Home temp ନିର୍ଲଜ୍ଜର ଲଜ୍ଜା!

ନିର୍ଲଜ୍ଜର ଲଜ୍ଜା!

271

ନିର୍ଲଜ୍ଜ କାହୁଁ ବୁଝିବ ଲଜ୍ଜାର ସଜ୍ଞା ?

ଶାରୀରିକ/ମାନସିକ ତୃଷ୍ଣା ମେଣ୍ଟାଇବାରେ

ଲଜ୍ଜାର ମାନ ମଳିନ ପଡ଼ିଯାଏ ନିର୍ଲଜ୍ଜଠାରେ !

ନିର୍ଲଜ୍ଜ କେତେବେଳେ ଲୋକଙ୍କ ମନୋରଞ୍ଜନ କରିଥା’ନ୍ତି

ତ ଆଉ କେତେବେଳେ ଲୋକଙ୍କ ଆଖିରୁ ଲୁହ ଝରାଇଥା’ନ୍ତି…….!!

ଲଜ୍ଜା ସଭ୍ୟସମାଜର ଏକ ପ୍ରଥା। ଆଦିମ ମଣିଷ ସାମାଜିକ ସ୍ତରକୁ ଯିବା ପର୍ଯ୍ୟନ୍ତ ଲଜ୍ଜା କେବଳ ନିଜ ଶରୀରକୁ ଢାଙ୍କିବା ମଧ୍ୟରେ ସୀମିତ ଥିଲା। କିନ୍ତୁ ଭାଷାର ଉତ୍ପତ୍ତି ପରେ ମଣିଷ ସଭ୍ୟସମାଜ ସୃଷ୍ଟି କରିବାରେ ବିଭିନ୍ନ ଦାର୍ଶନିକ ଉପାଦାନ ମଧ୍ୟରେ ମାନବିକତାର ପରିଚୟ ଖୋଜି ନିଜକୁ ଅତିମାନବରେ ପରିଣତ କରିବାରେ ସମର୍ଥ ଆଜିର ଏହି ଉପସ୍ଥିତ ସଭ୍ୟସମାଜ ଯାହା ଆମେ ଦେଖୁଛେ। ସଭ୍ୟ ସମାଜରେ ଲଜ୍ଜାର ସଜ୍ଞା ଏତେ ବ୍ୟାପ୍ତଯେ ସେଗୁଡିକୁ ସାଧାରଣତଃ ସବୁମଣିଷ ବୁଝିନାହାଁନ୍ତି ଅଥବା ବୁଝି ମଧ୍ୟ ନବୁଝିବାର ଅଭିନୟ କରୁଛନ୍ତି ନିଜସ୍ୱ ସ୍ୱାର୍ଥ ପାଇଁ ବିଚାରଯୋଗ୍ୟ। ଆଜିର ସମୟରେ କେତେକ ମଣିଷ ଶିକ୍ଷାଗତ ଯୋଗ୍ୟତା ନଥିଲେ ମଧ୍ୟ ମାନବୀୟ ଚରିତ୍ର ତଥା ସାମାଜିକ ପ୍ରଥା ଏବଂ ରୀତିନୀତି ଗୁଡିକ ବିଷୟରେ ଅଭିଜ୍ଞ ଥିବା ଅସ୍ୱୀକାର କରିହେବ ନାହିଁ। ତଥାପି କେତେକ ମଣିଷ ଯଥେଷ୍ଟ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଜ ଚରିତ୍ର ସଂହାର କରିବାକୁ ପଛାଇନଥା’ନ୍ତି କେବଳ କୌଣସି ସ୍ୱାର୍ଥ ଲକ୍ଷ୍ୟରେ ! କିନ୍ତୁ ସେହି ଶିକ୍ଷିତ ମଣିଷ ଗୁଡିକ ସବୁ ଜାଣିଶୁଣି ହୀନମନ୍ୟ ଦୁଃଶ୍ଚାରିତ୍ରିକ ନିର୍ଲଜ୍ଜ କାର୍ଯ୍ୟ ଗୁଡିଏ କରି ସାଧାରଣ ମଣିଷଙ୍କ ଆନ୍ତରିକ ଘୃଣାର ପାତ୍ର ହେଉଥିବା ବେଳେ ସେମାନଙ୍କୁ ବାହ୍ୟରେ କରାଯାଉଥିବା ଆକ୍ଷେପ ଗୁଡିକ ପାଇଁ ସେମାନଙ୍କୁ ଲଜ୍ଜା ଲାଗୁନଥିବା ଗୋଟିଏ ପ୍ରକାର ମାନସିକ ବିଡମ୍ବନା କି ସାମାଜିକ ଚରିତ୍ର ବୁଝିବା………..?!

ନଗ୍ନ ଚରିତ୍ରର ନୃତ୍ୟାଙ୍ଗନା ରଙ୍ଗମଞ୍ଚର ଶୋଭାମଣ୍ଡନ କଲାବେଳେ ସାଧାରଣ ଲୋକେ ତାକୁ ଦେଖି ଉପଭୋଗ କରିଥା’ନ୍ତି। ସେହି ଚରିତ୍ରରେ କଳା ପରିବେଷଣ କଲାବେଳେ କେମେରା ସମ୍ମୁଖରେ ସମ୍ପୃକ୍ତ ନୃତ୍ୟାଙ୍ଗନାଙ୍କୁ କୌଣସି ଲଜ୍ଜା ଅନୁଭୂତ ହୁଏନାହିଁ ! କାରଣ କର୍ମକ୍ଷେତ୍ରଠାରୁ ଲକ୍ଷ ଭିନ୍ନ ଥାଏ ! କିନ୍ତୁ ସେହି ମହିଳାଙ୍କୁ ଯଦି ସର୍ବସାଧାରଣରେ ଚର୍ଚ୍ଚାର ପରିସରଭୁକ୍ତ କରାଯାଏ ତାହେଲେ ତାଙ୍କ ମନରେ କ୍ରୋଧ ଏବଂ ମୁଖରେ ଯେଉଁ ଲଜ୍ଜା ଆସେ ତାହା କାହିଁକି ବୁଝିବା କଷ୍ଟ….?!! ଯାହା କରିବା ବୁଝିବିଚାରି କରିନଥିବା ହେତୁ ନା ନିଜେ ନିଜ ମନ ଭିତରେ ରଖିଥିବା ଅହଂଭାବ ହେତୁ ନା ତାହା ସେମାନଙ୍କ ମାନସିକ ବିଡମ୍ବନା, ଯେ ଯିଏ ଯାହା ତାକୁ ସେଇଆ କହିଲେ ପୁଣି ଲଜ୍ଜା କାହିଁକି ? ଏକ ଅସାଧାରଣ ପ୍ରଶ୍ନ !!

ଅନୁରୂପ ଯିଏ ନିଜକୁ ଜଣେ ଶିକ୍ଷିତ ଏବଂ ସାମାଜିକ ସମ୍ମାନସ୍ପଦ ମଣିଷର ପରିଚୟ ଦେଇଥା’ନ୍ତି ସେମାନେ ମଧ୍ୟ ନିର୍ଲଜ୍ଜ କାର୍ଯ୍ୟ ଗୁଡିଏ କଲାବେଳେ କରିତ୍କର୍ମ ଠାରୁ ଲକ୍ଷକୁ ଭିନ୍ନ ଦିଗରେ ରଖି ବିଭିନ୍ନ କୁସଂସ୍କାର, ଭ୍ରଷ୍ଟାଚାର, ଅସାମାଜିକ କାର୍ଯ୍ୟ କରିଥା’ନ୍ତି ! ସେହି ଅକର୍ତ୍ତବ୍ୟ ଗୁଡିକୁ ସମାଲୋଚନା କିମ୍ବା ତାଗିଦ କରାଯିବାରେ ସେମାନଙ୍କ ମୁଖରେ କ୍ରୋଧ ଏବଂ ବେଲଜ୍ଜାର ସୀମା ନଥିବା ବେଳେ ବିବେକ ଶୂନ୍ୟ ମଣିଷ ସେସବୁ ପଛରେ ଘୋଷାଡ଼ି ଦେଇ ପରବର୍ତ୍ତୀ ସମୟରେ ଯଥା ପୂର୍ବମ ତଥା ପରମ କାର୍ଯ୍ୟ ଅବିରତ ଭାବେ କରି ଚାଲିଆସୁଥିବା କୌଣସି ନୂଆଁ କଥା ନୁହେଁ ! ହେଲେ ଏହି ଉଚ୍ଚ ଶିକ୍ଷିତ, ସମାଜର ସର୍ବୋଚ୍ଚ ପଦଧାରୀ ବୋଲାଉଥିବା ମଣିଷ ଗୁଡିକ ଯାହାସବୁ ଅକର୍ତ୍ତବ୍ୟ କରିଥା’ନ୍ତି ସେସବୁ ମଧ୍ୟ ସେହି ନୃତ୍ୟାଙ୍ଗନାର ଅଂଗଦର୍ଶନ ଠାରୁ ଯଥେଷ୍ଟ ନିକୁତ୍ସ ଲଜ୍ଜାଜନକ କାର୍ଯ୍ୟ ଯାହା ସେମାନଙ୍କ ବୁଝିବା ଜ୍ଞାନ ବହିର୍ଭୁତ ! ତଥାପି ସେମାନଙ୍କ ପାଇଁ ଆନୁଗତ୍ୟଙ୍କ କରତାଳି, ଆନ୍ତରିକ ସଦ୍ଭାବ କାହିଁକି ଥାଏ ତାହା ଏକ ଅଲୌକିକ ବିଷୟ ହୋଇଥାଏ ସର୍ବସାଧାରଣଙ୍କ ପାଇଁ ! ଏହି ଶିକ୍ଷିତ ଏବଂ ଉଚ୍ଚ ସ୍ଥାନିତ ବ୍ୟକ୍ତିବିଶେଷ ସେମିତି କୌଣସି ସାମାଜିକ ସଦ୍ଭାବନା ରଖିନଥିଲେ ମଧ୍ୟ ସେମାନଙ୍କ ଶିକ୍ଷାଗତ ପ୍ରମାଣ ପତ୍ରର ଖଣ୍ଡିଏ କାଗଜ, ଚାତୁରୀ, ମିଥ୍ୟା ବଚନ ଏବଂ ଆର୍ଥିକ ପ୍ରଭାବଜନିତ ମାନ୍ୟତା ଏକରକମ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅନ୍ଧ କରିଦେଉଥିବା ହେତୁ ଏକ ଅବାଂଛିତ ସଂଯୋଗରୁ ସେମାନେ କେବଳ ମିଥ୍ୟା ପ୍ରତିଭା ପ୍ରଦର୍ଶନ କରି ସମାଜର ଉଚ୍ଚସ୍ଥାନରେ ଅବସ୍ଥାପିତ ହୋଇଥା’ନ୍ତି ! କିନ୍ତୁ ବାସ୍ତବିକ ସେମିତି କୌଣସି ପ୍ରତିଭା ନଥାଇ ବରଂ ତାହାର ବିପରୀତେ ସମାଜକୁ କ୍ଷୁର୍ଣ୍ଣ କରିବାରେ ଅତ୍ୟନ୍ତ ସହାୟକ ମଣିଷ ଏହିଗୁଡିକ ଯେତେସବୁ ଅସାମାଜିକ, ଅମାନୁଷିକ କାର୍ଯ୍ୟ କରିଥା’ନ୍ତି ତାହା ଅସୀମ ଲଜ୍ଜାଜନକ କାର୍ଯ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରଭାବ ପଡ଼ିନଥାଏ କିଏ କଣ କହୁଛି କିମ୍ବା ଭାବୁଛି !

କହିବାର ତାତ୍ପର୍ଯ୍ୟ ଏହାଯେ ସଭ୍ୟସମାଜରେ କେବଳ ଶାରୀରିକ ସଂସର୍ଗ ବ୍ୟତୀତ ଆହୁରି ଅନେକ ଅସାମାଜିକ, ଅମାନବୀୟ ଚରିତ୍ର ଗୁଡିକୁ ଲଜ୍ଜାର ପରିସରଭୁକ୍ତ କରାଯାଇଅଛି ଯାହାସବୁ ତାହାଠାରୁ ଯଥେଷ୍ଟ ଅଧିକ ଅପମାନ ଜନକ ହୋଇଥାଏ ! ଯେମିତିକି ଚୋରି କରିବା, ଠକିବା, ଲାଞ୍ଚ ନେବା, ସର୍ବସାଧାରଣ ଅର୍ଥକୁ ଆତ୍ମସାତ କରିବା, ସାମାଜିକ ଭ୍ରଷ୍ଟାଚାର କରିବା, ଇତ୍ୟାଦି ବିଷୟଗୁଡିକ ଅତ୍ୟନ୍ତ ଲଜ୍ଜାଜନକ କାର୍ଯ୍ୟ ଯାହା ଅଧିକାଂଶ ଶିକ୍ଷିତ ଏବଂ ସମାଜର ଉଚ୍ଚସ୍ଥାନିତ ବ୍ୟକ୍ତି କରିଥା’ନ୍ତି ! ହେଲେ ଯିଏ ଏହିସବୁ କାର୍ଯ୍ୟ କରିଥା’ନ୍ତି ସେମାନଙ୍କୁ ଲଜ୍ଜାନାହିଁ କି ଯେଉଁମାନେ ସେମାନଙ୍କୁ ସହଯୋଗ କରି ସେମାନଙ୍କ ତାଳ ସହ ତାଳ ଦେଇ ଚାଲୁଛନ୍ତି ସେମାନଙ୍କୁ ସରମ ନାହିଁ ! କହିବାକୁ ଗଲେ ଏହିସବୁ ନିର୍ଲଜ୍ଜ କାର୍ଯ୍ୟ କରୁଥିବା ଶିକ୍ଷିତ ମଣିଷ ଗୁଡିକୁ ସେହି ନୃତ୍ୟାଙ୍ଗନା କିମ୍ବା ବେସ୍ୟା ମାନଙ୍କ ଠାରୁ ଯଥେଷ୍ଟ ନିମ୍ନ ମାନରେ ପରିଗଣିତ କରାଯିବା କଥା ଯାହା ଆମଦେଶ ସଂସ୍କୃତି କହୁଛି ! ତଥାପି ସେମାନେ ସମାଜର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ପୂଜା ପାଇବା ଗୋଟିଏ ସଭ୍ୟସମାଜର କାର୍ଯ୍ୟ ବୋଲି ବିବେଚନା କରାଯାଇ ନପାରେ !

ଅନ୍ତତଃ ପକ୍ଷେ ବେସ୍ୟା କିମ୍ବା ନୃତ୍ୟାଙ୍ଗନା ସାଧାରଣ ଲୋକଙ୍କ ମନୋରଂଜନ କରି ତଥା ସାଧାରଣ ଲୋକଙ୍କୁ କିଛି ଦେଇ ଅବାଂଛିତ ଭାବେ ନିଲଜ୍ଜ କାର୍ଯ୍ୟ କରୁଥିବାବେଳେ ଏହି ଶିକ୍ଷିତ ନିର୍ଲଜ୍ଜ ମାନେ ସାଧାରଣ ଲୋକଙ୍କ ଜୀବନ ବିପନ୍ନ କରି ତଥା ସମସ୍ତଙ୍କ ଆଖିରୁ ଲୁହ ଗଢ଼ାଇ ଯେଉଁ ନିର୍ଲଜ୍ଜ ଅସାମାଜିକ, ଅମାନବୀୟ କାର୍ଯ୍ୟ କରିଥା’ନ୍ତି ତାହା ଅକ୍ଷମଣୀୟ ! ସେମାନେ ସମାଜର ଗୋଟିଏ ଗୋଟିଏ କଳଙ୍କ ଭାବେ ଜନ୍ମିତ ଯାହାଙ୍କ ଆକୃତି ମଣିଷ ଭଳି ହୋଇଥିଲେ ମଧ୍ୟ ଅନ୍ତର୍ନିହିତ ପ୍ରକୃତି ପଶୁ ସଦୃଶ୍ୟ ଥାଏ ! ସେମାନଙ୍କ ସମାଜରେ କୌଣସି ସ୍ଥାନ ନରହିବା ବିଧେୟ ବୋଲି ଆମ ବିଚାର କେତେଦୂର ଯୁକ୍ତିଯୁକ୍ତ ନିର୍ଭର ନିଜ ନିଜ ବିଚାରଧାରା ଉପରେ ! ତେଣୁ ସମସ୍ତେ ସେମାନଙ୍କୁ ଆନ୍ତରିକ ଘୃଣା କରିବା ସହିତ ସାମୁହିକ ସାମାଜିକ ପ୍ରତିକ୍ରିୟା ଉପସ୍ଥାପନ କରି କଠୋର ଦଣ୍ଡ ବିଧାନ କରାଯିବା ପାଇଁ ପ୍ରତିବାଦ କରନ୍ତୁ ବୋଲି ଆହ୍ୱାନ ଦିଆଯାଉଅଛି !

ଶେଷରେ ଯିଏ ଯାହା କରୁଛି ସେଇକଥାକୁ ସାର୍ବଜନୀନ କରି ପ୍ରକାଶ କରାଗଲେ ସେହି ଲଜ୍ଜାଜନକ କାରୁକାର୍ଯ୍ୟରେ ଲିପ୍ତ ମଣିଷ ଗୁଡିକ କ୍ରୋଧିତ ହେଉଥିବାବେଳେ ଲଜ୍ଜାହୀନତା ସେମାନଙ୍କ ଏକ ମାନସିକ ବିଡମ୍ବନା ନା ତାହା ଏକ ସାମାଜିକ ପ୍ରଥା ବିଚାର କରାଯିବା କଥା ! ଆଉ ସେମାନଙ୍କୁ ପୁଣି କେତେବେଳେ କୌଣସି ବିଷୟରେ ଲଜ୍ଜା ଲାଗେ ? ନା ଲଜ୍ଜା ଲାଗୁଥିବା ଅଭିନୟ କରିଥାନ୍ତି ସେମାନେ ? ହୁଏତ ଏମିତି ହୋଇଥାଇ ପାରେକି ସେମାନଙ୍କୁ ବାସ୍ତବିକ ଲଜ୍ଜା ଲାଗୁନାହିଁ, ବରଂ କେବଳ ଅନ୍ୟକୁ ଦେଖାଇବାପାଇଁ ସେମାନେ ସେମିତି ବ୍ୟବହାର କରୁଥିବା ଅନୁମେୟ ! କାରଣ ବାସ୍ତବିକ ଲଜ୍ଜା ଲାଗୁଥିଲେ ସେମାନେ ଏମିତି କାର୍ଯ୍ୟ ଆଦୌ କରିନଥା’ନ୍ତେ ! ତେଣୁ ସେହି କେଳେଙ୍କାରୀ, କୁସଂସ୍କରୀ ଶିକ୍ଷିତ ମଣିଷ ଗୁଡିକୁ ସମାଜର ବେସ୍ୟା, ନଗ୍ନ ଚରିତ୍ରର ନୃତ୍ୟାଙ୍ଗନା ମାନଙ୍କ ଠାରୁ ଯଥେଷ୍ଟ ଅଧିକ ଧିକ୍କାର, ଭର୍ଚ୍ଛନା ଏବଂ ଆନ୍ତରିକ ଘୃଣାଭାବ ପ୍ରଦର୍ଶନ ପୂର୍ବକ ସମାଜର ସବୁଠାରୁ ନିଚ୍ଚତ୍ତମ ସ୍ଥାନରେ ଅବସ୍ଥାପିତ କରାଗଲେ ସେହିଭଳି ମାନସିକତା ସୃଷ୍ଟି ହେବା ମଣିଷ ମନରୁ ଦୂରେଇବ ବୋଲି ଆମ ଭାବନାରେ ଆପଣଙ୍କ ସହମତି କିମ୍ବା ଉପଦେଶ ପ୍ରଦାନ କରି ଆମ ସନ୍ଦେହ ମୋଚନ କରିବେ ବୋଲି ଆଶା କରି ରହିଲି…….!

ପଙ୍କଜ କୁମାର ପାଣିଗ୍ରାହୀ 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.