Home ଓଡ଼ିଶା ଛାତ୍ର ସଂସଦ ନିର୍ବାଚନ ରଦ୍ଦ ଆଦେଶ ଅଗଣତାନ୍ତ୍ରିକ – ଏସ୍ .ଏଫ୍ .ଆଇ.

ଛାତ୍ର ସଂସଦ ନିର୍ବାଚନ ରଦ୍ଦ ଆଦେଶ ଅଗଣତାନ୍ତ୍ରିକ – ଏସ୍ .ଏଫ୍ .ଆଇ.

134

ଭୁବନେଶ୍ୱର, ୨୬.୦୮ (ଓଡ଼ିଆ ପୁଅ) : ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ ଏବଂ ଛାତ୍ର ସମାଜର ଗଣତାନ୍ତ୍ରିକ ଅଧିକାର ଉପରେ ଖୋଲା ଉଲ୍ଲଂଘନ ବୋଲି ଭାରତର ଛାତ୍ର ଫେଡେରେସନ୍ (ଏସ୍ .ଏଫ୍ .ଆଇ) ଓଡ଼ିଶା ରାଜ୍ୟ ସାଙ୍ଗଠନିକ କମିଟି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛି। ଛାତ୍ର ସମାଜର ଦୀର୍ଘ ବର୍ଷର ମିଳିତ ସଂଗ୍ରାମରୁ ଛାତ୍ର ସଂସଦ ଗଠନ କରିବାର ଅଧିକାର ଦିଆଯାଇଛି ବୋଲି ଏସ୍ .ଏଫ୍ .ଆଇ. କହିଛି। ରାଜ୍ୟ ସରକାର ପ୍ରଶାସନିକ ଆଦେଶ ବଳରେ ଏହାକୁ ବାତିଲ କରି ନିଜ ଦଳର ଛାତ୍ର ପ୍ରତିନିଧିମାନଙ୍କୁ ପଛ ଦୁଆର ଦେଇ ମନୋନୟନ ପ୍ରକ୍ରିୟାର ପରିକଳ୍ପନାକୁ ଏସ୍ .ଏଫ୍ .ଆଇ. ଦୃଢ଼ ବିରୋଧ କରିଛି। ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ ହିଂସା ଇତ୍ୟାଦି ସରକାରୀ ଦଳ ହିଁ କରିଥାନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକୁ ହିଂସାମୁକ୍ତ କରି ଶୈକ୍ଷିକ ବାତାବରଣ ପ୍ରତିଷ୍ଠା କରିବା ଦାୟିତ୍ୱ ସରକାର ଏବଂ ଶିକ୍ଷା ପ୍ରଶାସନର। ଛାତ୍ର ସଂସଦ ନିର୍ବାଚନ ଏବଂ ଛାତ୍ର ସମାଜ ଏ ଦିଗରେ ନିଜର ଭୂମିକା ପାଳନ କରିବା ପାଇଁ ସୁଯୋଗ ଦେବା ଦରକାର। କ୍ୟାମ୍ପସ୍ ମାନଙ୍କରେ ନିର୍ବାଚନ ପ୍ରଚାର ଦେଇ ଶିକ୍ଷା ସମସ୍ୟା ଜାତୀୟ ଏବଂ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଆଲୋଚନା ହେବା ଉଚିତ। ଛାତ୍ର ସମାଜ ଆମ ସମାଜ ଏବଂ ଦେଶର ଭବିଷ୍ୟତ। ଦଳ ମତ ନିର୍ବିଶେଷରେ ଛାତ୍ର ସମାଜକୁ ସରକାର ବିଶ୍ୱାସକୁ ନେବା ଉଚିତ ଏବଂ ଏହା ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା। ଗୁଣ୍ଡାମି ଏବଂ ହିଂସାକୁ ଦୃଢ଼ ଭାବେ ରୋକିବା ଆବଶ୍ୟକ। ମାତ୍ର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବା ସମସ୍ୟାର ସମାଧାନ ନୁହେଁ। ସାଧାରଣ ନିର୍ବାଚନରେ ଅର୍ଥବଳ, ହିଂସା ଏବଂ ଗୁଣ୍ଡାମୀ ଦିନକୁ ଦିନ ବୃଦ୍ଧି ପାଉଛି। ତା’ମାନେ ଆମେ କଣ ସାଧାରଣ ନିର୍ବାଚନ ବନ୍ଦ ବା ରଦ୍ଦ କରିଦେବା କି ବୋଲି ଏସ୍ .ଏଫ୍ .ଆଇ. ପ୍ରଶ୍ନ କରିଛି। ଦେଶର ରାଜନୈତିକ ଦଳ, ସାଧାରଣ ନାଗରିକ, ଗଣମାଧ୍ୟମ ଇତ୍ୟାଦି ସମସ୍ତଙ୍କ ଦାୟିତ୍ୱ ଗଣତନ୍ତ୍ରକୁ ରକ୍ଷା କରିବା। ଛାତ୍ରଛାତ୍ରୀମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ଅତଏବ ଛାତ୍ରମାନଙ୍କର ଏହି ଅଧିକାରକୁ ଖର୍ବ କରିବା ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ଏହି ଆଦେଶକୁ ପ୍ରତ୍ୟାହାର କରନ୍ତୁ ଏବଂ ସମଗ୍ର ରାଜ୍ୟରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରନ୍ତୁ। ନତୁବା ଛାତ୍ର ଅଶାନ୍ତି ପାଇଁ ସରକାର ନିଜେ ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.