Home Top News କିଏ ଦାୟୀ; କାହାଠାରୁ ମାଗିବା ଉତ୍ତର ?

କିଏ ଦାୟୀ; କାହାଠାରୁ ମାଗିବା ଉତ୍ତର ?

167

ଅନେକ ଦିନ ହେଲାଣି ଏକ ଅସମାହିତ ପ୍ରଶ୍ନ ମୋ ମନରେ ଉତ୍ତର ଖୋଜି ପାଉନାହିଁ ବୋଲି ଆପଣମାନଙ୍କ ସାହାଯ୍ୟ ନେଉଛି। ଖରାପ ନଭାବି ରାଜନୀତିରୁ ଉର୍ଦ୍ଧ୍ଵରେ ଦେଖିବେ ବୋଲି ଅନୁରୋଧ .. 
ବହୁଚର୍ଚ୍ଚିତ ଏକ ଗଣଧର୍ଷଣ ଦୀର୍ଘ ୨୨ ବର୍ଷ ତଳେ ଓଡ଼ିଶା ରାଜନୀତିକୁ ଚହଲାଇ ଦେଇଥିଲା। ମୋର ସୌଭାଗ୍ୟ ମୁଁ ସେତେବେଳେ ହାଇକୋର୍ଟରେ ଓକିଲାତି ସହିତ ବିଜେପି ମହିଳା ମୋର୍ଚ୍ଚାର କଟକ ଜିଲ୍ଲା ସଭାନେତ୍ରୀ ଥାଏ। ତେଣୁ ପାଖରୁ ଏହି ଘଟଣାଟିକୁ ଦେଖିଛି। ରାଜନୈତିକ ଦଳ ଭାବେ ବିଜେପି ଆନ୍ଦୋଳନ କରିବା ସ୍ୱାଭାବିକ ଥିଲା ଓ କଲା ମଧ୍ୟ। କିନ୍ତୁ, ସେବର ଓଡ଼ିଆ ସମାଜ ପାଖରେ ଯେଉଁ ସ୍ୱାଭିମାନ ଝିଅ ବୋହୁଙ୍କୁ ନେଇ ଥିଲା ଆଜି ଆଧୁନିକ ଓଡ଼ିଆ ମାନେ ସେଭଳି ଥିବା ମନେ ହେଉନି? ସେଦିନ ପୀଡ଼ିତାର କୋହଭରା ବୟାନ ଓ ଆଖିର ଲୁହ ଦୂରଦର୍ଶନରେ ଦେଖି ଗାଁ’ ଗହଳି ଶୁନଶାନ ହୋଇଯାଉଥିଲା।ଯେମିତିକି ତାଙ୍କ ପାଖେ ଏହି ଅଲାଜୁକ ଘଟଣା ଘଟିଛି। ଆନ୍ଦୋଳନ କଲେ ଜନ ସାଧରଣ ପଇସା ଯାଚି ଦେଉଥିଲେ କାରଣ ଅର୍ଥର ଅଭାବରେ ଆନ୍ଦୋଳନ ବନ୍ଦ ନହେଉ ବୋଲି। ମହିଳା ସୁରକ୍ଷା ସହିତ ସାଲିସ ନାହିଁ ଏହା ଭାବିବା ପାଇଁ ସରକାର, ପ୍ରଶାସନ ସମସ୍ତେ ବାଧ୍ୟ କାରଣ ଲୋକଙ୍କ ମତ ସର୍ବୋପରି ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟିବାକୁ ପଡ଼ିଲା।ଲୋକମାନେ ଝିଅ ବୋହୁର ଇଜ୍ଜତ ସହିତ ଖେଳୁଆଡ଼ କରୁଥିବା ସମସ୍ତଙ୍କ ସହିତ ଗାଁ’ ସହର ସବୁଠି ଲଢ଼ୁଥିଲେ।

କିନ୍ତୁ, ଆଜି ପ୍ରତିଦିନ ବିଭତ୍ସ କାହାଣୀ ମାନ ସାମ୍ନାକୁ ଆସୁଛି। ସତରେ କ’ଣ ଆମକୁ କଷ୍ଟ ହେଉନି ନାଁ ସବୁ ଦେଖି ଆମ ଦେହ ସୁହା ହୋଇଗଲାଣି? ବଳାତ୍କାର, ଅଙ୍ଗ ଚୋରୀ, ଛୁଆ ଚୋରି, ଗଣବଳତ୍କାର, ହତ୍ୟା,କାହାକୁ ପୋଡ଼ି ମାରିଲେଣି ତ’ କାହାକୁ ବିଭତ୍ସ କରି ଦରମଲା କରି ଫୋପାଡ଼ି ଦେଲେଣି। ଏହା କ’ଣ ଏକ ଉନ୍ନତ ସମାଜର ଲକ୍ଷଣ? ଆଇନର ଗଳାବାଟ ଖୋଜି ଦୋଷୀ ଖସିଯାଉଛି। କିନ୍ତୁ, ସେବେର ଗଣବଳତ୍କାରୀଙ୍କ ପାଇଁ କେହି କେସ୍ ଲଢ଼ିଲେ ତାକୁ ଭିନ୍ନ ଆଖିରେ ଦେଖା ଯାଉଥିଲା। ଲୋକେ ନ’ବଦଳିଲେ କେହି କିଛି କରିବେ ନାହିଁ। ଆମ ଯୁବ ସମାଜକୁ ମହିଳା ସୁରକ୍ଷା ପାଇଁ ଆଗକୁ ଆସିବାକୁ ପଡ଼ିବ। ଯାହା ୨୨ ବର୍ଷ ତଳର ଓଡ଼ିଆ ଲୋକମାନେ କରିପାରୁଥିଲେ ଆମକୁ ତାହାହିଁ ଜଗିବାକୁ ପଡ଼ିବ। ସେତେବେଳେ ଲୋକଙ୍କ ପାଖରେ ହୁଏତ ପଇସା ନଥାଇ ପାରେ, କିନ୍ତୁ ସେବେଳର ଓଡ଼ିଆ ସମାଜର ଦରଦୀ ହୃଦୟକୁ କୋଟିକୋଟି ପ୍ରଣାମ।
– ପ୍ରଭାତୀ ପରିଡ଼ା
ରାଜ୍ୟ ଉପାଧ୍ୟକ୍ଷା, ବିଜେପି ଓଡ଼ିଶା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.