Home ଓଡ଼ିଶା ଉଚ୍ଚସ୍ତରୀୟ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଉଚ୍ଚସ୍ତରୀୟ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

872

– ଓଡ଼ିଶା ସମେତ ୪ଟି ରାଜ୍ୟକୁ ଯୋଜନାରେ ସାମିଲ ପାଇଁ ନିଆଯାଉଛି ପଦକ୍ଷେପ
– ରାଜ୍ୟ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସମିଶ୍ରଣ ଉପରେ ଗୁରୁତ୍ୱ

ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଆୟୁଷ୍ମାନ ଭାରତର ଦୁଇଟି ସ୍ତମ୍ଭ ମଧ୍ୟରେ ନିରନ୍ତର ସମନ୍ୱୟର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ) ସମେତ ଆୟୁଷ୍ମାନ ଭାରତର କାର୍ଯ୍ୟାନ୍ୱୟନରେ ହୋଇଥିବା ପ୍ରଗତି ସମୀକ୍ଷା କରିବା ଅବସରରେ ସେ ଏହା କହିଥିଲେ। ଦେଶର ସବୁଠୁ ଗରିବ ଏବଂ ସର୍ବାଧିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ପରିକଳ୍ପନା କରିଥିବା ସେ କହିଥିଲେ।

ଦେଶର ୩୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ପିଏମ-ଜେଏୱାଇ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ(ଏନଏଚଏ)ଙ୍କ ସହିତ ୩୨ଟି ରାଜ୍ୟ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିସାରିଲେଣି। ଓଡ଼ିଶା ବ୍ୟତୀତ ବାକି ରହିଥିବା ଅନ୍ୟ ୩ ରାଜ୍ୟ- ତେଲଙ୍ଗାନା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗକୁ ଏହି ଯୋଜନାରେ ସାମିଲ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏହି ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଉପରୋକ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଉପରୋକ୍ତ ୪ଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ଏବଂ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟବୀମାର ସୁବିଧା ଦେବା ଲାଗି ଅନୁରୋଧ କରାଯାଇଛି। ରାଜ୍ୟ ଯୋଜନା ସହିତ ମିଶ୍ରଣ କରାଯାଇ ଗୋଟିଏ ଯୋଜନା କାର୍ଯ୍ୟକାରୀ କରିବାର ସବୁପ୍ରକାର ସୁବିଧା ଦେବା ନିମନ୍ତେ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବା ଲାଗି ଡ. ହର୍ଷ ବର୍ଦ୍ଧନ ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

ଏହି ବୈଠକରେ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଏହି ଯୋଜନାରେ ଦୁର୍ନୀତି ଏବଂ ଜାଲିଆତିକୁ ପ୍ରଶ୍ରୟ ଦିଆଯିବ ନାହିଁ। କୌଣସି ପ୍ରକାରର ଦୁର୍ନୀତି ଏବଂ ଅନିୟମିତତା କ୍ଷେତ୍ରରେ ଶୂନ୍ୟ-ସହନଶୀଳତା ନୀତି ଗ୍ରହଣ କରାଯିବ। ବର୍ତମାନ ସାମାଜିକ-ଅର୍ଥନୈତିକ ଏବଂ ଜାତି ଆଧାରିତ ଜନଗଣନା ୨୦୧୧ ଅନୁଯାୟୀ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାକୁ ଆହୁରି ଅଧିକ ସମାବେଶୀ କରିବା ଲାଗି ପ୍ରୟାସ କରାଯାଉଛି। ତେଣୁ ବାକି ରହିଯାଇଥିବା ପରିବାରଗୁଡ଼ିକୁ ଏଥିରେ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅନ୍ତିମ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନା ପହଁଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସେପ୍ଟେମ୍ବର ୨୩, ୨୦୧୮ରେ ଏହି ଯୋଜନାର ଶୁଭାରମ୍ଭ ହେବା ପରଠାରୁ ହୋଇଥିବା ଅଗ୍ରଗତିକୁ ଡ. ହର୍ଷ ବର୍ଦ୍ଧନ ସମୀକ୍ଷା କରିଥିଲେ। ଏବଂ ଯୋଜନାର କାର୍ଯ୍ୟାନ୍ୱୟନରେ ରହିଥିବା ଆହ୍ୱାନ ଖୋଜିବା ଏବଂ ତା’ର ସମାଧାନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରିବା ଲାଗି ସେ କହିଥିଲେ। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ। ଯୋଜନାରେ ସାମିଲ ହସପିଟାଲଗୁଡ଼ିକର ଚିକିତ୍ସା ଗୁଣବତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ରାଜ୍ୟର ଯୋଜନା ସହିତ ଏହି ଯୋଜନାର ସମ୍ମିଶ୍ରଣ କରିବା ଦିଗରେ ପଦକ୍ଷେପ ନେବା ଲାଗି ମଧ୍ୟ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ଟୁ ଏବଂ ଥ୍ରୀ ଟାୟାର ସହରରେ ଥିବା ହସପିଟାଲଗୁଡ଼ିକୁ ଏହି ଯୋଜନାରେ ସାମିଲ କରିବା ବିଶେଷ କରି ଶ୍ରେଷ୍ଠ ୨୦୦ ହସପିଟାଲ ମଧ୍ୟରୁ ଦୁଇ ତୃତୀୟାଂଶକୁ ପିଏମଜେଏୱାଇରେ ସାମିଲ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ, ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୁଷଣଙ୍କ ସମେତ ମନ୍ତ୍ରଣାଳୟ ଏବଂ ଏନଏଚଏର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.