Home Top News କର୍ତ୍ତବ୍ୟ

କର୍ତ୍ତବ୍ୟ

134

ସାଧୁ ଯେଉଁଆଡେ ଗ୍ରସ୍ତ କରନ୍ତି ଶିଷ୍ୟ ଜଣକ ତାଙ୍କ ସାଥିରେ ଥାଆନ୍ତି। ଦିନେ ସେମାନେ ଏକ କାର୍ଯ୍ୟକ୍ରମ ସାରି ନଦୀକୂଳରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଇଥାଏ। ନଦୀ ପାର ହେବା ପାଇଁ ଡଙ୍ଗାରେ କିଛି ସମୟ ବସିଲା ପରେ, ଆକାଶରେ ମେଘ ଘୋଟି ଆସିଲା, ଝଡ଼ ପବନ ବି ଆରମ୍ଭ ହୋଇଗଲା। ଝଡ଼ ପବନ, ବର୍ଷା ପୁଣି ଅନ୍ଧାର ଅତି ଭୟଙ୍କର ରୂପ ଧାରଣ କଲା। ଶିଷ୍ୟ ଜଣକ ଭୟଭୀତ ହୋଇ ସାଧୁଙ୍କ ଶରଣାପନ୍ନ ହୋଇ କହିଲେ, ଗୁରୁଦେବ ମତେ ବହୁତ ଭୟ ଲାଗୁଛି, ଏ ବିପଦରୁ କେମିତି ମୁକ୍ତି ମିଳିବ ? ସାଧୁ କହିଲେ ଈଶ୍ୱରଙ୍କୁ ପ୍ରାର୍ଥନା କର, ସେ ହିଁ ଏକମାତ୍ର ଭରସା। କ୍ରମଶଃ ଝଡ ଭୟଙ୍କର ରୁପ ନେଲା, ପବନରେ ଡଙ୍ଗା ଦୋହଲିବାକୁ ଲାଗିଲା। ସାଧୁ ନୀରବରେ ପ୍ରାର୍ଥନା କରୁଥାନ୍ତି। ଶିଷ୍ୟ ଭୟଭୀତ ହୋଇ ଈଶ୍ୱରଙ୍କୁ ଡ଼ାକୁଥାନ୍ତି। ନାବିକ ଜଣକ ଡଙ୍ଗାରେ ପଶୁଥିବା ପାଣିକୁ ବାହାର କରି ଡଙ୍ଗାକୁ ସଳଖି ରଖିବାକୁ ଚେଷ୍ଟା କରୁଥାଆନ୍ତି। ଧିରେ ଧିରେ ବର୍ଷା ପବନ ଛାଡ଼ିଗଲା, ଡଙ୍ଗା କୂଳରେ ଲାଗିଲା, ସାଧୁ ଓ ଶିଷ୍ୟ ନିଜ ଆଶ୍ରମକୁ ଗଲେ। ଆଶ୍ରମରେ ପହଞ୍ଚି ଶିଷ୍ୟ ସାଧୁଙ୍କୁ କହିଲେ, ଗୁରୁଦେବ ! ମୁଁ ଆଜି ଈଶ୍ୱରଙ୍କ ଚମତ୍କାରିତାକୁ ଅନୁଭବ କରି ପାରିଲି, ସେ ଆମକୁ ରକ୍ଷା କରିଦେଲେ। କିନ୍ତୁ ସେହି ପରିସ୍ଥିତିରେ ଆମେ ତିନିଜଣ ଭିନ୍ନ ଭିନ୍ନ ମାର୍ଗରେ କାର୍ଯ୍ୟ କରୁଥିଲେ। ତେବେ କିଏ ନିଜର ପ୍ରକୃତ କର୍ତ୍ତବ୍ୟ କରୁଥିଲା ? ସାଧୁ କହିଲେ ସେହି ସମୟରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରି କହୁଥିଲି, ପ୍ରଭୁ ଏହି ବର୍ଷାପବନ କୌଣସି ମଣିଷ, ପଶୁପକ୍ଷୀ ଓ କୀଟପତଙ୍ଗ କାହାରି ଯେମିତି କ୍ଷତି ନକରୁ, ଯାହା ଜଣେ ସାଧୁର କର୍ତ୍ତବ୍ୟ ଥିଲା। ତମେ ନିଜର ସୁରକ୍ଷା ନେଇ ଚିନ୍ତା କରୁଥିଲ, ଯାହା ଜଣେ ସାଧାରଣ ମଣିଷର କର୍ତ୍ତବ୍ୟ। ଆମ ଦୁଇ ଜଣକୁ ବଞ୍ଚାଇବା ପାଇଁ ନାବିକ ତା’ର କର୍ତ୍ତବ୍ୟ କରୁଥିଲା। ତେଣୁ ଆମେ ସମସ୍ତେ ନିଜ ନିଜର କର୍ତ୍ତବ୍ୟକୁ ଠିକ୍ ଭାବେ କରୁଥିଲେ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.