Home Top News ଆବାସ ଯୋଜନା କଳିରେ ବଳୀ ପଡ଼ୁଛନ୍ତି ଲକ୍ଷ ଲକ୍ଷ ବାସହୀନ ଗରିବ ପରିବାର : ଆବାସ...

ଆବାସ ଯୋଜନା କଳିରେ ବଳୀ ପଡ଼ୁଛନ୍ତି ଲକ୍ଷ ଲକ୍ଷ ବାସହୀନ ଗରିବ ପରିବାର : ଆବାସ ଯୋଜନା ଦୁର୍ନୀତିକୁ ନେଇ ଶେତ୍ୱତପତ୍ର ପ୍ରକାଶ କରନ୍ତୁ ସରକାର

114

– ୧୨ଲକ୍ଷ ବାସହୀନଙ୍କୁ ତୁରନ୍ତ ପକ୍କାଘର ଦେବାପାଇଁ ଦାବି କଲା କଂଗ୍ରେସ

ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳି ପାଇଁ ବଳି ପଡ଼ୁଛନ୍ତି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର। ନିକଟରେ ସମାପ୍ତ ବିଧାନସଭା ଅଧିବେସନରେ ଓଡ଼ିଶାର ପଂଚାୟତ ରାଜ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୧୨, ୨୫, ୭୨୫ ପରିବାର ଆବାସ ଯୋଜନାରେ ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି। ମାତ୍ର ଏହି ସଂଖ୍ୟା ୨୦ଲକ୍ଷରୁ ଉର୍ଦ୍ଧ ହେବ। ରାଜ୍ୟ ସରକାର ୮ଲକ୍ଷ ଘର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ତାହା ଦେଇ ନାହାନ୍ତି। ଦୀର୍ଘ ୨ ବର୍ଷଧରି ଆୱାସ ପ୍ଲସ ପୋର୍ଟାଲ ଅକାମୀ ହୋଇ ପଡ଼ିଛି। ଆବାସ ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଛି ବୋଲି କେନ୍ଦ୍ର ସରକାର ଅଭିଯୋଗ ଆଣିଛନ୍ତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱଛତାର ସହିତ ଆବାସ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ନ ଦେଲେ, କେନ୍ଦ୍ର ସରକାର ୮ଲକ୍ଷ ଘର ପାଇଁ ଅର୍ଥ ଦେବେ ନାହିଁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଣାଇ ଦେଇଛନ୍ତି।

କେନ୍ଦ୍ର ଓ ରାଜ୍ୟ ଭିତରେ ଏହି କଳି ପାଇଁ ଓଡ଼ିଶାର ପ୍ରାୟ ୨୦ଲକ୍ଷ ପରିବାର ଚରମ ଦୁର୍ଦ୍ଦିନ ଭିତରେ କାଳତିପାତ କରୁଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ପକ୍କା ଛପର ନାହିଁ। ବର୍ତମାନ ଲଗାଣ ବର୍ଷାରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ସେମାନଙ୍କ ଏହି ଦୁର୍ଦ୍ଦଶା ସମୟରେ କେନ୍ଦ୍ର ଓ ରାଜ୍ୟ ଭିତରେ ଏଭଳି କଳି ସେମାନଙ୍କ ପ୍ରତି ଉପହାସ ଓ କଟା ଘା’ରେ ଚୂନ ବୋଲିି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ଦାସ କହିଛନ୍ତି ୬ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୦୨୨ ମସିହା ସୁଦ୍ଧା କଚ୍ଚାଘରେ କେହି ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା କ୍ଷେତ୍ରରେ ଆଜିବି ଲକ୍ଷ ଲକ୍ଷ ପରିବାର ଘର ପାଇବା ପାଇଁ ଅନେଇ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ବିଧାନ ସଭାରେ ପଂଚାୟତ ରାଜ ମନ୍ତ୍ରୀଙ୍କ ତଥ୍ୟ ମୂତାବକ ବର୍ତମାନ ସୁଦ୍ଧା ୨୩ ଲକ୍ଷ ୮୨ ହଜାର ୮୮୪ ପରିବାର ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କାଘର ପାଇଛନ୍ତି। ମାତ୍ର ସେଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି। ଅନେକ ଘର ତିଆରି ନହୋଇ ବିଲ୍ ଉଠିଛି। ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ରାଜନୈତିକ ପକ୍ଷପାତିତା କରି ଘର ଦିଆଯାଇଛି। ଧନୀ ଓ ପକ୍କାଘର ଥିବା ଲୋକ ଆବାସ ଯୋଜନାରେ ଘର ହାତେଇଛନ୍ତି। ଅନ୍ୟପଟରେ ଲକ୍ଷ ଲକ୍ଷ ଆଦିବାସୀ ଓ ଦଳିତ ପରିବାର ଘର ପାଇପାରି ନାହାନ୍ତି। କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। ଓଡ଼ିଶାବାସୀ ମଧ୍ୟ ଆବାସ ଯୋଜନା ପ୍ରଣୟନକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ତେଣୁ ଏହା ଉପରେ ଏକ ସ୍ୱେତପତ୍ର ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି।

ଆବାସ ଯୋଜନା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ଓଡ଼ିଶା ରାଜ୍ୟର ପଂଚାୟତିରାଜ ମନ୍ତ୍ରୀଙ୍କ ଭିତରେ ଗତ କାଲି ଅନୁଷ୍ଠିତ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଲେ ୮ଲକ୍ଷ ଘର ପାଇଁ ଅର୍ଥ ପ୍ରଦାନ କରାଯିବ ବୋଲି କହିବାକୁ କଂଗ୍ରେସ କଟାକ୍ଷ କରିଛି। ଶ୍ରୀ ଦାସ କହିଛନ୍ତି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କର ଅଧସ୍ତନ ନୁହନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ମାଗିବା ସଂଘୀୟ ଗଣତନ୍ତ୍ର ପ୍ରତି ଅସମ୍ମାନ। କେନ୍ଦ୍ରମନ୍ତ୍ରୀ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସେ ଏପରି ଲିଖିତ ପ୍ରତିଶ୍ରୁତି ମାଗି ପାରିଥାଆନ୍ତେ। ସେଥିରେ କୌଣସି ଅସଙ୍ଗତି ନାହିଁ। କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କୌଫତ ବା ପ୍ରତିଶୃତି ମାଗିବା ଶୋଭାପାଏ ନାହଁ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି ବିଜେଡ଼ି ଏତେ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନାହିଁ। ଭୟ ବା ଭକ୍ତି ଏହାର କାରଣ କି ବୋଲି ଶ୍ରୀ ଦାସ କଟାକ୍ଷ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁଦର୍ଶନ ଦାସଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.