Home ଓଡ଼ିଶା ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ, ଜିଲ୍ଲାପାଳଙ୍କ ଯୁଗ୍ମ ତଦନ୍ତ ନିର୍ଦ୍ଦେଶ

ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ, ଜିଲ୍ଲାପାଳଙ୍କ ଯୁଗ୍ମ ତଦନ୍ତ ନିର୍ଦ୍ଦେଶ

734

– ରେସୱା ସଂସ୍ଥା ଉପରେ ଟାଉନ ଥାନା ପୋଲିସର ଚଢାଉ, ସଂସ୍ଥା ମୁଖ୍ୟ ଫେରାର

କେନ୍ଦ୍ରାପଡା ୧୬/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମନକରପୁର ସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ “ରେସୱା”ର ମୁଖ୍ୟ ଲିଆକତ ହୁସେନ ଚାକିରି କରାଇ ଦେବା ନାମରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ହୋଇଯାଇଥିବା ଜଣାପଡଛି। ଅଭିଯୋଗ ପାଇ ଟାଉନ ଥାନା ପୋଲିସ ଏକ ଠକେଇ ମାମଲା ରୁଜୁ କରି “ରେସୱା”ର କାର୍ଯ୍ୟାଳୟ ଓ ସଂସ୍ଥାର ମୁଖ୍ୟ ଲିଆକତ ହୁସେନଙ୍କ ଘର ଉପରେ ଚଢାଉ କରିଥିଲେ ମଧ୍ୟ ସେ ଫେରାର ହୋଇଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ମନକରପୁରସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ରେସୱାର ମୁଖ୍ୟ ଲିଆକତ ହୁସେନଙ୍କ ଦ୍ୱାରା ଆୟୋଜିତ ସମନ୍ୱିତ ଜାତୀୟ ମଧୁମେହ ନିୟନ୍ତ୍ରଣ ସୁରକ୍ଷା କାର୍ଯ୍ୟକ୍ରମ ନାମରେ ସଂସ୍ଥା ଖୋଲି କେନ୍ଦ୍ରାପଡା ଜିଲ୍ଲାର ଶହ ଶହ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ବେଳେ ସେମାନଙ୍କୁ ପ୍ରତିଶୃତି ମୁତାବକ ଚାକିରୀ ଦେଇ ନଥିବା ଯୁବକ ଯୁବତୀମାନେ ବୁଧବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ସହରର ମନକରପୁର ଠାରେ ଅବସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ରେସୱାର ମୁଖ୍ୟ ପରିଚାଳକ ସେକ ଲିଆକତ ହୁସେନ ଉତ୍ତରପ୍ରଦେଶ ଲକ୍ଷ୍ନୋସ୍ଥିତ ନର୍ଥ ଇଣ୍ଡିଆନ ଏଜୁକେଶନାଲ ଟ୍ରଷ୍ଟ ସହିତ ଚୁକ୍ତି କରି ଇଂଟିଗ୍ରେଟେଡ ନ୍ୟାସନାଲ ଡାଇବେଟିସ ପ୍ରିଭେଂଟିଭ କଂଟ୍ରୋଲ ପ୍ରୋଟେକସନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାର ଶହ ଶହ ଯୁବକ ଓ ଯୁବତୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ୟୁଥ ଡାଇବେଟିକ ଏଜୁକେଟର ଭାବେ ପ୍ରଶିକ୍ଷଣ ନେଇଥିବା ଏହି ଯୁବକ ଓ ଯୁବତୀମାନଙ୍କ ଠାରୁ ଅନଲାଇନ ପରୀକ୍ଷା ଫିସ, ଫାଇନାଲ ପରୀକ୍ଷା ଫିସ ଓ ଅନ୍ୟାନ୍ୟ ଫିସ ବାବଦରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ଅର୍ଥ ନଗଦ ଏବଂ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ନିଆଯାଇଥିବା ଅଭିଯୋଗ ହୋଇଥିଲା। ପ୍ରଶିକ୍ଷଣ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଭିଯୋଗକାରୀ ଏହି ଯୁବକ ଓ ଯୁବତୀମାନଙ୍କୁ ସାରା ଓଡିଶାରେ ଡାଇବେଟିସ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ୟୁଥ ଡାଇବେଟିକ ଏଜୁକେଟର ପଦରେ ନିଯୁକ୍ତି ପ୍ରଦାନ କରାଯିବାର ପ୍ରତିଶୃତି ଦିଆଯାଇ ସେମାନଙ୍କ ଠାରୁ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଆଦାୟ କରାଯାଇଥିବାର ଅଭିଯୋଗ ହୋଇଥିଲା। ଗତ ୨୦୧୮ ମସିହା ମଇ ମାସ ୧୪ତାରିଖରେ ଫାଇନାଲ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବକ ଓ ଯୁବତୀମାନେ ବର୍ଷକ ପରେବି ଚାକିରୀ ନପାଇବାରୁ ରାଜଶ୍ରୀ ଦାସ, ପ୍ରଭାତ କୁମାର ରାଉତ, ମଧୁସ୍ମିତା ସିଂ, ଶୁଭଶ୍ରୀ କାଜଲ ବାରିକ, ଦେବସ୍ମିତା ପରିଡା, ରଶ୍ମିରେଖା ରାଉତ, ସୋନାଲି ସ୍ୱାଇଁ, ଗାୟତ୍ରୀ ସ୍ୱାଇଁ, ବିକାଶ ଚନ୍ଦ୍ର ଜେନା, ରୋଜାଲିନ ସ୍ୱାଇଁ, ଏମ.ପି.ପଣ୍ଡା, ଶୁଭଶ୍ରୀ ପଣ୍ଡା, ଗୀତାଞ୍ଜଳି ସାହୁ, ସଂଯୁକ୍ତା ସାମଲ, କିର୍ତ୍ତିରେଖା ସାହୁ, ଦେବାଶିଷ ସାହୁ, ପ୍ରିୟଙ୍କା ସ୍ୱାଇଁ, ବିବେକାନନ୍ଦ ବେହେରା ପ୍ରମୁଖ ଶତାଧିକ ଯୁବକ ଓ ଯୁବତୀମାନେ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୈାଧୁରୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ଉପଖଣ୍ଡ ପୋଲିସ ଅଧିକାରୀ ରାଜିବଲୋଚନ ପଣ୍ଡା ଓ ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ଦ୍ୱାରା ଘଟଣାର ଯୁଗ୍ମ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସେହି ଅଭିଯୋଗକାରୀଙ୍କୁ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଅଭିଯୋଗକାରୀଙ୍କ ମଧ୍ୟରୁ ବିବେକାନନ୍ଦ ବେହେରା, ନିହାରିକା ଓଝା, ରାଜଶ୍ରୀ ଦାସ, ଅବିନାସ ଜେନା ଓ ଶୁଭକାନ୍ତ ମଲ୍ଲିକ ପ୍ରମୁଖ ଟାଉନ ଥାନାରେ ସଂସ୍ଥାର ମୁଖ୍ୟ ଲିଆକତ ହୁସେନ, ଭାବଗ୍ରାହୀ ପ୍ରଧାନ, ଏନ.ଆଇ.ଇ.ଟି.ର ସଂଯୋଜକ ସବିନା ସିଦ୍ଦିକ ଏବଂ ମହମ୍ମଦ ଅଲ୍ଲୀଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ। ସେଏହି ଅଭିଯୋଗକୁ ଆଧାର କରି ଟାଉନ ଥାନା ପୋଲିସ ପକ୍ଷରୁ ରେସୱା ସ୍ୱେଛାସେବୀ ସଂସ୍ଥାର ମନକରପୁରସ୍ଥିତ କାର୍ଯ୍ୟାଳୟ ଓ ସଂସ୍ଥାର ମୁଖ୍ୟ ଲିଆକତ ହୁସେନଙ୍କ ଘର ଉପରେ ଚଢାଉ କରାଯାଇଥିଲା। କିନ୍ତୁ ସେ ଫେରାର ହୋଇଯିବାରୁ ତାଙ୍କୁ ଗିରଫ କରାଯାଇପାରି ନଥିବା ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି। ଏତଦ ବ୍ୟତିତ ବୁଧବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗକାରୀମାନେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରିବା ପରେ ସେ ଟାଉନ ଥାନା ଅଧିକାରୀ ଦେବାଶିଷ ମିଶଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦେଶ ଦେଇଥିଲେ। ସଂସ୍ଥାର ମାଲିକ ସେକ ଲିଆକତ ଫେରାର ହୋଇଯାଇଥିବା ବେଳେ ଟାଉନ ଥାନା ପୋଲିସ ରେସୱା କାର୍ଯ୍ୟାଳୟର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହିତ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ନିରପେକ୍ଷ ତଦନ୍ତ କରାଗଲେ ସଂପୃକ୍ତ ସଂସ୍ଥାର ଆହୁରି ଅନେକ କଳାକାରନାମା ଧରାପଡିବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି। କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ରାଜ୍ୟର ସୁନ୍ଦରଗଡ, ବଲାଙ୍ଗିର, ନବରଙ୍ଗପୁର, ବାଲେଶ୍ୱର ଭଳି ଜିଲ୍ଲାର ବିଭିନ୍ନ ଥାନାରେ ଏଭଳି ଠକେଇ ଅଭିଯୋଗ ସେହି ସଂସ୍ଥା ବିରୋଧରେ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.