Home ଓଡ଼ିଶା କିନରମାନଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆଇନଗତ ସୁରକ୍ଷା ଦେବା ଉପରେ ଶୁଣାଣି କରିବେ ସୁପ୍ରୀମ କୋର୍ଟ...

କିନରମାନଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆଇନଗତ ସୁରକ୍ଷା ଦେବା ଉପରେ ଶୁଣାଣି କରିବେ ସୁପ୍ରୀମ କୋର୍ଟ – କେନ୍ଦ୍ରକୁ ମାଗିଲେ ଜବାବ

90

ନୂଆଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) : ଯୌନ ଶୋଷଣ ମାମଲାରେ ମହିଳାଙ୍କ ଭଳି କିନରମାନଙ୍କୁ ଯୌନ ଉତ୍ପୀଡ଼ନର ସମାନ ଆଇନଗତ ସୁରକ୍ଷା ଉପରେ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି କରିବେ। ଆଜି କୋର୍ଟ ଏକ ଆବେଦନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ଓକିଲ ରୂପକ କଂସାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଆଇପିସିର ଧାରା ୩୫୪ ଅନୁଯାୟୀ ମହିଳାମାନଙ୍କୁ ଭୁଲ ଢ଼ଙ୍ଗରେ ସ୍ପର୍ଶ କରିବା କିମ୍ବା ସେମାନଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯାଉଛି। କିନରମାନଙ୍କ ସହିତ ଏହିପରି ଘଟଣା ସାଧାରଣ ଅଟେ। କିନ୍ତୁ ସେମାନଙ୍କପାଇଁ କୌଣସି ଆଇନଗତ ସୁରକ୍ଷା ନାହିଁ।

ଏହି ଆବେଦନରେ ଦର୍ଶାଯାଇଛି ଯେ, ସମ୍ବିଧାନର ଧାରା ୧୪ ସମସ୍ତଙ୍କୁ ସମାନତାର ଅଧିକାର ଦେଇଥାଏ। ଧାରା ୨୧ ସମସ୍ତଙ୍କୁ ସମ୍ମାନର ସହିତ ଜୀବନର ଅଧିକାର ଦେଇଥାଏ। କିନ୍ତୁ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏହି ଅଧିକାର ପାଇନାହିଁ। ମହିଳା କିମ୍ବା ପୁରୁଷଙ୍କୁ ଦୃଷ୍ଟିରେ ରଖି ଅଧିକାଂଶ ନିୟମ କରାଯାଇଛି।

ଅନ୍ତତଃ ପକ୍ଷେ ଯୌନ ଶୋଷଣ ସହ ଜଡିତ ଆଇନଗୁଡ଼ିକରେ ପରିବର୍ତ୍ତନ କରାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। ଟ୍ରାନ୍ସଜେଣ୍ଡର ସହିତ ଯୌନ ଶୋଷଣକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଏହି ଶ୍ରେଣୀ ମଧ୍ୟ ସମ୍ମାନ ସହିତ ବଞ୍ଚିବ। ଟ୍ରାନ୍ସଜେଣ୍ଡରଙ୍କ ଅଭିଯୋଗ ଉପରେ ମଧ୍ୟ ପୋଲିସ କହିପାରିବ ନାହିଁ ଯେ ଏହି ପ୍ରସଙ୍ଗରେ କୌଣସି ଆଇନ ନାହିଁ।

ଆଜି ଏହି ପ୍ରସଙ୍ଗର ସଂକ୍ଷିପ୍ତ ଶୁଣାଣିରେ କୋର୍ଟ ଏହାକୁ ଏକ ଭଲ ଆବେଦନ ବୋଲି କହିଛନ୍ତି। ଚିଫ୍ ଜଷ୍ଟିସ୍ ଏସ୍ ଏ ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ସୁବ୍ରମଣ୍ୟମ୍ ଏହାକୁ ଶୁଣାଣି କରି କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.