Home Top News ଦେବୀଦ୍ୱାର: ଭାସିଗଲା ଆକାଶ, ଭସାଇଦେଇ ଗଲା ସବୁ ଆଶା ..

ଦେବୀଦ୍ୱାର: ଭାସିଗଲା ଆକାଶ, ଭସାଇଦେଇ ଗଲା ସବୁ ଆଶା ..

82

ଭୁବନେଶ୍ୱର: କଟକ, ବାଙ୍କୀ – ତ୍ରିଶୂଳିଆ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ଦେବୀଦ୍ୱାର ନିକଟରେ ଭାସି ଯାଇଛନ୍ତି ଜଣେ ଯୁବକ। ଭାସିଯାଇଥିବା ଯୁବକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ନନପଡ଼ା ସାହିର ଆରପିଏଫ୍ ହେଡ୍ କନେଷ୍ଠବଲ୍ ଅରୁଣ କୁମାର ରାଉତରାୟଙ୍କ ପୁଅ ଆକାଶ କୁମାର ରାଉତରାୟ ବୋଲି ଜଣାପଡ଼ିଛି। କଟକ, ବାଙ୍କୀ – ତ୍ରିଶୂଳିଆ ଦେବୀଦ୍ୱାର ନିକଟରେ ଭୋଜି କରିବାକୁ ଯାଇଥିବା ବେଳେ ଆକାଶ ଏବଂ ସାନ ଭାଇ ପ୍ରକାଶ ନଦୀରେ ଗାଧୋଉଥିଲେ। ତେବେ, ହଠାତ୍ ଉଭୟ ବୁଡ଼ିବାକୁ ଲାଗିଲେ। ଦୁଇ ଭାଇ – ଉଭୟ ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ। ସାନ ଭାଇ ପ୍ରକାଶ କୌଣସି ମତେ ବଞ୍ଚିଗଲେ। କିନ୍ତୁ, ବଡ଼ ଭାଇ ଆକାଶଙ୍କୁ ସୁଅ ଟାଣିନେଲା। ଚାହୁଁଚାହୁଁ ମହାନଦୀର କରାଳ ସୁଅରେ ଭାସିଗଲେ ଆକାଶ। ଶନିବାର ମଧ୍ୟାହ୍ନରେ ଏହି ଅଘଟଣ ଘଟିଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଆଦି ବହୁ ଖୋଜାଖୋଜି କରି ଆକାଶଙ୍କ କୌଣସି ସନ୍ଧାନ ପାଇ ପାରିନଥିଲେ। ଗତକାଲି ଅନ୍ଧାର ହେବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହି ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଆକାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଟଣା ପରେ ଆକାଶଙ୍କ ବାପା ଅରୁଣ ଏବଂ ମା’ ତଥା ପୂରା ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।ସୂଚନାଯୋଗ୍ୟ ଯେ, ବହୁ ପ୍ରତିଭାର ଅଧିକାରୀ ଥିଲେ ଆକାଶ। ଜଣେ ମେଧାବୀ ଛାତ୍ର ସମେତ ଜୁଡୋ- ଟାଇକୋଣ୍ଡୋ, ବିଭିନ୍ନ ଷ୍ଟଣ୍ଟ୍ ଦେବା, ବାଇକ୍ ରାଇଡିଂ ଏବଂ ବିଭିନ୍ନ ଖେଳ, ଗୀତ, ଡ୍ୟାନ୍ସ୍, ଗୀତାର ବଜାଇବା ଆଦିରେ ପାରଙ୍ଗମ ଥିଲେ ଆକାଶ। ଏନଡିଏରେ ଯିବା ଲକ୍ଷ୍ୟରେ ଥିଲେ ଆକାଶ। ଆକାଶଙ୍କ ଠାରୁ ବହୁତ କିଛି ଆଶା ରଖିଥିଲେ ବାପା ଅରୁଣ ରାଉତରାୟଙ୍କ ସମେତ ପୂରା ପରିବାର। କିନ୍ତୁ, ଆଜି ଭାସିଗଲା ଆକାଶ ଆଉ ଭସାଇଦେଇ ଗଲା ସବୁ ଆଶା, ସବୁ ସ୍ୱପ୍ନ ..
-/DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.