ad
ଓଡ଼ିଶା

ଜୁଲାଇ ୨୯, ୨୦୧୯ରେ ‘ବାଘ ଗଣନା ରିପୋର୍ଟ-୨୦୧୮’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ମନ୍ତ୍ରୀ ପରିଷଦରେ ମୋର ସାଥୀ, ଶ୍ରୀ ପ୍ରକାଶ ଜାଭଡେକର ଜୀ, ଶ୍ରୀମାନ ବାବୁଲ ସୁପ୍ରିୟୋ ଜୀ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ। ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ବିଶ୍ୱ ବ୍ୟାଘ୍ର ଦିବସ ଉପଲକ୍ଷେ ଅନେକ-ଅନେକ ଶୁଭକାମନା।

ଚଳିତ ବର୍ଷର ବିଶ୍ୱ ବ୍ୟାଘ୍ର ଦିବସ ଏଥିପାଇଁ ମଧ୍ୟ ଖାସ କାରଣ ଭାରତ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଏହି ଉପଲବ୍ଧି ପାଇଁ ଆପଣମାନେ ସମସ୍ତଙ୍କୁ ସମଗ୍ର ବିଶ୍ୱର ଜୀବ ପ୍ରେମୀମାନଙ୍କୁ ଏହି ମିଶନ ସହିତ ଜଡିତ ଅଧିକାରୀ, ସମସ୍ତ କର୍ମଚାରୀ ଏବଂ ବିଶେଷକରି ବନ ପ୍ରଦେଶମାନଙ୍କରେ ରହୁଥିବା ଆମର ଆଦିବାସୀ ଭାଇ ଭଉଣୀମାନଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।

ବନ୍ଧୁଗଣ,

ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଆମେ ବାଘକୁ ସୁରକ୍ଷା ପ୍ରଦାନ କରିବା ନେଇ ଆମର ସଂକଳ୍ପବଦ୍ଧତାକୁ ଦୋହରାଉଛୁ। ଏଇ ସଙ୍ଗେ ସଙ୍ଗେ ଘୋଷଣା ହୋଇଥିବା ବାଘ ଗଣନାର ଫଳାଫଳ ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ପ୍ରକୃତିପ୍ରେମୀଙ୍କୁ ଖୁସି କରିବ। ୯ ବର୍ଷ ପୂର୍ବେ ସେଂଟ ପିଟର୍ସବର୍ଗରେ ନିଷ୍ପତି ଗ୍ରହଣ କରାଯାଇଥିଲା ଯେ ୨୦୨୨ ସୁଦ୍ଧା ବାଘ ସଂଖ୍ୟାକୁ ଦ୍ୱିଗୁଣିତ କରାଯିବ। ଆମେ ଭାରତରେ ଏହି ଲକ୍ଷ୍ୟକୁ ୪ ବର୍ଷ ପୂର୍ବରୁ ପୂରଣ କରିଛେ। ଯେଉଁ ଦ୍ରୂତତା ଓ ଉତ୍ସର୍ଗୀକୃତ ମନୋଭାବ ସହିତ ଆମର ଅଂଶୀଦାରମାନେ କାର୍ଯ୍ୟକରି ଏହି ସଫଳତା ହାସଲ କରିଛନ୍ତି ତାହା ଉଲ୍ଲେଖନୀୟ। ସଂକଳ୍ପରୁ ସିଦ୍ଧିର ଏହା ହେଉଛି ଏକ ଉତମ ଉଦାହରଣ। ଭାରତର ଜନସାଧାରଣ କିଛି କରିବାକୁ ନିଷ୍ପତି ଗ୍ରହଣ କଲେ, ଉପଯୁକ୍ତ ଫଳ ପାଇବାରେ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ।

ବନ୍ଧୁଗଣ ମୋର ମନେ ଅଛି ଯେ, ୧୪/୧୫ ବର୍ଷ ପୂର୍ବେ ଯେତେବେଳେ ତଥ୍ୟ ସାମ୍ନାକୁ ଆସିଥିଲା ସେତେବେଳେ ଦେଶରେ ମାତ୍ର ୧୪୦୦ ବାଘ ଥିଲେ, ଏହା ବଡ ବିତର୍କର ବିଷୟ ଥିଲା, ଚିନ୍ତାର କାରଣ ହୋଇପଡିଥିଲା। ବାଘ ପ୍ରକଳ୍ପ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଏହା ଏକ ବଡ଼ ଆହ୍ୱାନ ଥିଲା। ବାଘ ପାଇଁ ଉପଯୁକ୍ତ ପରିବେଶରୁ ଆରମ୍ଭ କରି ଜନବସତି ସହିତ ସନ୍ତୁଳନ ରକ୍ଷା କରିବା ନେଇ ଏକ କଠିନ କାମ ସାମ୍ନାରେ ଥିଲା, ମାତ୍ର ଯେପରି ଭାବେ ସମ୍ବେଦନଶୀଳତା ସହିତ, ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଏହି କାର୍ଯ୍ୟକୁ ଆଗକୁ ବଢ଼ାଗଲା, ତାହା ଅତ୍ୟନ୍ତ ପ୍ରଶଂସନୀୟ।

ଆଜି ଆମେ ଗର୍ବର ସହିତ କହିପାରିବା ଯେ, ଭାରତ ପାଖାପାଖି ୩୦୦୦ ବାଘଙ୍କ ସହିତ ବିଶ୍ୱର ସବୁଠାରୁ ବୃହତ ଏବଂ ସବୁଠାରୁ ସୁରକ୍ଷିତ ବସତି ମଧ୍ୟରୁ ଅନ୍ୟତମ। ସମଗ୍ର ବିଶ୍ୱରେ ବାଘଙ୍କର ପାଖାପାଖି ତିନି ଚତୁର୍ଥାଂଶ ବସତି ଆମ ହିନ୍ଦୁସ୍ତାନରେ ରହିଛି।

ଏଠାରେ ଉପସ୍ଥିତ ଆପଣମାନଙ୍କ ମଧ୍ୟରୁ ଅନେକ ଭଲ ଭାବେ ଜାଣନ୍ତି ଯେ, ବନ୍ୟପ୍ରାଣୀ ବାସସ୍ଥଳୀକୁ ସମୃଦ୍ଧ କରିବା ନେଇ ଏହି ଅଭିଯାନ କେବଳ ବାଘଙ୍କ ଠାରେ ସୀମିତ ନାହିଁ। ଗୁଜରାଟର ଗିର୍ ଜଙ୍ଗଲରେ ଦେଖାଯାଉଥିବା ଏସୀୟ ସିଂହ ଏବଂ ବରଫ ଲିଓପାର୍ଡ ମାନଙ୍କର ସଂରକ୍ଷଣ ଯୋଜନା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି। ବରଂ ଗିର୍ ରେ ଯେଉଁକାମ ପୂର୍ବରୁ ଚାଲିଆସୁଛି, ଏହାର ସୁଖପ୍ରଦ ପରିଣାମ ଆଜି ସଫା ସଫା ନଜରକୁ ଆସୁଛି। ଏଠାରେ ସିଂହମାନଙ୍କ ସଂଖ୍ୟାରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। ମୁଁ ଖୁସି ଯେ ଭାରତର ଶ୍ରେଷ୍ଠ ଅଭ୍ୟାସର ଲାଭ ଟାଇଗର ରେଞ୍ଜର ଅନ୍ୟ ମିତ୍ର ଦେଶମାନଙ୍କୁ ବି ମିଳୁଛି।

ଆଜି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସହ ଚୀନ, ରୁଷ ସମେତ ୫ ଦେଶ ବୁଝାମଣା କରିଛନ୍ତି। ଖୁବଶୀଘ୍ର ଅନ୍ୟ ଦେଶମାନଙ୍କ ସହିତ ବୁଝାମଣା ହେବା ନିଶ୍ଚିତ। ଗୁଏଟମାଲା ମଧ୍ୟ ସେଠାରେ ଜାଗୁଆର ସଂରକ୍ଷଣ ପାଇଁ ଅନେକ ବୈଷୟିକ ସହାୟତା ନେଉଛି। ଏପରିକି ଖୁସିର କଥା ଯେ, ବାଘ କେବଳ ଭାରତରେ ନୁହେଁ ବରଂ ଅନ୍ୟ କେତେକ ଦେଶରେ ଆସ୍ଥାର ପ୍ରତୀକ। ଭାରତ ବ୍ୟତୀତ ମାଲେସିଆ ଓ ବାଂଲାଦେଶର ରାଷ୍ଟ୍ରୀୟ ପଶୁ ହେଉଛି ବାଘ। ଚୀନ ସଂସ୍କୃତିରେ ତ ବାଘ ବର୍ଷ ପାଳନ କରାଯାଏ। ଅର୍ଥାତ ଏକ ପ୍ରକାର ଦେଖିଲେ ବାଘ ସହିତ ଜଡିତ ଯେକୌଣସି ପଦକ୍ଷେପ ଅନେକ ଦେଶକୁ, ସେଠାକାର ଲୋକମାନଙ୍କୁ ବ୍ୟାପକ ଭାବେ ପ୍ରଭାବିତ କରିଥାଏ।

ବନ୍ଧୁଗଣ,

ଉନ୍ନତ ପରିବେଶ ବିନା ମଣିଷର ସଶକ୍ତିକରଣ ଅପୂରଣୀୟ। ତେଣୁ ଆଗାମୀ ମାର୍ଗ ଚୟନାତ୍ମକ ନୁହେଁ ବରଂ ସାମଗ୍ରୀକ ଭାବ ହେବା ଆବଶ୍ୟକ। ପରିବେଶ ସଂରକ୍ଷଣ ପାଇଁ ଆମକୁ ସୁଦୂରପ୍ରସାରୀ ଓ ସାମଗ୍ରୀକ ଦୃଷ୍ଟିକୋଣ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଅନେକ ଉଦ୍ଭିଦ ଓ ପ୍ରାଣୀ ରହିଛନ୍ତି ଯେଉଁମାନଙ୍କୁ କି ଆମର ସହାୟତା ଆବଶ୍ୟକ। ଏ ନେଇ ଆମେ କଣ କରିପାରିବା, ବୈଷୟିକ ଜ୍ଞାନ ହେଉ କିମ୍ବା ମାନବୀୟ ସହାୟତା ହେଉ ଆମେ ସେମାନଙ୍କୁ ଏକ ନୂଆ ଜୀବନଧାରା ପ୍ରଦାନ କରିପାରିବା। ଯାହାଦ୍ୱାରା କି ସେମାନେ ଆମ ଗ୍ରହକୁ ସୌନ୍ଦର୍ଯ୍ୟ ଓ ବିବିଧତା ପ୍ରଦାନ କରିବେ। ଆହୁରି ମଧ୍ୟ ଏକ ପୁରୁଣା ଯୁକ୍ତି ରହିଛି – ବିକାଶ କିମ୍ବା ପରିବେଶ। ଉଭୟ ପକ୍ଷ ମତ ପ୍ରଦାନ କରନ୍ତି ଯେ, ଉଭୟ ପାରସ୍ପରିକ ଭାବେ ସ୍ୱତନ୍ତ୍ର ନା ନାହିଁ।

ମାତ୍ର ଆମକୁ ସହ-ଅସ୍ତିତ୍ୱକୁ ମଧ୍ୟ ସ୍ୱୀକାର କରିବାକୁ ପଡିବ ଏବଂ ଏହି ସହ-ଯାତ୍ରାର ମହତ୍ୱକୁ ମଧ୍ୟ ବୁଝିବାକୁ ପଡିବ। ମୁଁ ଭାବୁଛି ବିକାଶ ଓ ପରିବେଶ ମଧ୍ୟରେ ଏକ ସୁସ୍ଥ ସନ୍ତୁଳନ ସମ୍ଭବ। ଆଉ ଆମେ ଦେଶ ହେଉଛି ଏପରି ଯେଉଁଠାରେ ଆମକୁ ହଜାର ହଜାର ବର୍ଷ ଧରି ସହ-ଅସ୍ତିତ୍ୱର ଶିକ୍ଷା ପ୍ରଦାନ କରାଯାଇଛି। ଆମ ପୂର୍ବପୁରୁଷମାନେ ଯେଉଁ ଭଗବାନଙ୍କ କଳ୍ପନା କରିଥିଲେ ସହ-ଅସ୍ତିତ୍ୱର ଉଦାହରଣ ସେଥିରେ ଅନୁଭବ ହେଉଥିଲା; ଏହା ହେଉଛି ଶ୍ରାବଣ ମାସ; ସୋମବାର, ଶିବଙ୍କ ଗଳାରେ ସାପ ଅଛି ଏବଂ ଏହି ପରିବାରରେ ଗଣେଶଙ୍କ ବାହନ ହେଉଛି ମୂଷା। ମୂଷାକୁ ଖାଇବା ସାପର ଅଭ୍ୟାସ, ମାତ୍ର ଶିବ ନିଜ ପରିବାରରେ ସହ-ଅସ୍ତିତ୍ୱର ବାର୍ତ୍ତା ପ୍ରଦାନ କରନ୍ତି। ଏହା ନିଜ ଭିତରେ ଆମ ଏଠି କୌଣସି ପରମାତ୍ମାଙ୍କ କଳ୍ପନା ପଶୁ, ପକ୍ଷୀ, ଉଦ୍ଭିଦ ବିନା କରାଯାଇନାହିଁ, ଏହା ସହିତ ଯୋଡା ଯାଇଛି।

ଆମ ରାଜନୀତିରେ, ଆମ ଅର୍ଥନୀତିରେ ଆମକୁ ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନାକୁ ପରିବର୍ତ୍ତନ କରିବାକୁ ପଡିବ। ଆମକୁ ଉଭୟ ଚତୁର ଓ ସମ୍ବେଦନଶୀଳ ହେବାକୁ ପଡିବ ଏବଂ ପରିବେଶର ସ୍ଥାୟୀତ୍ୱ ଓ ଅର୍ଥନୈତିକ ପ୍ରଗତି ମଧ୍ୟରେ ଏକ ସୁସ୍ଥ ସନ୍ତୁଳନ ସୃଷ୍ଟି କରିବାକୁ ପଡିବ।

ଭାରତ ଉଭୟ ଅର୍ଥନୈତିକ ଏବଂ ପରିବେଶଗତ ଭାବେ ସମୃଦ୍ଧ ହେବ। ଭାରତ ଅଧିକ ରାସ୍ତା ନିର୍ମାଣ କରିବ ଏବଂ ଏହାର ନଦୀମାନେ ସ୍ୱଚ୍ଛ ହେବେ। ଭାରତର ରେଳ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ ଏବଂ ଅନେକ ଉଦ୍ଭିଦ ମଧ୍ୟ ରହିବେ। ଭାରତ ଆମ ନାଗରିକମାନଙ୍କ ପାଇଁ ଅଧିକ ଗୃହ ନିର୍ମାଣ କରିବ ଏବଂ ଏହି ସମୟରେ ପଶୁମାନଙ୍କ ପାଇଁ ଗୁଣାତ୍ମକ ବାସସ୍ଥଳୀ ମଧ୍ୟ ସୃଷ୍ଟି କରିବ। ଭାରତର ଏକ ଜୀବନ୍ତ ସାମୁଦି୍ରକ ଅର୍ଥନୀତି ରହିବ ଏବଂ ଏକ ସୁସ୍ଥ ସାମୁଦି୍ରକ ପରିବେଶ ରହିବ। ଏହି ସନ୍ତୁଳନ ଏକ ଶକ୍ତିଶାଳୀ ଏବଂ ସାମଗ୍ରୀକ ଭାରତ ନିର୍ମାଣରେ ଯୋଗଦାନ କରିବ।

ବନ୍ଧୁଗଣ, ବିଗତ ୫ ବର୍ଷ ମଧ୍ୟରେ ଯେଉଁଠାରେ ଦେଶର ନୂତନ ପିଢି ପାଇଁ ଭିତିଭୂମି କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ ହୋଇଛି ସେହିପରି ଭାରତରେ ଜଙ୍ଗଲର ଘନତ୍ୱ ମଧ୍ୟ ବଢ଼ୁଛି। ଏତଦ୍ ବ୍ୟତୀତ ଦେଶରେ ସଂରକ୍ଷିତ ଅଂଚଳର ସଂଖ୍ୟାରେ ମଧ୍ୟ ବୃଦ୍ଧି ହେଉଛି। ୨୦୧୪ରେ ଭାରତରେ ସଂରକ୍ଷିତ ଅଂଚଳ ସଂଖ୍ୟା ଥିଲା ୬୯୨, ୨୦୧୯ରେ ଏହା ବୃଦ୍ଧି ପାଇ ୮୬୦ରୁ ଅଧିକ ହୋଇଛି। ଏଥି ସହିତ ସାମାଜିକ ସଂରକ୍ଷଣ କ୍ଷେତ୍ର ସଂଖ୍ୟା ମଧ୍ୟ ୨୦୧୪ରେ ୪୩ ଥିଲାବେଳେ ଏଥିରେ ବୃଦ୍ଧି ଘଟି ପାଖାପାଖି ୧୦୦କୁ ଅତିକ୍ରମ କରିଛି।

ବାଘ ସଂଖ୍ୟା ବଢ଼ିବା, ସଂରକ୍ଷିତ ଅଂଚଳ ସଂଖ୍ୟା ବଢ଼ିବା କେବଳ ଏକ ତଥ୍ୟ ନୁହେଁ, ଏହାର ବହୁତ ବଡ଼ ପ୍ରଭାବ ପର୍ଯ୍ୟଟନ ଏବଂ ରୋଜଗାରର ସାଧନ ଉପରେ ମଧ୍ୟ ପଡିଥାଏ। ମୁଁ କେଉଁଠାରେ ପଢ଼ିଥିଲି ଯେ, ରନ୍ଥାମ୍ବୋରରେ ଯେଉଁଠାରେ ମହୀଶୂର ବାଘୁଣୀ ‘ମଛଲି’ ଥିଲା, ତାକୁ କେବଳ ଦେଖିବାକୁ ଲକ୍ଷ ଲକ୍ଷ ଦେଶୀ-ବିଦେଶୀ ପର୍ଯ୍ୟଟକ ଡେରା ପକାଇ ରହୁଥିଲେ। ଏଥିପାଇଁ ବାଘମାନଙ୍କ ସଂରକ୍ଷଣ ସହିତ ଆମକୁ ପରିବେଶ ସହାୟକ ଇକୋ-ଟୁରିଜିମ ଭିତିଭୂମି ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ।

ବନ୍ଧୁଗଣ, ପରିବେଶର ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ଭାରତର ସମସ୍ତ ପଦକ୍ଷେପ ଆମକୁ ପାଣିପାଗ କାର୍ଯ୍ୟଧାରାରେ ବୈଶ୍ୱିକ ଅଗ୍ରଦୂତରେ ପରିଣତ କରିଛି। ୨୦୨୦ ପୂର୍ବରୁ ନିର୍ଗମନ ଘନତ୍ୱ ଜିଡିପି ପାଇଁ ମଧ୍ୟ ଯେଉଁ ଲକ୍ଷ ରଖାଯାଇଥିଲା ଭାରତ ତାହାକୁ ପୂର୍ବରୁ ପ୍ରାପ୍ତ କରିସାରିଛି। ଆଜି ଭାରତ ବିଶ୍ୱର ସେହି ଶୀର୍ଷ ଦେଶମାନଙ୍କ ମଧ୍ୟରେ ରହିଛି ଯେଉଁମାନେ ସେମାନଙ୍କ ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ ଜାଳେଣି ଆଧାରିତ କିମ୍ବା ଅକ୍ଷୟ ଶକ୍ତି ଆଧାରିତ କରିବାରେ ଲାଗିଛନ୍ତି। ବର୍ଜ୍ୟ ଏବଂ ଜୈବ ଜାଳେଣିକୁ ଆମର ଶକ୍ତି ସୁରକ୍ଷାର ଏକ ବ୍ୟାପକ ଅଂଶ ଭାବେ ଆମେ ନିର୍ମାଣ କରୁଛୁ।

ଏତଦବ୍ୟତୀତ ଏବେ ଯେଉଁ ଇଲେକ୍ଟ୍ରୋନିକ ମୋବିଲିଟି ଉପରେ କାମ ଚାଲିଛି, ଜୈବ ଜାଳେଣି ଉପରେ କାମ ହେଉଛି, ସ୍ମାର୍ଟ ସିଟି ଉପରେ କାମ ହେଉଛି, ଏହାଦ୍ୱାରା ମଧ୍ୟ ପରିବେଶର ଉନ୍ନତିରେ ଆମେ ଜଡିତ ଅଛୁ। ଅକ୍ଷୟ ଶକ୍ତି ସମ୍ବନ୍ଧରେ ତ ଆମେ ଦ୍ରୁତ ଗତିରେ ଆମ ଲକ୍ଷ୍ୟ ଆଡକୁ ଆଗକୁ ବଢ଼ୁଛୁ। ୨୦୨୨ ପର୍ଯ୍ୟନ୍ତ ଆମେ ଯେଉଁ ୧୭୫ ଗିଗାୱାଟ ଅକ୍ଷୟ ଶକ୍ତି ବାହାର କରିବାର ଲକ୍ଷ୍ୟ ରଖିଛୁ, ତାହା ହାସଲ କରିବା ପାଇଁ ପୂରା କ୍ଷମତାରେ କାର୍ଯ୍ୟ ଆଗେଇ ଚାଲିଛି।

ସେହିପରି ଆନ୍ତର୍ଜାତିକ ସୌର ମେଂଟ ଅର୍ଥାତ ‘ଆଇଏସଏ’ ମାଧ୍ୟମରେ ଆମେ ବିଶ୍ୱର ଅନେକ ଦେଶକୁ ସୌର ଶକ୍ତି ସହ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛୁ। ଏବେ – ଙଦ୍ଭର ଡକ୍ଟକ୍ସକ୍ଷୟ, ଙଦ୍ଭର ଝଙ୍କଦ୍ଭ, ଙଦ୍ଭର ଏକ୍ସସୟ – ଏକ ପୃଥିବୀ, ଏକ ସୂର୍ଯ୍ୟ, ଏକ ଗ୍ରୀଡ : ଆମ ଲକ୍ଷ୍ୟ ହେବା ଆବଶ୍ୟକ।

ଉଜ୍ଜ୍ୱଳା ଏବଂ ଉଜାଲା ପରି ଯୋଜନା ଦେଶର ସାଧାରଣ ଜୀବନକୁ ତ ସହଜ କରୁଛି, ଏହାଦ୍ୱାରା ପରିବେଶର ମଧ୍ୟ ସେବା ହେଉଛି। ଦେଶର ପ୍ରତ୍ୟେକ ପରିବାରକୁ ଏଲପିଜି ସଂଯୋଗ ପ୍ରଦାନ କରାଯିବା ଦ୍ୱାରା ଆମକୁ ବହୁ ସଂଖ୍ୟାରେ ଗଛ ହାଣିବା, ସେମାନଙ୍କୁ ହାନି ପହଁଚାଇବା ଉପରେ ଅଙ୍କୁଶ ଲଗାଇବାରେ ସଫଳତା ମିଳୁଛି। ଦେଶର ପ୍ରତ୍ୟେକ ଘର, ପ୍ରତ୍ୟେକ ବିଲ୍ଡିଂ, ପ୍ରତ୍ୟେକ ସଡକ, ପ୍ରତ୍ୟେକ ଗଳିରେ ଏଲଇଡ଼ି ବଲବ ଲଗାଇବାର ଯେଉଁ ଅଭିଯାନ ଚାଲୁଛି, ଏହାଦ୍ୱାରା ବିଦ୍ୟୁତ ତ ବଂଚୁଛି, ଅଙ୍ଗାରକାମ୍ଳ ନିର୍ଗମନରେ ମଧ୍ୟ ଅନେକ ହ୍ରାସ ଘଟୁଛି ଏବଂ ଏଥିସହିତ ମଧ୍ୟମ ବର୍ଗର ପରିବାର ମାନଙ୍କରେ ବିଜୁଳି ବି କମ ହେଉଛି, ସେମାନଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିଛି।

ବନ୍ଧୁଗଣ, ଆଜି ଭାରତର ପରିଚୟ ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରେ ରହିଛି ଯେଉଁମାନେ କି ନିଜର ଏବଂ ବିଶ୍ୱର ହିତ ପାଇଁ ଯେଉଁ ସଂକଳ୍ପ ନେଇଥା’ନ୍ତି, ତାହାକୁ ଯଥା ସମୟରେ ପୂରଣ କରିଥାନ୍ତି। ଦାରିଦ୍ର୍ୟ ଦୂରୀକରଣ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ କରିବାରେ ଭାରତ ବିଶ୍ୱରେ ଅଗ୍ରଣୀ ରହିବ, ଏନେଇ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ବନ୍ଧୁଗଣ, ଏହିପରି ପ୍ରୟାସ ଫଳରେ ଆଜି ଭାରତର ପରିଚୟ ବିଶ୍ୱର ସେହି ଦେଶମାନଙ୍କରେ ରହିଛି ଯେଉଁମାନେ ନିଜର ଏବଂ ବିଶ୍ୱର ହିତ ପାଇଁ ଯେଉଁ ସଂକଳ୍ପ ନେଇଥା’ନ୍ତି, ତାହାକୁ ଯଥା ସମୟରେ ପୂରଣ କରିଥାନ୍ତି।

ଆମେ ଯେହେତୁ ସଂଖ୍ୟାକୁ ନେଇ ଆଜି ଉତ୍ସବ ପାଳନ କରୁଛେ, ଆମକୁ ହୃଦୟଙ୍ଗମ କରିବାକୁ ପଡିବ ଯେ ଧ୍ୱଂସପ୍ରାପ୍ତ ଓ ସଙ୍କୁଚିତ ବାସସ୍ଥାନ, ବେଆଇନ ବ୍ୟବସାୟ ଓ ଚୋରା ଚାଲାଣ ଯୋଗୁ ଏହି ରାଜକୀୟ ପଶୁ ଘୋର ବିପଦର ସମ୍ମୁଖୀନ ହେଉଛନ୍ତି। ପୁନଶ୍ଚ ପଶୁ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଯାହା ସବୁ କରିବା ଆବଶ୍ୟକ ତାହା କରିବା ପାଇଁ ଭାରତ ସଂକଳ୍ପବଦ୍ଧ।

ଏସିଆରେ ଦୃଢ଼ ଭାବେ ବାଘ ଶିକାର ଓ ଏହାର ବେଆଇନ କାରବାରକୁ ବନ୍ଦ କରିବା ପାଇଁ ଟାଇଗର ରେଞ୍ଜ ଦେଶଗୁଡ଼ିକର ସରକାରର ମୁଖ୍ୟମାନଙ୍କୁ ମୁଁ ଅନୁରୋଧ କରିବି ଏବଂ ସେମାନଙ୍କୁ ବିଶ୍ୱ ନେତୃବୃନ୍ଦଙ୍କ ଏକ ସଂଗଠନ ମାଧ୍ୟମରେ ଏକାଠି କରିବି। ଏହି ବିଶ୍ୱ ବ୍ୟାଘ୍ର ଦିବସରେ ପୁଣି ଥରେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି।

ଏକ ସବୁଜ ଏବଂ ନିରନ୍ତର ସୁସ୍ଥ ପରିବେଶ ବିଶିଷ୍ଟ ଦେଶ ସୃଷ୍ଟି କରିବା ପାଇଁ ଆସନ୍ତୁ ସମସ୍ତେ ମିଳିତ ଭାବେ ଶପଥ ନେବା।

ବାଘ ଏହି ନିରନ୍ତରତାର ପ୍ରତୀକ ହେଉ।

ଏହି କ୍ଷେତ୍ର ସହିତ ଜଡିତ ସମସ୍ତ ଜନସାଧାରଣଙ୍କୁ ମୁଁ ଏୟା କହିବି ଯେ ଯେଉଁ କାହାଣୀ ‘ଏକ ଥା ଟାଇଗର’ ସହିତ ଆରମ୍ଭ ହୋଇ ‘ଟାଇଗର ଜିନ୍ଦା ହେ’ ପର୍ଯ୍ୟନ୍ତ ପହଁଚିଛି, ତାହା ସେଠାରେ ଅଟକି ନଯାଉ। କେବଳ ଟାଇଗର ଜିନ୍ଦା ହେଲେ କାମ ଚଳିବ ନାହିଁ ଏବଂ ପୂର୍ବରୁ ସିନେମା ବାଲା ଗାଉଥିଲେ ବାଗୋଁ ମେଁ ବାହାର ହେ, ଏବେ ସୁପ୍ରିୟୋ ଜୀ ଗାଇବେ-ବାଘୋ ମେଁ ବାହାର ହେ।

ବ୍ୟାଘ୍ର ସଂରକ୍ଷଣ ସହିତ ଜଡିତ ଯେଉଁ ପ୍ରୟାସ ରହିଛି ସେସବୁର ବିସ୍ତାର ହେବା ଆବଶ୍ୟକ, ସେଗୁଡିକୁ ଗତିଶୀଳ ଏବଂ ଦ୍ରୁତ କରିବା ଆବଶ୍ୟକ।

ଏହି ଆଶା, ଏହି ବିଶ୍ୱାସ ସହିତ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି।

ଧନ୍ୟବାଦ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top