Home ଖୋର୍ଦ୍ଧା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ...

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପାଳିତ

28

ଭୁବନେଶ୍ୱର ୫ା୮ (ଓଡ଼ିଆ ପୁଅ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସହଯୋଗୀ, ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ, ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମାଜ ସଂସ୍କାରକ, ସାହିତ୍ୟିକ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱରସ୍ଥ ପି.ଏମ୍‌.ଜି. ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ, ସୀତାବଲ୍ଲଭ ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଶିକ୍ଷାବିତ୍ କାମଦେବ ମହାପାତ୍ର, ଗିରିଜା ମହାପାତ୍ର, ଉତ୍କଳ ସମ୍ମିଳନୀ ସଭାପତି ଡଃ ଅଦ୍ୱୈତ କୁମାର ପାତ୍ର, ଉଷାରାଣୀ ମହାନ୍ତି, ପଣ୍ଡିତ ନୀଳକଣ୍ଠ ସ୍ମୃତି ସଂସଦ କର୍ମକର୍ତ୍ତା, ପଣ୍ଡିତ ମହୋଦୟଙ୍କ ଆତ୍ମୀୟ ସ୍ୱଜନ, ଉଇ ଫର୍ ଭୁବନେଶ୍ୱରର ସଭ୍ୟବୃନ୍ଦ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣାରେ ପଣ୍ଡିତ ନୀଳକଣ୍ଠ ଦାସ କଲିକତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ବୃତ୍ତିକୁ ପରିତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିବା ସହିତ ଦେଶରେ ଏକ ନୂତନ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ବ୍ୟବସ୍ଥାପକ ସଭା, ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ବାଚସ୍ପତି ପଦ ମଣ୍ଡନ କରିଥିଲେ। ଓଡ଼ିଶା ବିଧାନସଭାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ବାଚସ୍ପତି ପଦବୀକୁ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ କାଏମ୍ ରଖିବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାଙ୍କୁ ଭାରତୀୟ ସଂସଦୀୟ ଓ ବିଧାନସଭା ଇତିହାସରେ ଅମର କରି ରଖିବ। ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ପାଇଁ ବହୁ ଉପାଦେୟ ପୁସ୍ତକ ରଚନା କରିଛନ୍ତି ଏବଂ ନବଭାରତ ଖବର କାଗଜ ପ୍ରକାଶନ କରିବା ସହିତ ପରବର୍ତ୍ତୀ ଅବସ୍ଥାରେ ଏହାକୁ ସମାଜ ସହିତ ବିଲୀନ କରିଦେବା ତାଙ୍କ ମହତ ପଣିଆର ଉଜ୍ଜ୍ୱଳ ନିଦର୍ଶନ ବୋଲି ମତ ଦେଇ ବକ୍ତାମାନେ ଯୁବ ଛାତ୍ରମାନଙ୍କୁ ପଣ୍ଡିତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ନିବେଦନ କରିଥିଲେ। ଆଜି ପୂର୍ବାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପଣ୍ଡିତ ନୀଳକଣ୍ଠଙ୍କ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.