Home Top News ଅବିଶ୍ଵାସନୀୟ, ଅକଳ୍ପନୀୟ: ପୂରା ବଦଳିଯିବ ପୁରୀ ମାନଚିତ୍ର; ଶ୍ରୀକ୍ଷେତ୍ର ହେବାକୁ ଯାଉଛି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ...

ଅବିଶ୍ଵାସନୀୟ, ଅକଳ୍ପନୀୟ: ପୂରା ବଦଳିଯିବ ପୁରୀ ମାନଚିତ୍ର; ଶ୍ରୀକ୍ଷେତ୍ର ହେବାକୁ ଯାଉଛି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ହବ୍ ..

79

ଭୁବନେଶ୍ୱର/ପୁରୀ: ଶ୍ରୀକ୍ଷେତ୍ର ପୁରୀ ବହୁତ ବଦଳି ଯାଇଛି। ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ ଲାଗୁଛି ଏବେ ଜଗନ୍ନାଥ ଧାମ ପୁରୀ। ତେବେ, ଏହା କିଛି ନୁହେଁ, ଆଗକୁ ଆହୁରୀ ବଦଳିଯିବ ଶ୍ରୀକ୍ଷେତ୍ର ପୁରୀ। ଶ୍ରୀକ୍ଷେତ୍ର ହେବାକୁ ଯାଉଛି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ହବ୍। ଏ’ ନେଇ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ସ୍ତରୀୟ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ହବ୍ ଭାବରେ ପରିଣତ କରିବା ନେଇ ଯୋଜନା ପ୍ରସ୍ତୁତ ସରିଛି। ଏକ ୱେବନାର କାର୍ଯ୍ୟକ୍ରମରେ ଯୋଗଦେଇ ଗଜପତି ଏହି ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା, କିପରି ହେବାକୁ ଯାଉଛି ଶ୍ରୀକ୍ଷେତ୍ର ପୁରୀ ଧାମର ରୂପରେଖ –

● ଅଭ୍ୟର୍ଥନା କେନ୍ଦ୍ର –
ଏମାର ମଠ ସ୍ଥାନରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ, ଅଭ୍ୟର୍ଥନା କେନ୍ଦ୍ର ମାଧ୍ୟମ ଦେଇ ଯିବେ। ସେଠାରେ ୪ ରୁ ୫ ହଜାର ଲୋକଙ୍କ ପାଇଁ ଲାଇନରେ ଠିଆ ହୋଇ ପାରିବା ପରି ବ୍ୟବସ୍ଥା ରହିବ। ଏଠାରୁ କଡ଼ା ଯାଞ୍ଚ ପରେ ସିଂହଦ୍ୱାର ଦେଇ ଭକ୍ତ ମାନେ ମନ୍ଦିର ପ୍ରବେଶ କରିବେ।

● ଅତ୍ୟାଧୁନିକ ହେବ ବଡ଼ଦାଣ୍ଡ –
ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ରାସ୍ତାକୁ ଅଧିକ ସ୍ୱଚ୍ଛ ସୁନ୍ଦର ଏବଂ ଆକର୍ଷଣୀୟ କରାଯିବ।

● ବିକଶିତ ହେବ ପ୍ରମୋଦ ଉଦ୍ୟାନ –
ବଡ଼ଦାଣ୍ଡ ମଝିରେ ଥିବା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ୪୨ ଏକରରେ ଥିବା ପ୍ରମୋଦ ଉଦ୍ୟାନକୁ ଏକ ଅତ୍ୟାଧୁନିକ ସୁନ୍ଦର ବଗିଚା କରାଯିବ। ଭକ୍ତ ମାନଙ୍କ ପାଇଁ ସେଠାରେ ବିଶ୍ରାମ ନେବା ପାଇଁ ସୁବ୍ୟବସ୍ଥା କରାଯିବ।

● ‘ଶ୍ରୀ ସେତୁ’ ସୁପର୍ ହାଇୱେ ଓ ପିଲଗ୍ରୀମ୍ ସେଣ୍ଟର୍ –
ଜଗନ୍ନାଥ ବଲ୍ଲଭ ମଠର ଗୋଟିଏ ପାର୍ଶ୍ଵରେ ପିଲଗ୍ରୀମ୍ ସେଣ୍ଟର୍ ନିର୍ମାଣ କରାଯିବ। ‘ଶ୍ରୀ ସେତୁ’ ମାଧ୍ୟମରେ ହାଇୱେ ସହିତ ଏହାର ସିଧା ସଂଯୋଗ ରହିବ। ଏହାକୁ ସୁପର୍ ହାଇୱେ ଭାବରେ ନିର୍ମାଣ କରାଯିବ। ଏହି ‘ଶ୍ରୀ ସେତୁ’ ମାଧ୍ୟମରେ ଯାତ୍ରୀ ସିଧାସଳଖ ଆସି ପିଲଗ୍ରୀମ୍ ସେଣ୍ଟରରେ ପହଞ୍ଚିବେ। ଏଠାରେ ପାର୍କିଂ ବ୍ୟବସ୍ଥା ସହିତ ରିଫ୍ରେସ ପାଇଁ ଏବଂ ଭୋଜନ ବ୍ୟବସ୍ଥା ରହିବ।

● ନାମ ସଂକୀର୍ତ୍ତନ –
ମେଘନାଦ ପାଚେରୀ ୫୫ ମିଟର ପରିଧି ଭିତରେ ଶ୍ରୀମନ୍ଦିର ଭିତରେ ଥିବା ମହାପ୍ରଭୂ ମାନଙ୍କ ବିଜେ, ଭକ୍ତ ମାନଙ୍କର ପରିକ୍ରମା ପାଇଁ ବ୍ୟବସ୍ଥା କରାଯିବ। ଯାହା ଦ୍ୱାରା ନାମ ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ କରାଯାଇ ପାରିବ। ଦକ୍ଷିଣ ପାର୍ଶ୍ଵରେ ଏକ ସଂସ୍କୃତି ମଣ୍ଡପ ନିର୍ମାଣ ହେବ, ଯେଉଁଠି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇପାରିବ।

● ହୋମ ଯଜ୍ଞ ଏବଂ ନାମ ଯଜ୍ଞ –
ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ଵରେ ବୈଦିକ ହୋମ ଯଜ୍ଞ ଏବଂ ନାମ ଯଜ୍ଞ ପାଇଁ ବ୍ୟବସ୍ଥା କରାଯିବ। ଯେଉଁଠାରେ ନୈଷ୍ଟିକ ଶାସନୀ ବ୍ରାହ୍ମଣ ମାନଙ୍କ ଦ୍ୱାରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବୈଦିକ ରୀତିରେ ହୋମ ଏବଂ ନାମ ଯଜ୍ଞ କରାଯିବ। ଏଠାରେ ସିଧାସଳଖ କିମ୍ବା ଅନଲାଇନ୍ ରେଜିଷ୍ଟ୍ରେସନ ମାଧ୍ୟମରେ ସବସ୍କ୍ରାଇବ କରି ଯେ କୌଣସି ଭକ୍ତ ବିଶ୍ୱର ଯେ କୌଣସି ସ୍ଥାନରେ ରହି ଜଜମାନ ରହି ନିଜ ପରିବାର ବା ଜଗତ ମଙ୍ଗଳ ପାଇଁ ହୋମ କିମ୍ୱା ନାମ ଯଜ୍ଞ କରାଇ ପାରିବେ।

● ଅନ୍ନଯଜ୍ଞ, ମାଗଣାରେ ମିଳିବ ମହାପ୍ରସାଦ –
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଭକ୍ତଙ୍କ ମଧ୍ୟରେ ଏକ ବଡ଼ ଆକର୍ଷଣ ରହିଛି। ତେଣୁ, ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ପବିତ୍ର ଧାମର ସର୍ବାଙ୍ଗୀନ ଉନ୍ନତି ଯୋଜନା ଭିତରେ “ଅନ୍ନଯଜ୍ଞ” ଯୋଜନା ମୁତାବକ ମାଗଣା ମହାପ୍ରସାଦ ବିତରଣ ଯୋଜନା ରହିଛି। ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ ୭୫ ମିଟର ବେଢ଼ା ବାହାରେ “ଅନ୍ନକ୍ଷେତ୍ର” ନିର୍ମାଣ କରାଯିବ। ଆନନ୍ଦ ବଜାରରେ ଯେଉଁ ମହାପ୍ରସାଦ ବିକ୍ରି ହେଉଛି, ଅନ୍ନକ୍ଷେତ୍ରରେ ତାହାର ସେବନ ବ୍ୟବସ୍ଥା କରାଯିବ। ଏଠାରେ ତିନି ପ୍ରକାର ବ୍ୟବସ୍ଥା ରହିବ। ପ୍ରଥମରେ ସଂପୂର୍ଣ୍ଣ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା ରହିବ ଏବଂ ଏହା ସହିତ ଦ୍ବିତୀୟରେ ବରାଦି ଭୋଗ ପାଇଁ ଦେୟ ଦେବାକୁ ପଡ଼ିବ। ସେହିପରି ତୃତୀୟରେ ଶୀତତାପ ନିୟନ୍ତ୍ରଣ ଏବଂ ହାଇଜେନିକ ବ୍ୟବସ୍ଥା ଭିତରେ ମହାପ୍ରସାଦ ସେବନ ବ୍ୟବସ୍ଥା ରହିବ। ଏଥିପାଇଁ ମଧ୍ୟ ଦେୟ ଦେବାକୁ ପଡ଼ିବ।

● ସାଂସ୍କୃତିକ କେନ୍ଦ୍ର ଏବଂ ଅତ୍ୟାଧୁନିକ ଲାଇବ୍ରେରୀ –
ସିଂହଦ୍ୱାର ସମ୍ମୁଖରେ ଥିବା କିଛି ନିର୍ମାଣକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେବାକୁ ଉଦ୍ୟମ କରୁଛି। ଏହା ସଫଳ ହୋଇଯିବା ପରେ ସେଠାରେ ଏକ ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବ। ଏହାର ତଳେ କେବଳ ଦୁଇ ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା ରହିବ। ଏଠାରେ ରଘୁନନ୍ଦନ ନାମରେ ଅନ୍ତରାଷ୍ଟ୍ରୀୟ ସ୍ତରର ଏକ ଲାଇବ୍ରେରୀ ନିର୍ମାଣ କରାଯିବ। ଏଠାରେ ଲାଇବ୍ରେରୀ ସମେତ ବିକ୍ରି ପାଇଁ ପୁସ୍ତକ ଭଣ୍ଡାର ଏବଂ ଏକ ରିସର୍ଚ୍ଚ ସେଣ୍ଟର୍ ମଧ୍ୟ ରହିବ।

● ଅନ୍ତରାଷ୍ଟ୍ରୀୟ ସ୍ତରର ମିଉଜିୟମ –
ଶ୍ରୀଜଗନ୍ନାଥ ହେରିଟେଜ୍ ନାମରେ ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ମିଉଜିୟମ ନିର୍ମାଣ ହେବ। ଏହା ସହିତ ଏଠାରେ ମଧ୍ୟ ମଲ୍ଟି ମିଡିଆ ସେଣ୍ଟର୍ ରହିବ।

● ବର୍ଷସାରା ଗୁଣ୍ଡିଚା ମନ୍ଦିରରେ ଚାଲିବ କାର୍ଯ୍ୟକ୍ରମ –
ମହାପ୍ରଭୂଙ୍କ ଆବିର୍ଭାବ ସ୍ଥାନ ଗୁଣ୍ଡିଚା ମନ୍ଦିରର ୫ ଏକର ଜାଗାର ସୌନ୍ଦର୍ଯ୍ୟ କରଣ କରାଯିବ। ରଥଯାତ୍ରା ସମୟରେ ଏଠାରେ ଏକ ମାସ ଧରି କାର୍ଯ୍ୟକ୍ରମ ରହୁଥିବା ବେଳେ ବାକି ୧୧ ମାସ ଫାଙ୍କା ପଡ଼ୁଛି। ତେଣୁ ଏଠାରେ ଓଡ଼ିଶୀ କଳା ମାଧ୍ୟମରେ ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ଉପରେ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବାହାର ବେଢ଼ାରେ ମହାପ୍ରଭୁଙ୍କ ଉପରେ ପୌରାଣିକ ଓ ଐତିହାସିକ ଆଧାରିତ ତଥ୍ୟ ପରିବେଷଣ କରାଯିବ।

● ମଠ ଗୁଡ଼ିକର ଉନ୍ନତୀକରଣ –
ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ମଧ୍ୟରେ ଥିବା ମଠ ଗୁଡ଼ିକର ଉନ୍ନତୀକରଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ପରିକ୍ରମା ବାହାରେ ଥିବା ମଠ ଗୁଡ଼ିକର ଉନ୍ନତୀକରଣ କରାଯିବ।

● ଶାମୁକା ଯୋଜନା –
ଶାମୁକା ଯୋଜନାରେ ବେଳାଭୂମିରେ ଅନ୍ତର୍ଜାତୀୟ ସ୍ତରର ଏକ ଇଣ୍ଟର ରିସୋର୍ଟ ସେଣ୍ଟର୍ ନିର୍ମାଣ କରାଯିବ। ଗଜପତି ମହାରାଜଙ୍କ ସୂଚନା ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଆଯାଇଥିବା ଏହି ସବୁ ନିଷ୍ପତ୍ତିକୁ ବିଚାର ପାଇଁ ପଠାଯିବା ପରେ, ଏଏସ୍ଆଇ ଅନୁମୋଦନ ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏହା କାର୍ଯ୍ୟକାରୀ ହୋଇଯିବ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.