ଚାଷୀ ଚାଷ କାର୍ଯ୍ୟ ନ କରି ହାତ ବାନ୍ଧି ବସିଛି। ଆଗାମୀ ମୌସୁମୀକୁ ଆଧାର କରି ଖରିଫ ଚାଷ କରିବା ପାଇଁ ଅଂଟା ଭିଡିବାକୁ ଚେଷ୍ଟା କରୁଛି। ଏହି ସମୟରେ କେନ୍ଦ୍ରସରକାର ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅହେତୁକ ମୁଲ୍ୟ ବୃଦ୍ଧି କରିଚାଲିଛନ୍ତି। ତୈଳ ମନ୍ତ୍ରଣାଳୟର ନିୟମ ମୁତାବକ ଆର୍ନ୍ତଜାର୍ତିକ ବଜାରରେ ତୈଳଦର ବୃଦ୍ଧି ହେଲେ ଆମ ଦେଶରେ ମଧ୍ୟ ତୈଳଦର ବୃଦ୍ଧି ହେବା କଥା ମାତ୍ର ଆନ୍ତଜାର୍ତିକ ବଜାରରେ ତୈଳଦର ଯଥେଷ୍ଟ କମ ଥିବାବେଳେ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୫୦ ଟଙ୍କାରୁ ଅଧିକ ଉତ୍ପାଦ ଶୁକ୍ଳ ଓ ଭାଟ ଆକାରରେ ସଂଗ୍ରହ କରୁଛନ୍ତି। ଯାହା ଫଳରେ ସାଧାରଣ ଖାଉଟି ଉପରେ ଏହାର କୁପ୍ରଭାବ ପଡୁଛି। ତୈଳଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବଜାରରେ ହୁ ହୁ ହୋଇ ବଢିବା ସହ ଚାଷ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିର ଖର୍ଚ୍ଚ ମଧ୍ୟ ବଢିଯାଉଛି। ଯାହାକି ସାଧାରଣ ଚାଷୀ ଓ ଖାଉଟିଙ୍କୁ ବାଧୁଛି। ତେଣୁ ତୁରନ୍ତ ଏ ବିଷୟରେ ହସ୍ତକ୍ଷେପ ପୂର୍ବକ ତୈଳ ଉପରେ ଟିକସ ଛାଡ କମାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି। ବଲାଙ୍ଗୀର ସଦର ମହକୁମାରେ ଦାବିପତ୍ର ପ୍ରଦାନ କରାଯିବା ବେଳେ ରାଜ୍ୟ କଂଗ୍ରେସର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ଉପ ସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ପ୍ରଦେଶ କଂଗ୍ରେସ ସମ୍ପାଦକ ସୁଦାମ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ସନ୍ତକ ବହିଦାର ଓ ବୁଲୁ ବେସରା ପ୍ରମୁଖ ଉପସ୍ଥିତ ଥିବା ବେଳେ ପୁଇଁନ୍ତଲା ଠାରେ ଅନୁଷ୍ଠିତ ହୋଇଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମା ସାହୁ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ସତ୍ୟାନନ୍ଦ ସୁନା ଓ ଜ୍ୟେତିଷ ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.