Home ଓଡ଼ିଶା “ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

“ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

166

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟିକୁ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ଶ୍ରୀ ରବିଦତ ବାଜପେୟୀ ଲେଖିଛନ୍ତି। ସଂସଦ ପାଠାଗାର ପରିସରସ୍ଥିତ ବାଲଯୋଗୀ ପ୍ରେକ୍ଷାଳୟରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଏହି ପୁସ୍ତକର ପ୍ରଥମ କପି ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ. ଭୈଙ୍କେୟା ନାଇଡ଼ୁଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ରାଜନୈତିକ ପରିଦୃଶ୍ୟରେ, ଏହା ଉଲ୍ଲେଖନୀୟ ଯେ ଦେହାନ୍ତର ୧୨ ବର୍ଷ ପରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ବିଚାର ଆମର ମାର୍ଗଦର୍ଶନ କରିବା ସହିତ ସବୁଦିନ ପାଇଁ ପ୍ରାସଙ୍ଗିକ ହୋଇ ରହିଛି।

ଏହି ପୁସ୍ତକ ଲେଖିବା ପାଇଁ ଶ୍ରୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖରଙ୍କ ସହିତ ତାଙ୍କର ସାକ୍ଷାତର ସ୍ମୃତି ଏବଂ ଅନୁଭୂତି ବଖାଣିଥିଲେ।

୧୯୭୭ରେ ଚନ୍ଦ୍ର ଶେଖରଙ୍କୁ ପ୍ରଥମ ଥର ଭେଟିଥିବା ସେ ମନେ ପକାଇଥିଲେ। ସେ କହିଥିଲେ ଯେ ପୂର୍ବତନ ଉପରାଷ୍ଟ୍ରପତି ଭୈରୋଁ ସିଂ ଶେଖାୱତଙ୍କ ସହିତ ଯାତ୍ରା କରୁଥିବା ସମୟରେ ସେ ଶ୍ରୀ ଚନ୍ଦ୍ର ଶେଖରଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭେଟିଥିଲେ। ଭିନ୍ନ ଭିନ୍ନ ରାଜନୈତିକ ବିଚାରଧାରା ସତ୍ୱେ ଦୁଇ ନେତାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଶ୍ରୀ ଚନ୍ଦ୍ର ଶେଖର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ “ଗୁରୁ ଜୀ” ବୋଲି ସମ୍ବୋଧନ କରୁଥିଲେ। ଚନ୍ଦ୍ର ଶେଖର ଜଣେ ସଂସ୍କାରୀ ଓ ନୀତିବାନ ବ୍ୟକ୍ତି ଥିଲେ, କେତେକ କ୍ଷେତ୍ରରେ ମତପାର୍ଥକ୍ୟ ହେଲେ, ତାଙ୍କ ସମୟର ସବୁଠୁ ପ୍ରଭାବଶାଳୀ ରାଜନୈତିକ ଦଳକୁ ବିରୋଧ କରିବା ଲାଗି ସେ ପଛାଉନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋହନ ଧରିଆ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ଭଳି ନେତାଙ୍କ ଠାରୁ ଚନ୍ଦ୍ର ଶେଖରଙ୍କ ବିଷୟରେ ଅନେକ ପ୍ରଶଂସା ଶୁଣିଥିବା ସେ କହିଥିଲେ।

ଚନ୍ଦ୍ର ଶେଖରଙ୍କ ସହିତ ଶେଷ ସାକ୍ଷାତ ବିଷୟରେ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଥିଲେ। ସେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅସୁସ୍ଥ ଥିବା ସମୟରେ ତାଙ୍କୁ ଫୋନ କରିଥିଲେ ଏବଂ କେବେ ଦିଲ୍ଲୀ ଆସିଲେ ତାଙ୍କୁ ସାକ୍ଷାତ କରିବା ଲାଗି କହିଥିଲେ। ଏହି ଆଲୋଚନା ସମୟରେ ଚନ୍ଦ୍ର ଶେଖର ଗୁଜରାଟର ବିକାଶ ବିଷୟରେ ଜାଣିବାକୁ ଯାଇଥିଲେ ଏବଂ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥିଲେ।

ତାଙ୍କର ବୈଚାରିକ ସ୍ପଷ୍ଟତା, ଲୋକମାନଙ୍କ ପ୍ରତି ପ୍ରତିବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମର୍ପଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

କୃଷକ, ଗରିବ ଏବଂ ବଂଚିତଙ୍କ ଲାଗି ଶ୍ରୀ ଚନ୍ଦ୍ର ଶେଖରଙ୍କ ଦ୍ୱାରା ଆୟୋଜିତ ଐତିହାସିକ ପଦଯାତ୍ରା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସମୟରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ବିଫଳ ହେବା ଦୁର୍ଭାଗ୍ୟଜନକ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଡ. ଆମ୍ବେଦକର ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ମହାନ ଭାରତୀୟ ନେତାଙ୍କ ସମ୍ପର୍କରେ ପ୍ରତିକୂଳ ଛବି ସୃଷ୍ଟି କରିବାର ପ୍ରୟାସ କରିଥିଲେ। ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏକ ସଂଗ୍ରହାଳୟ ଦିଲ୍ଲୀରେ ପ୍ରତିଷ୍ଠା କରାଯିବ ବୋଲି ସେ ଜୋର ଦେଇ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଜୀବନ ଏବଂ ଉକ୍ରୃଷ୍ଟ କାର୍ଯ୍ୟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେବା ଲାଗି ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିଜନମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଦେଶକୁ ରାଜନୈତିକ ଅସ୍ପୃଶ୍ୟତା ଠାରୁ ଊଦ୍ଧ୍ୱର୍କୁ ଯାଇ ଏକ ନୂତନ ରାଜନୈତିକ ସଂସ୍କୃତି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି।

ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଶ୍ରୀ ଗୁଲାମ ନବୀ ଆଜାଦ୍ ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.