Home ଓଡ଼ିଶା ଲୋକସଭାରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ, ୨୦୧୯ ପାରିତ

ଲୋକସଭାରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ, ୨୦୧୯ ପାରିତ

87

– ଆତଙ୍କବାଦର ମୂଳୋତ୍ପାଟନ ଲାଗି କଠୋର ଆଇନ ଜରୁରି : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
– ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଏନଆଇଏ ଡିଜିଙ୍କୁ ସମ୍ପତି ବାଜ୍ୟାପ୍ତି କରିବା କ୍ଷମତା ପ୍ରଦାନ କରିବାକୁ ପ୍ରସ୍ତାବ
– ଆତଙ୍କବାଦ ମାମଲାର ତଦନ୍ତ ଆରମ୍ଭ କରିବା ଲାଗି ରାଜ୍ୟ ସରକାରଙ୍କ ଠାରୁ ଏନଆଇଏକୁ ଅନୁମତି ଆଣିବାକୁ ପଡିବନି

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ଲୋକସଭାରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ, ୨୦୧୯ ଆଜି ପାରିତ ହୋଇଛି। ବିଲ୍ ସମ୍ପର୍କରେ ମତବ୍ୟକ୍ତ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ କରାଯିବା ଜରୁରି। ଏ କ୍ଷେତ୍ରରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏକ କଠୋର ଆଇନର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗର ଜରୁରି ଆବଶ୍ୟକତାକୁ ସମସ୍ତେ ବୁଝିବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ ଆଇନରେ ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ସହ ଜଡ଼ିତ ଅପରାଧଗୁଡ଼ିକର ତ୍ୱରିତ ଯାଂଚ ଓ ବିଚାର ସୁବିଧା ପ୍ରଦାନ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିକୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିବାର ବ୍ୟବସ୍ଥା କରିବା।

ଆତଙ୍କବାଦକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ। ଆତଙ୍କବାଦର ମୁକାବିଲା କରିବା ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆତଙ୍କବାଦୀଙ୍କ ଠାରୁ ୪ ପାଦ ଆଗରେ ରଖିବା ଲାଗି ଏକ କଠୋର ଆଇନ ଲାଗୁ କରାଯିବାକୁ ସମସ୍ତ ସଦସ୍ୟ ରାଜନୈତିକ ବିଚାର ଠାରୁ ଊଦ୍ଧ୍ୱର୍କୁ ଯାଇ ସମର୍ଥନ କରିବା ଆବଶ୍ୟକ ବୋଳି ଶ୍ରୀ ଶାହ କହିଥିଲେ।

ମନ୍ତ୍ରୀ ଆହୁରି କହିଥିଲେ ଯେ ମୂଳ ଆଇନ ୧୯୬୭ରେ ପ୍ରଣୟନ କରାଯାଇଥିଲା। ଏହାପରେ ସମସ୍ତ ସଂଶୋଧନ କରାଯାଇଥିଲା, ଏ ସରକାର ସେତେବେଳେ କ୍ଷମତାରେ ନଥିଲେ। ଆମେ ଯେଉଁଠି ଥାଉ, ସରକାରରେ ଥାଉ କିମ୍ବା ନଥାଉ, ଆତଙ୍କବାଦର ମୂଳୋତ୍ପାଟନ ପ୍ରତି ଆମେ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ରହିଛୁ ବୋଲି ସେ କହିଥିଲେ।

ଶ୍ରୀ ଶାହା କହିଥିଲେ ଯେ ଏହି ବିଲକୁ କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପବ୍ୟବହାର କରାଯିବ ନାହିଁ। ତେବେ ସହରୀ ମାଓବାଦୀଙ୍କ ସମେତ ଯେଉଁମାନେ ଭାରତର ନିରାପତା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବା ଭଳି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଗିରଫ ଏବଂ ଜାମିନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେଣୁ କୌଣସି ବ୍ୟକ୍ତିର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିବା ଶ୍ରୀ ଶାହ ସୂଚନା ଦେଇଥିଲେ। ଆହୁରି ପ୍ରମାଣର ଚାପ ଅଭିଯୁକ୍ତ ନୁହେଁ ବରଂ ତଦନ୍ତକାରୀ ଏଜେନ୍ସି ଉପରେ ରହିବ। ଏହି ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହୋଇନାହିଁ ବୋଲି ମନ୍ତ୍ରୀ କହିଥିଲେ।

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସମ୍ପତି ବାଜ୍ୟାପ୍ତି କରିବାର କ୍ଷମତା ଏନଆଇଏ ଡିଜିଙ୍କୁ ପ୍ରଦାନ କରାଯିବା ପ୍ରସ୍ତାବକୁ ସମର୍ଥନ କରି ଶ୍ରୀ ଶାହ କହିଥିଲେ ଯେ ବାସ୍ତବ କ୍ଷେତ୍ରରେ ଲାଗୁ ହୋଇପାରିଲେ ହିଁ କଠୋର ଆଇନ ଫଳପ୍ରଦ ହୋଇଥାଏ। ବର୍ତମାନର ବ୍ୟବସ୍ଥା ଅନୁଯାୟୀ, ଆତଙ୍କବାଦ ମାମଲାର ତଦନ୍ତ ଆରମ୍ଭ କରିବା ଲାଗି ଏନଆଇଏକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ୁଥିଲା। ଯାହା ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରୁଥିଲା।

ଆତଙ୍କବାଦ ଘଟଣାର ତଦନ୍ତ ସମୟରେ ସମ୍ପତି ବାଜ୍ୟାପ୍ତି କରିବାର କ୍ଷମତା ତଦନ୍ତକୁ ତ୍ୱରାନ୍ୱିତ କରିବା ଲାଗି ନିଆଯାଇଛି। ଏହା ସଂଘୀୟ ନୀତି ବିରୋଧରେ ନୁହେଁ ବୋଲି ମନ୍ତ୍ରୀ କହିଥିଲେ।

ବ୍ୟକ୍ତିର ମାନସିକତାରେ ହିଁ ଆତଙ୍କବାଦ ରହିଛି। ଏଥିପାଇଁ କୌଣସି ସଂଗଠନ ଦାୟୀ ନୁହେଁ। ତେଣୁ ପ୍ରଥମରୁ ଜଣେ ବ୍ୟକ୍ତିକୁ ଯଦି ଅନ୍ୟମାନଙ୍କୁ ଆତଙ୍କବାଦ ଲାଗି ପ୍ରବର୍ତାଇବା ନିମନ୍ତେ ବୈଚାରିକ ଓ ଆର୍ଥିକ ସହାୟତା ପ୍ରଦାନ କରିବାରୁ ରୋକଯାଇପାରେ ତା’ହେଲେ ଆତଙ୍କବାଦର ମୂଳୋତ୍ପାଟନ ସମ୍ଭବ ହୋଇପାରିବ। ତେଣୁ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟାରେ ଜଣେ ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିବା ଆତଙ୍କବାଦ ନିରାକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.