Home Top News ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ୩ ବିଜେପି ବିଧାୟକ ସସ୍‌ପେଣ୍ଡ୍

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ୩ ବିଜେପି ବିଧାୟକ ସସ୍‌ପେଣ୍ଡ୍

83

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି। ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ତିନି ଜଣ ବିଜେପି ବିଧାୟକ। ବିଜେପିର ତିନି ଜଣ ବରିଷ୍ଠ ବିଧାୟକ, ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଚଳିତ ଅଧିବେଶନ ପାଇଁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ। ଏହାକୁ ନେଇ ତିନି ବିଧାୟକଙ୍କୁ ନିଲମ୍ବିତ କରିବା ଲାଗି ଗୃହରେ ପ୍ରସ୍ତାବ ଆଣିଥିଲେ ପ୍ରମିଳା ମଲ୍ଲିକ। ଅପରାହ୍ଣ ଅଧିବେଶନରେ ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଥିଲେ ବାଚସ୍ପତି। ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ।

ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି ସେ କଲମ ଓ ହେଡଫୋନ ଫିଙ୍ଗିଛନ୍ତି, ଚପଲ ଫିଙ୍ଗି ନାହାଁନ୍ତି। କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସେ ଚପଲ ଫିଙ୍ଗି ନାହାଁନ୍ତି। ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ। ସେହିପରି ଜୟନାରାୟଣ କହିଛନ୍ତି, ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି। ବିନା ଆଲୋଚନାରେ ବିଲ୍ ପାରିତ ହେଉଥିଲା। ବିରୋଧୀ ନେତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି। ବାଚସ୍ପତି ସେମିତି କାମ କରିଥିବାରୁ ଏଭଳି ହେଲା। ସରକାରୀ ଦଳ ପାଇଁ କାମ କରିବା ସହ ବିଧାନସଭାର ନୀତି ନିୟମକୁ ଜଳାଞ୍ଜଳି ଦେଇଛନ୍ତି ବାଚସ୍ପତି। ତେଣୁ ମୁଁ ଯାହା କରିଛି ଠିକ୍ କରିଛି। ବାଚସ୍ପତି ଯେଉଁଭଳି ବ୍ୟବହାର କରିଛନ୍ତି ତାଙ୍କୁ ସେଭଳି ବ୍ୟବହାର କରାଯାଇଛି। ପଶ୍ଚାତାପ କରିବାର କୌଣସି ଆବଶ୍ୟକତା ନାହିଁ। ଯାହା କାର୍ଯ୍ୟାନୁଷ୍ଠାନ ନେବେ ଆମେ ପ୍ରସ୍ତୁତ ଅଛୁ। ସରକାରୀ ଦଳର ବୋକଚାବୁହା ଭଳି କାମ କରୁଛନ୍ତି ବାଚସ୍ପତି। ତେଣୁ ଏଭଳି ସ୍ଥିତି ଉପୁଜିଲା।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.