Home ଓଡ଼ିଶା ଭୁଲ୍ ବୁଝାବଣାର ଅନ୍ତ ଘଟିଲା; ଚକ୍ରାନ୍ତକାରୀଙ୍କ ଷଡ଼ଯନ୍ତ୍ର ଧରାପଡ଼ିଲା: କିଏ ସେ ଚକ୍ରାନ୍ତକାରୀ?

ଭୁଲ୍ ବୁଝାବଣାର ଅନ୍ତ ଘଟିଲା; ଚକ୍ରାନ୍ତକାରୀଙ୍କ ଷଡ଼ଯନ୍ତ୍ର ଧରାପଡ଼ିଲା: କିଏ ସେ ଚକ୍ରାନ୍ତକାରୀ?

60

ଭୁବନେଶ୍ୱର/ଭଦ୍ରକ: ସବୁ ଭୁଲ ବୁଝାମଣାର ଅନ୍ତ ଘଟିଲା। ଚକ୍ରାନ୍ତକାରୀଙ୍କ ଷଡ଼ଯନ୍ତ୍ର ଧରାପଡିଲା। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଗୁଆଁ ପଞ୍ଚାୟତର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବତନ ଜିଲ୍ଲା ବିଜେପି ସମ୍ପାଦିକା ଜୟସ୍ମିତା ଗୋଚ୍ଛାୟତ ଦଳର ମୁଖ୍ୟସ୍ରୋତରେ ସାମିଲ ହେଲେ। ଏହା କହିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀର ନେତା ବଦ୍ରୀ ନାରାୟଣ ଧଳ। ତେବେ ଏଠି ପ୍ରଶ୍ନ ଉଠୁଛି, ଭୁଲ୍ ବୁଝାବଣା କେଉଁଠି ଥିଲା, ଆଉ କିଏ ସେ ଷଡ଼ଯନ୍ତ୍ରକାରୀ, କିଏ ସେ ଚକ୍ରାନ୍ତକାରୀ, ଯିଏ ଧରାପଡ଼ିଲା?ବାସ୍ତବ କଥା ହେଲା ଭଦ୍ରକ ଜିଲ୍ଲା ବିଜେପିରେ ଗୋଷ୍ଠୀ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଏଠି ଜିଲ୍ଲା ସଭାପତିଙ୍କର କର୍ତ୍ତୃତ୍ୱ ବୋଲି କିଛି ନାହିଁ। ବିଧାନସଭା ନେତା ବୋଲାଉଥିବା ନେତୃତ୍ୱ ମାନଙ୍କର ନିଷ୍ପତ୍ତିରେ କେବଳ ହଁ ରେ ହଁ ମାରିବାକୁ ବାଧ୍ୟ ହେଉଛନ୍ତି ଜିଲ୍ଲା ସଭାପତି। ୨୦୨୪ରେ ନିଜ ପାଇଁ ଟିକେଟ୍ ଲକ୍ଷରେ ନିର୍ବାଚନ ମଣ୍ଡଳୀର ନେତାମାନେ ମନମାନି ଚଲାଉଥିବା କାରଣରୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି କାରଣରୁ ଜୟସ୍ମିତା ଗୋଛାୟତ ନିଜ ପଦବୀ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିଲେ। ବଦ୍ରୀ ନାରାୟଣ ଧଳଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଜୟସ୍ମିତା ଦଳ ଛାଡ଼ିଥିଲେ। ନିଜ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଭଣ୍ଡାରିପୋଖରୀ ବିଧାୟକ ପାର୍ଥୀ (ବଦ୍ରୀ ଧଳ)ଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ହୋଇ, ସମସ୍ତ ସମର୍ଥକଙ୍କ ସହ ଜିଲ୍ଲା ସମ୍ପାଦିକା ତଥା ବିଜେପି ଦଳରୁ ଇସ୍ତଫା ଦେଉଛି ବୋଲି ଇସ୍ତଫା ଦେବା ପୂର୍ବରୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଜୟସ୍ମିତା ଗୋଛାୟତ। ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପଠାଇଥିଲେ। ତେବେ, ଜିଲ୍ଲା ସଭାପତି କରିଥାଆନ୍ତେ ବା କ’ଣ? ବଦ୍ରୀ ଧଳଙ୍କ ଆଗରେ ନାଚାର ହୋଇ ନୀରବ ବସି ରହିଥିଲେ ହେମନ୍ତ ପାଢ଼ୀ। କାରଣ ଏଠି ଜିଲ୍ଲା ସଭାପତିଙ୍କର କର୍ତ୍ତୃତ୍ୱ ବୋଲି ତ’ କିଛି ବୋଲି ନାହିଁ। ବିଧାନସଭା ନେତା ବୋଲାଉଥିବା ନେତୃତ୍ୱ ମାନଙ୍କର ନିଷ୍ପତ୍ତିରେ କେବଳ ହଁ ରେ ହଁ ମାରିବାକୁ ବାଧ୍ୟ ହେଉଛନ୍ତି ଜିଲ୍ଲା ସଭାପତି। ସେତେବେଳେ ହଁ ରେ ହଁ ମାରିଲେ ଏବେ ମଧ୍ୟ ହଁ ରେ ହଁ ମାରିବାକୁ ବାଧ୍ୟ। ଜିଲ୍ଲା ସଭାପତିଙ୍କ ସ୍ୱୀକୃତି ନେବା କିମ୍ବା ତାଙ୍କୁ ଏ’ ବାବଦରେ ଅବଗତ କରାଇବାର ଆଦୌ ଆବଶ୍ୟକତା ଅନୁଭବ କରନ୍ତି ନାହିଁ ବଦ୍ରୀ ଧଳ। ଯେତେବେଳେ କି ନିଜେ ବଦ୍ରୀ ଧଳ ଏହା ପୂର୍ବରୁ ଜିଲ୍ଲା ସଭାପତି ଥିଲେ।କଂଗ୍ରେସରୁ ଆସି ବଦ୍ରୀ ବିଜେପି ଟିକେଟରେ ଦୁଇ ଦୁଇ ଥର ନିର୍ବାଚନ ଲଢ଼ି ପରାଜୟ ବରଣ କରି ସାରିଲେଣି। ଏପରି ସ୍ଥିତିରେ ଆଗାମୀ ନିର୍ବାଚନରେ ଭଣ୍ଡାରପୋଖରୀ ଆସନ ପାଇଁ ବିଜେପି ଟିକେଟରେ ପରିବର୍ତ୍ତନ ହେବା ନେଇ କୁହାଯାଉଥିବା ବେଳେ, ସେହି ଆସନ ପାଇଁ ଏବେଠାରୁ ଦୁଇ/ତିନି ଜଣ ନଜର ପକାଇଲେଣି। ବଦ୍ରୀ କିନ୍ତୁ ପୁନର୍ବାର ଟିକେଟ୍ ପାଇବା ଆଶାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଲାଇଛନ୍ତି। ବିଜେପିର ସାଙ୍ଗଠନିକ ବ୍ୟବସ୍ଥାରେ ନୁହେଁ ନିଜ ସମୀକରଣ ଅନୁଯାୟୀ ସେ ଯାହାକୁ ପାରୁଛନ୍ତି କେତେବେଳେ ଅଣଦେଖା କରୁଛନ୍ତି ପୁଣି ଆଣି ସାମିଲ୍ କରାଇ ଦେଉଛନ୍ତି। ଭୁଲ୍ ବୁଝାବଣା ଆଉ କାହାର ନଥିଲା। ଭୁଲ୍ ବୁଝାବଣା ବଦ୍ରୀ ଧଳଙ୍କର ହିଁ ଥିଲା। ତେଣୁ ସେତେବେଳେ ଅଣଦେଖା କଲେ। ଚକ୍ରାନ୍ତକାରୀ, ଷଡ଼ଯନ୍ତ୍ରକାରୀ ନିଜେ ବଦ୍ରୀ ହିଁ ଥିଲେ। ଆଉ ଏବେ ଦଳର ମୁଖ୍ୟସ୍ରୋତରେ ନୁହେଁ, ବଦ୍ରୀ ଧଳଙ୍କ ଟିକେଟ୍ ଆଶାର ସ୍ରୋତରେ ଜୟସ୍ମିତାଙ୍କ ଆବଶ୍ୟକତା ଅନୁଭବ କରି ବଦ୍ରୀ ତାଙ୍କୁ ପୁଣି ଦଳରେ ସାମିଲ୍ କରାଇଲେ ବୋଲି ସାଧାରଣରେ ଆଲୋଚନା ହେଉଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.