Home ଓଡ଼ିଶା ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ; ଶବ ବାହକ ଗାଡି ପାଇଁ ୮ ଘଂଟା ଅପେକ୍ଷାପରେ...

ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ; ଶବ ବାହକ ଗାଡି ପାଇଁ ୮ ଘଂଟା ଅପେକ୍ଷାପରେ ନ ଆସିବାରୁ ବେସରକାରୀ ଆମ୍ବୁଲାନ୍ସରେ ନେଲେ

140

କୋରାପୁଟ ୨୩-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବାକୁ ସରକାର କେତେ କଣ ଯୋଜନା କରୁଛନ୍ତି ହେଲେ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥାରେ ତୃଟି ଯୋଗୁଁ ଆଜି ମଧ୍ୟ ଅକାଳରେ ପ୍ରସୂତୀ ଓ ନବଜାତକଙ୍କ ଜୀବନ ଚାଲି ଯାଉଛି। ବିଶେଷ କରି କୋରାପୁଟ ଜିଲାର ଉପାନ୍ତ ଦୁର୍ଗମ ଅଂଚଳରେ ଏପରି ଘଟଣା ଆଜିବି ଦେଖିବାକୁ ମିଳୁଛି। ରାସ୍ତାଘାଟର ସୁବିଧା ନଥିବାରୁ କେଉଁଠି ୧୦୨ ଆମ୍ବୁଲାନ୍ସ ଯାଇ ପାରୁନିତ ଆଉ କେଉଁଠି ଗାଡିରେ ଯାଂନ୍ତ୍ରୀକ ତୃଟି ଯୋଗୁଁ ପ୍ରସୂତୀ ଓ ରୋଗୀଙ୍କ ନିକଟରେ ଗାଡି ଠିକ୍ ସମୟରେ ପହଂଚି ପାରୁନି ଫଳରେ ଅନେକ ଜୀବନ ଅକାଳରେ ଚାଲି ଯାଉଛି। ଏଭଳି ଏକ ଘଟଣା ରବିବାର ଦେଖିବାକୁ ମିଳିଛି କୋରାପୁଟ ଜିଲା ନନ୍ଦପୁର ବ୍ଲକର ଆଶ୍ରମପୁଟ ଗ୍ରାମରେ। ଆଶ୍ରମପୁଟ ଗ୍ରାମର ବିଶ୍ୱନାଥ ଖରାଙ୍କ ପତ୍ନୀ ବୃନ୍ଦାବତୀ ଖରା(୩୦)ଙ୍କର ଶନିବାର ରାତି ୮ଟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ ଆଶାଦିଦି ଅଂଜନା ଗେମେଲ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ କୌଣସି କାରଣରୁ ୧୦୨ ପହଂଚି ପାରିନଥିଲା। ଶେଷରେ ପରିବାର ଲୋକେ ଏକ ଅଟୋରିକ୍ସାରେ ବୃନ୍ଦାବତୀଙ୍କୁ ରାତି ୧୧ଟା ବେଳେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇଥିଲେ। ସେଠାରେ ବୃନ୍ଦାବତୀ ଯାଆଁଳ ପୁଅଝିଅକୁ ଜନ୍ମ ଦେଇଥିଲେ କିନ୍ତୁ ଅଟୋରିକ୍ସାରେ ଛେଚା କଚଡା ଖାଇ ଆସିଥିବାରୁ ଅତ୍ୟଧିକ ରକ୍ତଶ୍ରାବ ହୋଇ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ୨ ଘଂଟା କାଳ ଚିକିତ୍ସା ପରେ ମଧ୍ୟ ରକ୍ତଶ୍ରାବ ବନ୍ଦ ନହେବାରୁ ବୃନ୍ଦାବତୀଙ୍କୁ ଏକ ଆମ୍ବୁଲାନ୍ସରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ କଲେଜରେ ପଂହଚିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବୃନ୍ଦାବତୀଙ୍କ ଶବ ତାଙ୍କ ଗାଁକୁ ନେବା ପାଇଁ ସମ୍ପର୍କୀୟମାନେ ଶବ ବାହକ ଗାଡି ଯୋଗାଇ ଦେବାକୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। କିନ୍ତୁ ମେଡିକାଲ କଲେଜର ଦୁଇଟି ଯାକ ଶବ ବାହକ ଗାଡି ଖରାପ ଥିବାରୁ ପ୍ରଥମେ ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ ଜୟପୁରରୁ ଆମ୍ବୁଲାନ୍ସ ଆସିବ ବୋଲି ପ୍ରକାଶ କରିଥିଲେ।ପରବର୍ତି ସମୟରେ ନନ୍ଦପୁର ମେଡିକାଲରୁ ଆମ୍ବୁଲାନ୍ସ ଆସିବ ବୋଲି ସଦରମହକୁମା ଡାକ୍ତରଖାନାର ଅଧ୍ୟକ୍ଷ ଡାକ୍ତର କାଳି ପ୍ରସାଦ ବେହେରା ପ୍ରକାଶ କରିଥିଲେ।ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ବିଶ୍ୱନାଥ ଓ ଗ୍ରାମବାସୀ ଏକ ବେସରକାରୀ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ।ବେସରକାରୀ ଆମ୍ବୁଲାନ୍ସ ପହଂଚିବା ପରେ ନିଜ ଗ୍ରାମକୁପତ୍ନୀଙ୍କ ମୃତଦେହକୁ ବିଶ୍ୱନାଥ ନିଜ ଗ୍ରାମକୁ ନେଥିଲେ ବୋଲି ଜଣାପଡିଛି।କୋରାପୁଟରେ ଥିବା ମହାପ୍ରୟାଣ ଗାଡି ଜୟପୁରଠାରେ ମରାମତି ସରିଯିବା ସତ୍ୱେ ମଧ୍ୟ ମରାମତି ଅର୍ଥ ପ୍ରଦାନ କରାଯାଇ ନ ଥିବାରୁ ଗାଡି ଆସି ପାରୁ ନ ଥିବା ଜଣାପଡିଛି।ମହାପ୍ରୟାଣ ଗାଡିର ମରାମତି ଖର୍ଚ୍ଚ ସିଡିଏମଓ ନା ହସପିଟାଲ ଅଧ୍ୟକ୍ଷ ଭରଣା କରିବେ ତାହାକୁ ନେଇ ଏବେ ଦ୍ୱନ୍ଦ ସୃଷ୍ଟି ହୋଇଥିବା ଜଣାପଡିଛି।ଆଉ ଗୋଟେ ଶବବୁହା ଗାଡି ନିର୍ମାଣ ମଧ୍ୟ ଖରାପ ହୋଇ ଜୟପୁର ଗ୍ୟାରେଜରେ ପଡିଛି।ହସପିଟାଲର ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଖରାପ ହୋଇ ପଡି ରହିଛି। ତାହାର ମରାମତି କରାଯାଇ ନ ଥିବା ଜଣାପଡିଛି। ଯେଉଁ ଉଦ୍ଦେଶ୍ୟରେ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ପ୍ରଣୟନ କଲେ ତାହା କେତେଦୂର କୋରାପୁଟରେ କାର୍ଯ୍ୟକାରୀ ହେଉଛି ତାହା ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.