Home ଓଡ଼ିଶା ଔଷଧ ଉଦ୍ୟୋଗ ଓ ସଂଘଗୁଡ଼ିକର ପ୍ରମୁଖଙ୍କ ସହ ପୀୟୂଷ ଗୋୟଲଙ୍କ ଆଲୋଚନା

ଔଷଧ ଉଦ୍ୟୋଗ ଓ ସଂଘଗୁଡ଼ିକର ପ୍ରମୁଖଙ୍କ ସହ ପୀୟୂଷ ଗୋୟଲଙ୍କ ଆଲୋଚନା

334

– କୋଭିଡ ସଙ୍କଟର ମୁକାବିଲା ପାଇଁ ଆଗେଇ ଆସିଥିବାରୁ ଉଦ୍ୟୋଗ ଜଗତକୁ ପ୍ରଶଂସା
– ଭାରତ ବର୍ତ୍ତମାନ ‘ବିଶ୍ଵ ଔଷଧ ଜଗତର କେନ୍ଦ୍ର’ ଭାବେ ବିବେଚିତ ହେଉଛି
– ଆତ୍ମନିର୍ଭର ଭାରତରେ ଔଷଧ ଉଦ୍ୟୋଗର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି

ନୂଆଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଔଷଧ ଉଦ୍ୟୋଗଗୁଡ଼ିକର ପ୍ରମୁଖ ଏବଂ ଔଷଧ ସଂଘଗୁଡ଼ିକର ପଦାଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଏହି ବୈଠକରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଚ.ଏସ ପୁରୀ ଏବଂ ବାଣିଜ୍ୟ ବିଭାଗ ସଚିବ ସୋମ ପ୍ରକାଶ ଏବଂ ଔଷଧ ଓ ବାଣିଜ୍ୟ, ଔଷଧ ଓ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

କୋଭିଡ ୧୯ ସଙ୍କଟ ସମୟରେ ପରିସ୍ଥିତିର ଆବଶ୍ୟକତାକୁ ପୂରଣ କରିବା ଲାଗି ଆଗେଇ ଆସି ଭାରତକୁ ଗର୍ବିତ କରିଥିବା କାରଣରୁ ଶ୍ରୀ ଗୋୟଲ ଔଷଧ ଉଦ୍ୟୋଗ ଜଗତକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭାରତ ବର୍ତ୍ତମାନ ‘ବିଶ୍ଵ ଔଷଧ ଉଦ୍ୟୋଗ ଜଗତର କେନ୍ଦ୍ର’ ଭାବେ ବିବେଚିତ ହେଉଛି। ବିଶ୍ଵର ୧୨୦ରୁ ଅଧିକ ରାଷ୍ଟ୍ର ବତ୍ତର୍ମାନ ଭାରତ ଉପରେ ଜରୁରି ଔଷଧ ପାଇଁ ନିର୍ଭର କରୁଛନ୍ତି, ଏଥିମଧ୍ୟରୁ ୪୦ଟି ରାଷ୍ଟ୍ରକୁ ଏସବୁ ଔଷଧ ମାଗଣାରେ ଅନୁଦାନ ଆକାରରେ ଯୋଗାଇ ଦିଆଯାଉଛି। ଏହି ସଙ୍କଟ ସମୟରେ ଜରୁରି ଔଷଧ ରପ୍ତାନି କରିବା ଲାଗି ଡିଜିଏଫଟି, ଏମଇଏ, ସ୍ଵାସ୍ଥ୍ୟ ଏବଂ ଡିଓପି ବିଭାଗ ଦିନରାତି କାମ କରୁଛନ୍ତି। ସାରା ବିଶ୍ଵ ଭାରତର ଉଦାରତାକୁ ପ୍ରଶଂସା କରୁଛି ଏବଂ ଭାରତର ସୁନାମ ଓ ସମ୍ମାନ ବୃଦ୍ଧି ପାଇଛି। ସେ କହିଥିଲେ ଯେ ଭାରତ ଏଚସିକ୍ୟୁ ଓ ପିସିଏମ ଭଳି ଜରୁରି ଔଷଧ ଯଥେଷ୍ଟ ପରିମାଣରେ ଉତ୍ପାଦନ କରୁଛି ଯାହାଫଳରେ ଘରୋଇ ଆବଶ୍ୟକତା ପୂରଣ କରାଯାଇପାରିବ, ଜରୁରୀ ରାଷ୍ଟ୍ରଗୁଡ଼ିକୁ ପ୍ରଥମେ ଯୋଗାଣ କରିପାରିବ। ଏହାଛଡ଼ା ମନ୍ଦ ଉଦ୍ଦେଶ୍ୟରେ ଯେପରିକ କେହି ଏହାକୁ ବେଆଇନ ଭାବେ ମହଜୁଦ କରି ରଖିପାରିବେ ନାହିଁ ତାହା ସୁନିଶ୍ଚିତ କରୁଛି।

ଅଭୂତପୂର୍ବ କାର୍ଯ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ ଔଷଧ ଉଦ୍ୟୋଗ ଜଗତକୁ ପ୍ରଶଂସା କରିଥିଲେ। ଏହି ସମୟରେ ଦେଶ ଯେପରି ଔଷଧ ଅଭାବର ସମ୍ମୁଖୀନ ନହେବ ତାହା ସୁନିଶ୍ଚିତ କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଆଗୁଆ ଲକଡାଉନ ଜାରି ହେବା କାରଣରୁ ମହାମାରୀ ସଂକ୍ରମଣକୁ ପ୍ରତିରୋଧ ଏବଂ ଅବରୋଧ କରିବା, ସ୍ଵାସ୍ଥ୍ୟ ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ ବୃଦ୍ଧି ବ୍ୟତୀତ ଲୋକମାନଙ୍କ ମଧ୍ୟରେ ସତର୍କତା ଓ ନିରାକରଣ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସମ୍ଭବ ହୋଇପାରିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କୋଭିଡ-୧୯ର ସକ୍ରିୟ ମୁକାବିଲା କ୍ଷେତ୍ରରେ ଭାରତ ଏକ ଉଦାହରଣ ପ୍ରସ୍ତୁତ କରିପାରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଲ୍ୟାଣ ଓ ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି।

ଉଦ୍ୟୋଗ ଜଗତ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ପାଇଁ ଶ୍ରୀ ଗୋୟଲ ଆଶ୍ବାସନା ଦେଇଥିଲେ। ସେ କହିଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ଉଦ୍ୟୋଗ ଜଗତର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ।

ମନ୍ତ୍ରୀ କହିଥିଲେ ଯେ ଡମ୍ପିଂ ନିରୋଧୀ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। କୌଣସି ଅନୈତିକ ପ୍ରତିଯୋଗିତା କିମ୍ବା ବାଧକ ଦୃଷ୍ଟିଗୋଚର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ମନ୍ତ୍ରୀ କହିଥିଲେ ଯେ ଉଦ୍ୟୋଗ ଜଗତଗୁଡ଼ିକୁ ପୂର୍ବ ୟୁରୋପ ଏବଂ ରୁଷରେ ଥିବା ବଜାର ସମ୍ଭାବନାକୁ ଖୋଜିବା ଉଚିତ। ସେ ଶିକ୍ଷାବିତ, ବିଶ୍ଵବିଦ୍ୟାଳୟ, ଆଇସିଏମଆର ଓ ଘରୋଇ କ୍ଷେତ୍ରକୁ ଗବେଷଣା ଓ ବିକାଶ କାର୍ଯ୍ୟ ନିମନ୍ତ ଯୋଡ଼ି ହେବାକୁ ଆହ୍ଵାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.