Home ଓଡ଼ିଶା ଅସୁସ୍ଥତା ଓ ବୟସାଧିକ୍ୟ କଟକଣା ବି.ଜେ.ଡିରେ ନିୟମ ହୋଇନାହିଁ: ବ୍ରହ୍ମପୁରରେ ଗୋଷ୍ଠୀ ରାଜନୀତି ଜୋର ଧରିଛି:...

ଅସୁସ୍ଥତା ଓ ବୟସାଧିକ୍ୟ କଟକଣା ବି.ଜେ.ଡିରେ ନିୟମ ହୋଇନାହିଁ: ବ୍ରହ୍ମପୁରରେ ଗୋଷ୍ଠୀ ରାଜନୀତି ଜୋର ଧରିଛି: ଚ୍ୟାଉପଟ୍ଟନାୟକ

527

ବ୍ରହ୍ମପୁର : ୨୪/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଦୁଇ ଦଶନ୍ଧି ଧରି ବ୍ରହ୍ମପୁରରେ ବିଧାୟକ ଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଆଗାମୀ ନିର୍ବାଚନ ରେ ଦଳୀୟ ଟିକଟରୁ ବାଦ ଦିଆଯିବା ସମ୍ପର୍କରେ ପ୍ରସାରିତ ଖବର ବି.ଜେ.ଡି ନେତା, କର୍ମୀମାନଙ୍କ ବିଭିନ୍ନ ଗୋଷ୍ଠୀର ଅବସ୍ଥିତିକୁ ପଦାରେ ପକାଇବାରେ ସହାୟକ ହୋଇଛି। ଗଞ୍ଜାମ ଜିଲ୍ଲାର ପ୍ରାୟ ସାତ ଜଣ ବିଧାୟକ ଆଗାମୀ ନିର୍ବାଚନରେ ଦଳୀୟ ଟିକଟରୁ ବାଦ ପଡିବା ଖବର ଭୁବନେଶ୍ୱର ସ୍ତରରୁ ପ୍ରସାରିତ ହୋଇଥିଲା। ଏହି ଖବର ପରେ ସୋରଡା, ପୋଲସରା, ଆସ୍କା, ଖଲ୍ଲିକୋଟ, ବ୍ରହ୍ମପୁର, ବେଗୁନିଆପଡା, ଛତ୍ରପୁର ବିଧାୟକଙ୍କ ନିକଟକୁ ପୂର୍ବ ଭଳି ଆଉ ନେତା କର୍ମୀମାନଙ୍କ ଭିଡ଼ ନାହିଁ। ପ୍ରଚାର, ଅପପ୍ରଚାରରେ ବି.ଜେ.ଡି ନେତା ଓ କର୍ମୀମାନେ ଦ୍ଵନ୍ଦରେ ରହି କାମରେ ଧିମେଇ ଯାଇଛନ୍ତି।

ବ୍ରହ୍ମପୁରରେ ମୁଖ୍ୟତଃ ୫ଟି ସ୍ଥାନରେ ଦଳୀୟ କର୍ମୀମାନେ ସମବେତ ହୋଇ କାର୍ଯ୍ୟକ୍ରମ ସଂଯୋଜନା କରୁଥିବା ବେଳେ ବିଧାୟକଙ୍କ ଘରକୁ କମ କର୍ମୀ ଆସୁଥିବା ଦେଖାଯାଇଛି। ସ୍ଥାନୀୟ ଗୋଷାଣୀ ନୂଆଗାଁ ଅଞ୍ଚଳରେ ଦୁଇଟି, ଗଜପତି ନଗର, ହିଲପଟଣା ରେ ପୃଥକ ଦୁଇଟି ସ୍ଥାନରେ ଏବଂ ବି.ଜେ.ଡି କାର୍ଯ୍ୟାଳୟରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସମାଗମ ହେଉଛି। ଆଗରୁ ବିଧାୟକଙ୍କ ଘର କାର୍ଯ୍ୟାଳୟରେ ସେପରି ଭିଡ଼ ହେଉଥିଲା। ଦଳୀୟ ଜଣେ ଉପସଭାପତି, ଜଣେ ସାଧାରଣ ସମ୍ପାଦକ, ଜଣେ ବରିଷ୍ଠ ନେତା, ଜଣେ ନବାଗତ ତଥା କଂଗ୍ରେସ ଦଳର ପୂର୍ବତନ ନେତାଙ୍କ ଦରବାରରେ ଆଗାମୀ ନିର୍ବାଚନ ଓ ଦଳୀୟ ଟିକଟ ପ୍ରସଙ୍ଗ ଚର୍ଚ୍ଚା ଜମୁଛି।

ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବି.ଜେ.ଡି ରୁ ପୁଣି ଆଗାମୀ ନିର୍ବାଚନ ଲଢେ଼ଇ ପାଇଁ ପ୍ରସ୍ତୁତ ଅଛି ବୋଲି ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଡାକ୍ତର ଚ୍ୟାଉପଟ୍ଟନାୟକ ଦଳୀୟ ଟିକଟରୁ ବାଦ ପଡିବା ସମ୍ପର୍କିତ ପ୍ରସାରିତ ଖବର ଅମୂଳକ ଓ ଭିତ୍ତିହୀନ ବୋଲି ଦର୍ଶାଇବା ବେଳେ ସେ ସୁସ୍ଥ ଓ ସବଳ ଥିବାରୁ ସୁରଟ, ପୁରୀ, ନୂଆ ଦିଲ୍ଲୀରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମ ଓ ବ୍ରହ୍ମପୁରର ୪୦ଟି ଯାକ ୱାର୍ଡରେ ହୋଇଥିବା ଜନ ସମ୍ପର୍କ ଅଭିଯାନରେ ଯୋଗଦେଇଥିବା କହିଛନ୍ତି।

ବୟସାଧିକ୍ୟ କାରଣରୁ କାହାକୁ ଦଳୀୟ ଟିକଟରୁ ବାଦ ଦେବା ଓ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଭଳି ବି.ଜେ.ଡି ରେ କୌଣସି ନୀତି ହୋଇନଥିବା ସ୍ପଷ୍ଟ କରି ଅସୁସ୍ଥତା ଓ ଅଧିକ ବୟସ ଗତ କାରଣ ଦଳର ସୁପ୍ରିମୋଙ୍କ ଠାରେ ଲାଗୁ ହେବ ନାହିଁ ବୋଲି ଆଲୋଚନା ବେଳେ ସୂଚାଇଛନ୍ତି।

୧୯୯୫ ମସିହା ଠାରୁ ଲଗାତର ୫ ଥର ସେ ନିର୍ବାଚିତ ହୋଇ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଜଣେ ଭଦ୍ର ଓ ବିବାଦ ମୁକ୍ତ ବ୍ୟକ୍ତି ଭାବେ ଡାକ୍ତର ଚ୍ୟାଉପଟ୍ଟନାୟକ ସମ୍ମାନ ପାଇଆସୁଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ରହ୍ମପୁରରେ ପାନୀୟ ଜଳ ଯୋଗାଣ, ରାସ୍ତା ଗୁଡିକ ପକ୍କା କରାଯିବା, ଓଭର ବ୍ରିଜ ନିର୍ମାଣ, ଏମ.କେ.ସି.ଜି.ମେଡିକାଲ କଲେଜ ଓ ହସପିଟାଲରେ ନୂତନ କୋଠା ନିର୍ମାଣ ସହିତ ବହୁବିଧ ଉନ୍ନତି ହୋଇଥିବାର ସେ ଵିଵରଣୀ ପ୍ରଦାନ କରିଛନ୍ତି। ତାଙ୍କରି ” ଡ୍ରିମ ପ୍ରୋଜେକ୍ଟ ” ଆଉ କଣ ରହିଲା ବୋଲି ପ୍ରଶ୍ନ ବେଳେ ସୁଏରେଜ ଓ ଡ୍ରେନେଜ, ଆଉ ତିନିଟି ସ୍ଥାନରେ ଓଭର ବ୍ରିଜ ହେବା ଯୋଜନା ରହିଥିବା ସୂଚାଇଛନ୍ତି।

ଡାକ୍ତର ଚ୍ୟାଉପଟ୍ଟନାୟକଙ୍କ ଭଳି ” ନିର୍ବିବାଦ ବ୍ୟକ୍ତିତ୍ୱ ” ବିଶେଷ କରି ବ୍ରହ୍ମପୁରରେ ଥିବା ଆଗ ଧାଡ଼ିର ଦଳୀୟ ନେତା ମାନଙ୍କ ମଧ୍ୟରେ କାହାର ଅଛି ବୋଲି ପ୍ରଶ୍ନରେ ଅନେକଙ୍କ ଠାରେ ପ୍ରତିଭା ରହିଥିବା ଉଲ୍ଲେଖ କରି ଉତ୍ତର ଦେବାକୁ ସେ ଏଡାଇଯାଇଥିଲେ।

ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକଟ ପାଇବାରେ ନିଶ୍ଚିତ ଅଛନ୍ତି କି ବୋଲି ପ୍ରଶ୍ନରେ ଦଳର ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ତାଙ୍କ ପାଇଁ ଧ୍ୟେୟ ହେବା ସେ କହିଛନ୍ତି। ଗତ ଥର ପରୋକ୍ଷରେ ଟିକଟ ପାଇଁ ଆଗ୍ରହୀ ନ ଥିବା ଜଣାଇଥିଲେ ମଧ୍ୟ ଟିକଟ ଦିଆ ଯାଇଥିବା ଦର୍ଶାଇ ସେ ଚଳିତ ଥର ଆଶାୟୀ ଥିବା ସ୍ପଷ୍ଟ କରିଛନ୍ତି। ସ୍ବେଚ୍ଛାକୃତ ଭାବେ କେତେକ ମନ୍ତ୍ରୀ ଓ ବିଧାୟକ ଆଗାମୀ ନିର୍ବାଚନରେ ଲଢ଼ିବେନାହିଁ ବୋଲି ଦଳୀୟ ଉଚ୍ଚ କର୍ମକର୍ତ୍ତାଙ୍କୁ ଅବଗତ କରିଥିବା କହିବା ବେଳେ ବିଧାୟକ ପଦବୀ ଓ କ୍ଷମତାର ମୋହ ତାଙ୍କର ତୁଟିଯାଇଥିବା ଭଳି କୌଣସି ଭାବ ପ୍ରକାଶ କରିନଥିଲେ।

କଂଗ୍ରେସ ଦଳରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଏ.ଆଇ.ସି.ସି.ସଭ୍ୟ ଯୁବ ନେତା ବିକ୍ରମ କୁମାର ପଣ୍ଡା ବି.ଜେ. ଡି.ରେ ମିଶୁ ମିଶୁ ଦଳୀୟ ଉଚ୍ଚ ପଦବୀରେ ଥଇଥାନ କରାଯାଇଥିବା ଘଟଣାରୁ ଦଳୀୟ କର୍ମୀ ଓ ନେତାମାନଙ୍କ ଅନ୍ତର୍ଦାହ ବୃଦ୍ଧି ହୋଇଥିବା ବିଷୟକୁ ସେ ଏଡାଇବାକୁ ଚେଷ୍ଟା କରି ବିକାଶ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ରହିଥିବାରୁ ଅସନ୍ତୋଷ ନଥିବା କହିଥିଲେ। ବନ୍ୟା ବେଳେ ଭାସିଯାଉଥିବା ଏକ କାଠରେ ଯେମିତି ସାପ ଓ ବାଘ ରହିଥିଲେ କେହି କାହାର ଶତ୍ରୁ ହୋଇପାରନ୍ତି ନାହିଁ ସେମିତି ବର୍ତ୍ତମାନ ସମସ୍ତେ ସଦଭାଵରେ ମିଳିମିଶି ଦଳୀୟ କାର୍ଯ୍ୟକ୍ରମରେ ରହିଥିବା ଉପାଖ୍ୟାନ ଦର୍ଶାଇଛନ୍ତି।

କେତେକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ପ୍ରକାରେ ଡାକ୍ତର ଚ୍ୟାଉପଟ୍ଟନାୟକ “ବାଘ ଓ ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇବା” ଭଳି ଦକ୍ଷତା ରଖିଛନ୍ତି। ତେଣୁ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ବିରୋଧ କରି କଂଗ୍ରେସ ଦଳ ଛାଡି ବି.ଜେ.ଡି ରେ ପୂର୍ବରୁ ଶ୍ରୀ ଅଲେଖ ଚୌଧୁରୀଙ୍କ ନେତୃତ୍ୱରେ ଯୋଗ ଦେଇଥିବା ସଂଖ୍ୟାଧିକ ନେତା ଓ କର୍ମୀଙ୍କୁ ଅସନ୍ତୋଷରୁ ଦୂରେଇ ଗୋଟିଏ ଘାଟରେ ରଖାଯାଇଥିବା ଆଲୋଚନା ବେଳେ ସେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.