Home Top News ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ: ବିଜେପି

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ: ବିଜେପି

144

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ ବୋଲି କହିଛି ବିଜେପି। ରାଜ୍ୟରେ ୫ ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ରାଜ୍ୟ ସରକାର ସାମାଧାନ କରିପାରିଲେ ନାହିଁ। ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିବାକୁ ଯାଉଛି। ୧ ଲକ୍ଷ ୩୦ ହଜାର ଶିକ୍ଷକ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଳଢ଼ାଇ କରୁଛନ୍ତି। ଯାହା ଫଳରେ ରାଜ୍ୟର ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଏହା ଏକ ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ। ୮ ତାରିଖରୁ ହୋଇଥିବା ଏହି ଆନ୍ଦୋଳନ ଆଜି ୫ଦିନ ପୂରିଲାଣି। ଏହି ୫ ଦିନରେ ସରକାର କଲେ କ’ଣ? ଶିକ୍ଷାମନ୍ତ୍ରୀ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ତାଲିମ ଦେବା ପାଇଁ ସମୟ ପାଉଛନ୍ତି। ବିଜୁ ଜନତା ଦଳ ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ତାଙ୍କର ଦଳର ଜଣେ ବିଧାୟକଙ୍କ ବିରୋଧରେ ଗଣମାଧ୍ୟମରେ ପ୍ରତିଦିନ ବୟାନବାଜି କରିବାକୁ ସମୟ ଅଛି। ମୟୂରଭଞ୍ଜ ଜିଲ୍ଲାପାଳ ବିଜୁ ଜନତା ଦଳର ସଭାରେ ଯୋଗ ଦେବା ପାଇଁ ସମୟ ଅଛି। କିନ୍ତୁ ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ, ଅଧିକାରୀମାନଙ୍କୁ ଶିକ୍ଷକମାନଙ୍କ ଆନ୍ଦୋଳନ ସମସ୍ୟା ସମାଧାନ କରିବା, ଆନ୍ଦୋଳନସ୍ଥାନକୁ ଯିବା ପାଇଁ ସମୟ ହେଲା ନାହିଁ। ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ମାନଙ୍କ ପାଇଁ ଓଡ଼ିଶାର ୪୦ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ା ଆଜି ପ୍ରଭାବିତ। ବିଜୁ ଜନତା ଦଳ ସରକାରରେ ମାଲିକ ସାଜିଥିବା ଅଣଓଡ଼ିଆ ଅଧିକାରୀ ମାନେ ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଛନ୍ତି ଏହା ହେଉଛି ତାହାର ପ୍ରମାଣ। ୫- ଟି ଟ୍ରାନ୍ସିମିସନ ନାଁରେ ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ଯଦି ୩,୪୧୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି ତାହାଲେ ଶିକ୍ଷକମାନଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡୁଛି ବୋଲି ବିଜେପି ପ୍ରଶ୍ନ କରିଛି। ଯଦି ଜଣେ ସଚିବଙ୍କ ଗସ୍ତରେ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ଅଛି ତାହେଲେ ୪୦ ଲକ୍ଷ ପିଲାଙ୍କ ପାଠପଢା ବାବଦରେ ଖର୍ଚ୍ଚ କରିବା ପାଇଁ କାହିଁକି ଅର୍ଥ ନାହିଁ? ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ। ପୁନଃ ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ। ସରକାର ଯେଉଁ କଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁ ନାହାଁନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମିଛ ଘୋଷଣା ପ୍ରତିଶ୍ରୁତି ଦେବାରେ ରେକର୍ଡ କରିଛି। ଆଜି ଶିକ୍ଷକ ମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ସରକାର ନିଜେ ଦାୟୀ। ଓଡ଼ିଶାରେ ଶିକ୍ଷକମାନଙ୍କୁ କାହିଁକି ଏତେ କ୍ୟାଟାଗୋରିରେ ବିଭକ୍ତ କରାଯାଇଛି? ମଇ ୬, ୨୦୨୧ରେ ମାନ୍ୟବର ହାଇକୋର୍ଟ ଏନେଇ ଓଡ଼ିଶା ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ଏକଥା ମଧ୍ୟ କହିଥିଲେ ଯେ, ସରକାର ପ୍ରାଥମିକ ଶିକ୍ଷାକୁ ନେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ହାଇକୋର୍ଟଙ୍କ ସେହି କଥା ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେଲେ? କାହିଁକି ମାନ୍ୟବର ସୁପ୍ରିମକୋର୍ଟର୍ଙ୍କ ସମାନ କାମକୁ ସମାନ ଦରମା ନିୟମକୁ ରାଜ୍ୟ ସରକାର ମାନୁନାହାଁନ୍ତି? ସାରା ଦେଶରେ ସ୍କୁଲ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ହୋଇଥିବା “ପରଫରମାନ୍ଷ ଇଣ୍ଡେକ୍ସ”ରେ ଓଡ଼ିଶାର ସ୍କୁଲ ଖରାପ ସୂଚକାଙ୍କରେ ଆସୁଛି। ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି। ହେଲେ ସରକାର ମାତିଛନ୍ତି ପିଲାମାନଙ୍କ ପୋଷାକ ଓ ସ୍କୁଲ କାନ୍ଥ, ବାଡକୁ ଦଳୀୟ ରଙ୍ଗ କରିବାରେ। ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାର ବିଧାନସଭା ନିର୍ବାଚନୀ ସଙ୍କଳ୍ପନାମାରେ ଶିକ୍ଷକମାନଙ୍କ ଦରମା, ସେମାନଙ୍କର ଦାବି, ଅଧିକାରକୁ ପୂରଣ କରିବା ପାଇଁ ଘୋଷଣା କରିଥିଲା। ଆଜି ସାରା ରାଜ୍ୟରେ ଯେଉଁ ଶିକ୍ଷକ ଆନ୍ଦୋଳନ ଚାଲିଛି ଭାରତୀୟ ଜନତା ପାର୍ଟି ସେମାନଙ୍କ ସହିତ ଅଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.