Home ଓଡ଼ିଶା ସାନଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଲୋକ ଖୋଜା : ରମେଶ ମାନିଆରେ ବି.ଜେ.ଡି ଛାନିଆ

ସାନଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଲୋକ ଖୋଜା : ରମେଶ ମାନିଆରେ ବି.ଜେ.ଡି ଛାନିଆ

519

ବ୍ରହ୍ମପୁର : ୨୪/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବହୁ ବାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।ତେବେ ଆଗାମୀ ଗସ୍ତକ୍ରମ ପାଇଁ ବି.ଜେ.ଡି ର ପ୍ରସ୍ତୁତି ଏବଂ ଘର ଘର ବୁଲି ଲୋକଙ୍କୁ ନିମନ୍ତ୍ରଣ ଦେଇ ଡ଼କାଯିବା ବିଷୟ ଚର୍ଚ୍ଚା ଚାଲିଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଠାରେ କଂଗ୍ରେସ ନେତା ଶ୍ରୀ ରମେଶ ଜେନାଙ୍କ ମାନିଆ ଦେଖି ବି.ଜେ.ଡି ଶିବିରରେ ଛାନିଆ ପଶିଯାଇଛି। ଶକ୍ତି ପ୍ରଦର୍ଶନ ପାଇଁ ବି.ଜେ.ଡିର ପ୍ରସ୍ତୁତି ସେହି ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇଛି।

ଦୀର୍ଘ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଲୋକ ଖୋଜା ଏବଂ ଲୋକଙ୍କୁ ବୋହି ନେବାର ଆୟୋଜନ ସମସ୍ତଙ୍କୁ ଚକିତ କରିଛି। ବ୍ରହ୍ମପୁର ଠାରେ ବି.ଜେ.ଡି ଜିଲ୍ଲା ଶାଖା କର୍ମକର୍ତ୍ତାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ସେହି ସଭାକୁ ନେବା ଘେନି ଆଲୋଚନା ହୋଇଛି। ବ୍ରହ୍ମପୁରର ସମସ୍ତ ୱାର୍ଡରୁ ଲୋକଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଡାକିନେବା ପାଇଁ ନେତା, କର୍ମୀମାନେ ଲାଗିପଡିଛନ୍ତି।

ସାନଖେମୁଣ୍ଡି ବିଧାୟିକା ତଥା ଧରକୋଟ ରାଣୀ ଶ୍ରୀମତୀ ନନ୍ଦିନୀ ଦେବୀ ବର୍ତ୍ତମାନର ପରିସ୍ଥିତିରେ ଅଗତ୍ୟା ବାଧ୍ୟବାଧକତାରେ ଗାଁ, ଗାଁ, ଘର ଘର ବୁଲି ଲୋକଙ୍କୁ ନିଜେ ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି। ଦଳର ଉପ ସଭାପତି ଶ୍ରୀ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବି.ଜେ.ଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଠାରୁ ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଲୋକ ଯୋଗାଡିବାରେ ଦିନ ରାତି ଏକ କରିଦେଇଛନ୍ତି।

କଂଗ୍ରେସ ନେତା ଶ୍ରୀ ରମେଶ ଜେନାଙ୍କ ପ୍ରଭାବ ହଟାଇବା ଏବଂ ବି.ଜେ.ପି ର ନିର୍ବାଚନ ପ୍ରସ୍ତୁତିକୁ ଗୌଣ କରିବା ଲକ୍ଷ୍ୟରେ ଏପରି ଆୟୋଜନ ଚାଲିଛି। ଏସବୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏପରି ଦିନ ଆସିବା ଦୁର୍ଭାଗ୍ୟଜନକ ବୋଲି ଅନେକ ଲୋକ ଆଲୋଚନା କରୁଛନ୍ତି। ଏକାକୀ ରମେଶ ଜେନା ଯେପରି ସମ୍ପର୍କ ଓ ଲୋକ ସଙ୍ଗଠନ କରି ଚାଲିଛନ୍ତି ତାହାକୁ ମୁକାବିଲା କରିବାକୁ ବର୍ତ୍ତମାନ ବି.ଜେ.ଡି ବହୁ ମୂଲ୍ୟ ଦେବାକୁ ପଡୁଛି। ପତିଆରା ସୃଷ୍ଟିରେ କିଏ ଦମ ଦେଖାଉଛି ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.