Home ଓଡ଼ିଶା ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଭିଭାଷଣ: କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ...

ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଭିଭାଷଣ: କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ଭ୍ରମ ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ରାଜ୍ୟ ସରକାର – ନଡ୍ଡା

81

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁନର୍ଗଠିତ ରାଜ୍ୟ ବିଜେପିର ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଛି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ଯୋଗଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ତାଙ୍କ ଉଦ୍ଘାଟନୀ ଅଭିଭାଷଣ ରଖିଥିଲେ। ଓଡ଼ିଶାରେ ଦୀର୍ଘ ସମୟ ରାଜନୈତିକ ଲଢ଼େଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡ଼ିଛି। ୩୩ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡ଼ିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ବିଜେପିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଡଃ ଜଗତ ପ୍ରକାଶ ନଡ୍ଡା।

ନଡ୍ଡା କହିଥିଲେ, କୋଭିଡ ସଙ୍କଟ ସମୟରେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫ୍ୟୁ’ ଜରିଆ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୁୟସୀ ପ୍ରଶଂସା କରିଛନ୍ତି। କୋଭିଡ ଟେଷ୍ଟିଂ ସଂଖ୍ୟା ପ୍ରତିଦିନ ୧୫୦୦ରୁ ୧୦ ଲକ୍ଷ ୧୦ ହଜାରକୁ ବୃଦ୍ଧି, ଦେଶରେ ୧୫୦୦ରୁ ଉର୍ଦ୍ଧ୍ୱ କୋଭିଡ ହସ୍‌ପିଟାଲ ସହ ୨ ଲକ୍ଷ ଶଯ୍ୟା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇପାରିଛି। ସ୍ୱାସ୍ଥ୍ୟ ସେବା ପାଇଁ ପିପିଇ କିଟ୍ ଭାରତରେ ଉତ୍ପାଦନ ହେଉ ନଥିବାବେଳେ ବର୍ତ୍ତମାନ ପ୍ରତିଦିନ ୪ ଲକ୍ଷ ୫୦ ହଜାର ପିପିଇ କିଟ୍ ପ୍ରସ୍ତୁତ ହେଉଛି। କରୋନାରୁ ଏବେ ଦେଶରେ ୭୪.୩୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଆଶ୍ୱସ୍ତ ପ୍ରଦାନ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଜାତୀୟ ଶିକ୍ଷାନୀତି -୨୦୨୦ ଭାରତର ଭାଗ୍ୟ ବଦଳାଇଦେବ। ପ୍ରଥମ ଶ୍ରେଣୀରୁ  ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢ଼ିବା ଏବଂ ନିଜ ଇଚ୍ଛା ଅନୁସାରେ ବିଷୟ ଚୟନ କରିବାର ଅଧିକାର ନୂଆ ଶିକ୍ଷା ନୀତିରେ ବ୍ୟବସ୍ଥା ହୋଇଛି। କେହି ବି ଜଣେ ଶିକ୍ଷାରୁ ବଂଚିତ ନହେବେ ସେ ନେଇ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ଏକ ଟାକ୍ସଫୋର୍ସ ଗଠନ କରି କାର୍ଯ୍ୟ କରନ୍ତୁ। ବିଜେପି କାର୍ଯ୍ୟକର୍ତ୍ତା ମାନେ ଏ’ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ। ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ନିଟ୍ ର ପ୍ରଶ୍ନପତ୍ର ୯ଟି ଭାଷାରେ କରାଯାଉଛି। ଏହା ଦ୍ୱାରା ଗ୍ରାମାଞ୍ଚଳର ମେଧାବୀ ଛାତ୍ର ଡାକ୍ତରୀ ଶିକ୍ଷା ପଢ଼ିବାରେ ଯୋଗ୍ୟ ହୋଇପାରୁଛି।

କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଗରିବ ଲୋକଙ୍କୁ ମାର୍ଚ୍ଚ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ  ୫ କିଲୋ ଚାଉଳ କିମ୍ବା ଗହମ ଏବଂ ପ୍ରତି ପରିବାରକୁ ୧ କିଲୋ ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ୮ କୋଟି ମହିଳାଙ୍କୁ ମାଗଣା ଗ୍ୟାସ ଯୋଗାଇ ଦିଆଯାଇଛି। ୨୦ କୋଟି ଲୋକଙ୍କୁ ଜନଧନ ଯୋଜନାରେ ଡିବିଟି ମାଧ୍ୟମରେ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧୀ ଯୋଜନାରେ ୮ କୋଟି ୭୪ ଲକ୍ଷ ଚାଷୀଙ୍କୁ ୧୭ ହଜାର କୋଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଭିତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତିକ ଭିତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା କୃଷି ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟ କ୍ଷେତ୍ର ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। ଓଡ଼ିଶାର ଚାଷୀ ଭାଇଭଉଣୀ ମାନେ ମଧ୍ୟ ଏହି ଯୋଜନାରେ ଲାଭାନ୍ୱିତ ହେବା ଆବଶ୍ୟକ। ଉଠା ଦୋକାନୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ୧୦ ହଜାର ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ ଆଦି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ରୋଜଗାର ଅଭିଯାନ ଚାଲୁ ରହିଛି। ଆଗାମୀ ଦିନରେ ଡିଜିଟାଲ ସ୍ୱାସ୍ଥ୍ୟ ମିସନ ସାରା ଦେଶରେ ଲାଗୁ କରାଯିବ। ଏହା ଦ୍ୱାରା ଗୋଟିଏ କାର୍ଡରେ ସମସ୍ତ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ରଖିପାରିବେ। ବିଜେପି କାର୍ଯ୍ୟକର୍ତ୍ତା ମାନେ ଆତ୍ମନିର୍ଭର ପ୍ୟାକେଜ, ଭିତିଭୂମି ପାଣ୍ଠି, ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଦେବା ଆଦି କାର୍ଯ୍ୟରେ ନିଜକୁୁ ନିୟୋଜିତ କରି ଲୋକଙ୍କୁ ଏ’ ସଂପର୍କରେ ଅବଗତ କରାଇବା ପାଇଁ ଡଃ ନଡ୍ଡା କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତ୍ତା ମାନେ ‘ଭୋକାଲ ଫର୍ ଲୋକାଲ’ ହୁଅନ୍ତୁ। ପିପିଲିର ଚାନ୍ଦୁଆ, ରାଘୁରାଜପୁର ପଟ୍ଟଚିତ୍ର ଓ ବୟନଶିଳ୍ପକୁ ଗ୍ଲୋବାଲ କରିବା ଆବଶ୍ୟକ। ଆଗାମୀ ଦିନେର ୬ ଲକ୍ଷ ଗାଁକୁ ଅପଟିକାଲ ଫାଇବାର ସଂଯୋଗୀ କରଣ କରି ଡିଜିଟାଲ ଗାଁ ନିର୍ମାଣ ହେବ। କରୋନା ସଙ୍କଟ ସମୟରେ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା ମାନେ ୬ ଲକ୍ଷ ୯୦ ହଜାର ରାସନ କିଟ, ୭ ଲକ୍ଷ ସାନିଟାଇଜର ଏବଂ ସାଢ଼େ ୫ ଲକ୍ଷ ମାସ୍କ ବଣ୍ଟନ କରିବା କାର୍ଯ୍ୟକୁ ଡଃ ନଡ୍ଡା ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୪୫୧ କି.ମି ଦୀର୍ଘ ବିଶିଷ୍ଟ ଦୀଘା- ଗୋପାଳପୁର ଉପକୂଳ ସଡ଼କ ପଥ ନିର୍ମାଣ ପାଇଁ ୯ ହଜାର କୋଟି, ୨୯୦ କି.ମି ଦୀର୍ଘ ବିଶିଷ୍ଟ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୫୧ କୋଟି, କଟକ- ଅନୁଗୁଳ- ସମ୍ବଲପୁର ଜାତୀୟ ରାଜରାସ୍ତା- ୫୫ ପାଇଁ ଅନୁଦାନ ପ୍ରଦାନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଭୁବନେଶ୍ୱରରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ହେବା କାରଣରୁ ସାଧାରଣ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି ନଡ୍ଡା କହିଛନ୍ତି।

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ନାମିତ କରି ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଯୋଜନା, ଆତ୍ନନିର୍ଭର ଭାରତ ଯୋଜନାରେ ନିଜ ନାଁ ଲଗାଇ ପ୍ରଚାର କରିବା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ର ସରକାର ଯୋଜନାରେ ରାଜ୍ୟ ସରକାର ଏବଂ ବିଜେଡି ନେତାମାନେ ଦୂର୍ନୀତି ଓ ଭ୍ରଷ୍ଟାଚାର କରୁଛନ୍ତି। ଗରିବ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖୁଛନ୍ତି ରାଜ୍ୟ ସରକାର। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କଲେ ରାଜ୍ୟର ୨ କୋଟି ୪୦ ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ନଡ୍ଡା କହିଛନ୍ତି। ନିଜ ଉପରେ ଏବଂ ନିଜ କର୍ତ୍ତବ୍ୟ, ଯୋଗ୍ୟତା ଉପରେ ବିଶ୍ୱାସ ରଖି କାର୍ଯ୍ୟକର୍ତ୍ତା ମାନେ ନିଜକୁ ପରିପକ୍ୱ କରିବା ଆବଶ୍ୟକ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଜେ ପି ନଡ୍ଡା ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଙ୍ଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ୍ ପାତ୍ର, ଭୂବନେଶ୍ୱର ରାଜ୍ୟ କାର୍ଯ୍ୟଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.