Home ଓଡ଼ିଶା କ’ଣ କରିଦେଲା ଫନି ! ସବୁ ଛାରଖାର… – କେଉଁଠି କ’ଣ କ୍ଷତି ହୋଇଛି ସଂକ୍ଷେପରେ...

କ’ଣ କରିଦେଲା ଫନି ! ସବୁ ଛାରଖାର… – କେଉଁଠି କ’ଣ କ୍ଷତି ହୋଇଛି ସଂକ୍ଷେପରେ ପୁରୀ ଖବର

1031

ପୁରୀ ୫-୫ (ଓଡ଼ିଆ ପୁଅ) : କେଇ ଘଣ୍ଟାର ପ୍ରଳୟ ଶ୍ରୀକ୍ଷେତ୍ରକୁ ଛାରଖାର କରିଦେଲା। ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ବାସଗୃହ, କ୍ୟାବିନ୍ ଠୁ ସ୍ଥାୟୀ ଦୋକାନ ସବୁ କିଛି ଭାଙ୍ଗିରୁଜିଯାଇଛି। ଉପୁଡ଼ି ଯାଇଛି ବଡ଼ ବଡ଼ ମହାବୃକ୍ଷ। ବିଜୁଳି ଭିତ୍ତିଭୂମି ସବୁ ନଷ୍ଟ ହୋଇ କ୍ଷତିଗ୍ରସ୍ତ। ମୋବାଇଲ୍ ସଂଯୋଗ ନାହିଁ, ପିଇବା ପାଣି ନାହିଁ, ବିଜୁଳି ନାହିଁ। ଦୋକାନ ବଜାର ବନ୍ଦ। ସବୁ ଅନ୍ଧାର। ଖାଇବାକୁ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି ଶ୍ରୀକ୍ଷେତ୍ର। ବାଲୁଖଣ୍ଡରେ ଅଭୟାରଣ୍ୟରେ ଶତାଧିକ ହରିଣ ମରି ପଡ଼ିଛନ୍ତି।

ସେ ଦିନ ଥିଲା ଶୁକ୍ରବାର ସକାଳ ପ୍ରାୟ ପ୍ରାୟ ୮ଟା, ମାଡ଼ି ଆସିଲା ପବନ ବିକଟାଳ ରଡ଼ିକରି। ଥରେଇ ଦେଲା ଛାତି। ଡରେଇ ଦେଲା ସମସ୍ତଙ୍କୁ। ଯିଏ ଜୁଆଡ଼େ ଭୟରେ ଭଗବାନଙ୍କୁ ଡାକିବା ଛଡ଼ା ଆଉ କିଛି କରିପାରୁନଥାନ୍ତି। କରିବେ ବା କ’ଣ? ଏହାତ ପ୍ରକୃତିର ତାଣ୍ଡବ ଲୀଳା। ସମୁଦ୍ର ପାଣି ମାଡ଼ି ଆସିଲା ରାସ୍ତାକୁ। ଆକାଶରେ ଖାଲି ବାଲିର ଝଡ଼। ବର୍ଷାର ମାଡ଼। କାହାକୁ ବି ଛିକ୍ ରେ ଠିଆ କରେଇ ଦେଉନଥିଲା। ସବୁ କିଛି ଦିଶୁଥିଲା ଧୂସର। କୂଳ ଲଙ୍ଘୁଥିଲା ସମୁଦ୍ର। ଜୁଆରରେ ଗର୍ଜନ କରୁଥିଲା ସମୁଦ୍ର। ସତେ ଯେମିତି ବିନାସକାରୀ, ଧ୍ୱଂସମୁଖୀ ଥିଲା ସେହି ମୂହୂର୍ତ୍ତ। ଆତଙ୍କିତ ଥିଲେ ଲେକେ। ଡରୁଥିଲେ କିନ୍ତୁ କରିବେ ବା କ’ଣ ସାହସ ଦେଖାଇ ଭଗବାନଙ୍କ ଆଶ୍ରାରେ ଥିଲେ ସମସ୍ତେ।

ପବନର ବେଗ ବଢ଼ୁଥାଏ। ଘଣ୍ଟା ପ୍ରତି ୬୦/୭୦ରୁ ୧୭୫ କିଲୋମିଟର ବେଗରେ ବହିବା ଆରମ୍ଭ କଲା। ସମୟ ଯେମିତି ୯ଟା ହେଲା ଆରମ୍ଭ ହେଲା ଆହୁରି ଗର୍ଜନ। ସମୁଦ୍ର ରୂପ ଥିଲା ଅତ୍ୟନ୍ତ ଭୟଙ୍କର। ପ୍ରାୟ ୧୦ଟା ବେଳକୁ ପବନର ବେଗ ୨୦୦ କିଲୋମିଟର ଛୁଇଁଲା। ଜୁଆର ଅସମ୍ଭାଳ ସ୍ଥିତିରେ। ସମୁଦ୍ର ମାଡ଼ି ଆସୁଥାଏ। ଆରମ୍ଭ ହେଲା ବର୍ଷା। ଲୋକେ ଘରର କବାଟ କିଳି ଭିତରେ। ସେହି ଜଗନ୍ନାଥଙ୍କର ଭରସାରେ ଥିଲେ ପୁରୀ ବାସୀ।

ଭୟଙ୍କର ଶବ୍ଦ … କେଉଁଠି କାଚ ଭାଙ୍ଗୁଥାଏ ତ ଆଉ କେଉଁଠି ଦୁଆର ଝରକା ଭାଙ୍ଗି ଉଡ଼ି ଯାଉଥାଏ। କେଉଁଠି ଦୋକାନର ସାଇନ୍ ବୋର୍ଡ ଉଡ଼ି ଯାଉଥାଏ ତ ଆଉ କେଉଁଠି ଘରର ଛପର। କେଉଁଠି ଘରର ଆଜବେଷ୍ଟସ୍ ଉଡ଼ୁଥିଲା ତ କେଉଁଠି ଗଛ ଘର ଉପରେ ପଡ଼ି ଘର ଭାଙ୍ଗୁଥିଲା। ସେଦିନ ଦୀପାବଳୀ ନଥିଲା। କିନ୍ତୁ ଦୀପାବଳୀର ବାଣ ଫୁଟିବା ପରି ବିକଟାଳ ରଡ଼ି ଏବଂ ଫୋପଡ଼ା ଫିଙ୍ଗାର ଶବ୍ଦ ପରି ଭୟଙ୍କର ଶବ୍ଦ ଶୁଭୁଥିଲା। ଦିନ ୧୨ଟା ବେଳକୁ ପବନ କମିଲା। କିନ୍ତୁ ସେତେବେଳକୁ ସବୁ ଉଜୁଡି ଯାଇଥଲା ଶ୍ରୀକ୍ଷେତ୍ର। କେହି ବି ସ୍ୱପ୍ନରେ ସୁଦ୍ଧା ଏପରି ହୋଇପାରେ ବୋଲି କଳନା କରିପାରିନଥିଲେ। ଛୋଟ ଛୋଟ ବ୍ୟବସାୟୀଙ୍କର ଉଜୁଡ଼ି ଯାଇଥିଲା ସମସ୍ତ କାରୋବାରର ଛୋଟ ସଂସାର। ଉଡ଼ିଯାଇଥିଲା ଅନେକ ଚାଳଘର, ଆଜବେଷ୍ଟସ୍ ଘର। ଅନେକଙ୍କ ଘରେ ନଷ୍ଟ ହୋଇଯାଇଥିଲା ସମସ୍ତ ଆସବାବପତ୍ର। ସମୟ ଲାଗିବ, ଏହା ସହିତ ଅର୍ଥ ମଧ୍ୟ ଖର୍ଚ୍ଚହେବ ଅଣ୍ଟା ସଳଖିବାକୁ। ଭାଙ୍ଗିଯାଇଛି ପୁରୀବାସୀଙ୍କ ମେରୁଦଣ୍ଡ। ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଥିଲା। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକଙ୍କର ବାସ ସ୍ଥାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏମାନେ ସମସ୍ତେ ମତ୍ସଜୀବୀ। ଏବେ ସେମାନେ କରିବେ କ’ଣ?

ଶ୍ରୀମନ୍ଦିରରେ ଫନିର ପ୍ରଭାବ: ବଡ଼ ଦେଉଳ ଭିତରେ ବି ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ବେଶ ତାଣ୍ଡବ ରଚିଯାଇଛି। ପ୍ରଥମେ ଉଡ଼ାଇଦେଲା ପତିତପାବନ ବାନା।  କଳ୍ପ ବଟ ଭାଙ୍ଗିଛି। ସିଂହଦ୍ବାରର ଜୟବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ଗଳି ପଡ଼ିଛି। ଲୁହାଭାରା ଉପୁଡ଼ି ପଡ଼ିଛି। ଏହାଫଳରେ ଅନେକ କାରୁକାର୍ଯ୍ୟ ନଷ୍ଟ ହୋଇଛି। ଏହାକୁ ସଫା କରିବା ପାଇଁ ମନ୍ଦିର ପ୍ରଶାସନ ଏବଂ କର୍ମଚାରୀମାନେ ଲାଗିପଡ଼ିଛନ୍ତି। ସଫେଇ କାର୍ଯ୍ୟ ଚାଲିଥିବାରୁ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା। ଶ୍ରୀମନ୍ଦିର ଭିତରେ ଥିବା ବ୍ୟାରିକେଡ୍‌ ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଛି। ସେଗୁଡ଼ିକୁ ସଜାଡ଼ିବା ସହ ଲୁହାଭାରା ଓ ଗଛ ଡାଳ ସଫା କରିବାରେ ଶ୍ରୀମନ୍ଦିର ପ୍ରଶାସନ ଲାଗିପଡ଼ିଛି। କେବଳ ସେତିକି ନୁହେଁ ଠାକୁରଙ୍କ ନୀତିକାନ୍ତି ହୋଇଥିଲା ପ୍ରଭାବିତ। କୋଇଲି ବୈକୁଣ୍ଠର ସବୁଜିମା ଉଜୁଡ଼ିଯାଇଛି। ମନ୍ଦିର ଭିତରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ତୁଳସୀ ବଗିଚା, ଫୁଲ ବଗିଚା ଛାରଖାର୍‌ ହୋଇଯାଇଛି। ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ମନ୍ଦିର କାର୍ଯ୍ୟାଳୟ ବି ଫନି ଦ୍ବାରା ପ୍ରଭାବିତ ହୋଇଛି।
ଭାଙ୍ଗିଛି କଳ୍ପବଟ। କଳ୍ପବଟର ଅନେକ ଶାଖାକୁ ଭାଙ୍ଗି ଯାଇଛି, ଛିଣ୍ଡି ଯାଇଛି ହଜାର ହଜାର ଭକ୍ତ ବାନ୍ଧିଥିବା ମାନସିକ ଡୋରି।
ଏବେ ବି ଫସି ରହିଚନ୍ତି ଶହଶହ ପର୍ଯ୍ୟଟକ ବୋକ ଉପାସରେ ପଡ଼ିରହିଛନ୍ତି, କୌଣସି କାରଣ ବଶତଃ ଯାଇପାରିନଥିଲେ ଏବେ ଯିବାକୁ ପାଉନାହାନ୍ତି ରାସ୍ତା। ଏବେ ସେମାନେ କରିବେ କ’ଣ ଚିନ୍ତାରେ ସେମାନେ।

ବିଜୁଳି ନାହିଁ। ସବୁଠି କିଟିକିଟି ଅନ୍ଧାର। ପୁରୀର ଶକ୍ତି ବିତ୍ତିଭୂମି ଛାରଖାର। ଶକ୍ତି ଭିତ୍ତି ଭୂମିକୁ ସଜାଡ଼ିବା ପାଇଁ ୧୨୦୦ କୋଟିର ଆବଶ୍ୟକତା କହିଛି। କୁହାଯାଉଛିଯେ, ଆସନ୍ତା ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ପୁରୀକୁ ବିଜୁଳି ମିଳିବା କଷ୍ଟକର ହେବ। ବିଜୁଳି ପାଇଁ ସେସୁ, ଫେଡକୋ ଲାଗିଛନ୍ତି। ମାତ୍ର ଏପର୍ଯ୍ୟନ୍ତ କିଠି ଠିକ ହୋଇପାରୁନାହିଁ। ସମଗ୍ର ପୁରୀ ଜିଲ୍ଲାରେ ବିଜୁଳି ସେବା ଠପ୍ ହୋଇଯାଇଛି। ପୁରୀର ପ୍ରତି ସାହି ଗଳିର ବିଜୁଳି ତାର ତଳେ ଗଡ଼ୁଛି। ଖୁଣ୍ଟି ସୋଇପଡ଼ିଛି। ଚେଲିପୋନ୍ ଟାୱାର ଭାଙ୍ଗି ନଷ୍ଟ ହୋଇଯାଇଛି। ଏସବୁକୁ ସଜାଡ଼ିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ସେଥିପାଇଁ ଆହୁରୀ କିଛି ଦିନ ଲାଗିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.