Home ଓଡ଼ିଶା ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ

ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ

955

– ସିସିଏସ ପେନସନ ନିୟମାବଳୀ, ୧୯୭୨ରେ ସଂଶୋଧନ
– ୧ ଅକ୍ଟୋବର, ୨୦୧୯ରୁ ଲାଗୁ ହେବ ନୂଆ ନିୟମ

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ। ସରକାରୀ ଚାକିରିରେ ସର୍ବନିମ୍ନ ୭ ବର୍ଷ ପୂରଣ କରିଥିଲେ ପାରିବାରିକ ପେନସନ ଶେଷ ଦରମାର ୫୦% ବର୍ଦ୍ଧିତ ଦରରେ ୧୦ ବର୍ଷର ଅବଧି ଲାଗି ଦିଆଯାଇଥାଏ; ଏହାପରେ ପାରିବାରିକ ପେନସନ ଶେଷ ଦରମାର ୩୦% ହାରରେ ପ୍ରଦାନ କରାଯାଇଥାଏ। ତେବେ ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତା’ହେଲେ ତାଙ୍କ ପରିବାରକୁ ୩୦% ହାରରେ ପାରିବାରିକ ପେନସନ ମିଳିଥାଏ। ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି।

ତେବେ କେନ୍ଦ୍ର ସରକାର ଏହା ହୃଦବୋଧ କରିଛନ୍ତି ଯେ ପ୍ରାରମ୍ଭିକ କାର୍ଯ୍ୟକାଳ ସମୟରେ ସରକାରୀ କର୍ମଚାରୀଙ୍କ ଦରମା କମ ହୋଇଥିବା କାରଣରୁ ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ବର୍ଦ୍ଧିତ ହାରରେ ପାରିବାରିକ ପେନସନ ପ୍ରଦାନ କରାଯିବାର ଅଧିକ ଆବଶ୍ୟକତା ରହିଛି। ତେଣୁ ସରକାର କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ରେ ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତରେ ୧୯ ସେପ୍ଟେମ୍ବର, ୨୦୧୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସଂଶୋଧିତ ନିୟମ ୫୪ ଅନୁଯାୟୀ, ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ୧୦ ବର୍ଷର ଅବଧି ଲାଗି ଶେଷ ଦରମାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇପାରିବେ।

ଉପରୋକ୍ତ ସଂଶୋଧନ ୧ ଅକ୍ଟୋବର, ୨୦୧୯ରୁ ଲାଗୁ ହେବ। ତେବେ ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରିନପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷ ଲାଗି ବର୍ଦ୍ଧିତ ହାତରେ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ସୁବିଧା ସେମାନେ ୧ ଅକ୍ଟୋବର, ୨୦୧୯ ଠାରୁ ପାଇବେ।

ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ସୁବିଧାର ଲାଭ ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.