Home Top News ନୟାଗଡ଼ ବିଜେପିରେ ମିଶ୍ରଣ ଠାରୁ ବିଚ୍ଛେଦ ଗଭୀର.. !

ନୟାଗଡ଼ ବିଜେପିରେ ମିଶ୍ରଣ ଠାରୁ ବିଚ୍ଛେଦ ଗଭୀର.. !

170

ଭୁବନେଶ୍ୱର/ନୟାଗଡ଼: ନିକଟରେ ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ନାଟୁଗାଁ’ରେ ଆୟୋଜିତ ହୋଇଥିଲା ଏକ ମିଶ୍ରଣ ପର୍ବ। ସାଙ୍ଗରେ ମଧ୍ୟ ଥିଲା ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍। ନୟାଗଡ଼ ବିଜେପି ନେତ୍ରୀ ଇରାଣୀ ରାୟ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଅତିଥି ଭାବରେ ଯୋଗ ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର। ଜଣେ ଓଡ଼ିଆ ସିରିଏଲ୍ ଅଭିନେତ୍ରୀ ମଧ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଉପସ୍ଥିତ ଥିଲେ ନୟାଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ଦାସ, ଯୁବ ମୋର୍ଚ୍ଚା ସଭାପତି ପୃଥ୍ୱୀରାଜ ଦଳବେହେରା ଏବଂ ସ୍ଥାନୀୟ ଜଣେ ଯୁବନେତା ବିନୋଦ କୁମାର ନାୟକ। ସ୍ମୃତି ଏବଂ କସ୍ତୁରୀଙ୍କୁ ଧରି ଇରାଣୀ ଖୋଲା ଜିପରେ ବୁଲାଇଲେ। ଉଭୟ ସ୍ମୃତି ଏବଂ କସ୍ତୁରୀ ଖୁବ୍ ଉତ୍ସାହିତ ଜଣା ପଡ଼ୁଥିଲେ। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି ପଟ୍ଟନାୟକ ଇରାଣୀ ରାୟଙ୍କର ଭୁୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସେପରି କୌଣସି ମହିଳା ସମାବେଶ ନଥିଲା। ମହିଳାଙ୍କ ସମ୍ବଦ୍ଧିତ କୌଣସି କାର୍ଯ୍ୟକ୍ରମ ମଧ୍ୟ ନଥିଲା। କିନ୍ତୁ ଇରାଣୀ ମହିଳା ମୋର୍ଚ୍ଚାର ଦୁଇ ଦୁଇ ଜଣ ନେତ୍ରୀଙ୍କୁ ନିମନ୍ତ୍ରିତ କରିଥିଲେ। ତେବେ, ନୟାଗଡ଼ ବିଜେପିର ଆଉ ଜଣେ ନେତ୍ରୀ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କିମ୍ବା ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପାଇଁ ପ୍ରତିନିଧିତ୍ୱ କରି ଆସୁଥିବା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ସେଠାକୁ ନିମନ୍ତ୍ରିତ କରାଯାଇ ନଥିଲା। ତେବେ, ଏହା ଏମିତି ଏକ ସାଧାରଣ ଘଟଣା ନଥିଲା। ବାସ୍ତବରେ ଏକ ଆଲୋଚନା ଚାଲିଛି, ନୟାଗଡ଼ ବିଜେପିରେ ଚାଲିଛି ପତି – ପତ୍ନୀ ପଲଟିକ୍ସ। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପତି – ପତ୍ନୀ ଯୋଡ଼ି, ଲାଲା ମନୋଜ ରାୟ ଏବେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ଇରାଣୀ ରାୟ ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ିଥିଲେ ନିର୍ବାଚନ। ଏବେ ଇରାଣୀ ମଧ୍ୟ ଅଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା। ନିର୍ବାଚନ ମଣ୍ଡଳୀ ଉପରେ ପତି ପତ୍ନୀଙ୍କ ପୂରା କବ୍ଜା। ଯେମିତି ଚାହୁଁଛନ୍ତି ସେମିତି ଚଲାଉଛନ୍ତି। ଯାହାକୁ ଚାହୁଁଛନ୍ତି ତାକୁ ଗୁରୁତ୍ୱ ଦେଉଛନ୍ତି, ଯାହାକୁ ନ’ଚାହୁଁଛନ୍ତି ତାକୁ ଅଣଦେଖା କରୁଛନ୍ତି। କହିବାକୁ କେହି ନାହିଁ। କାରଣ ଏମାନେ ହେଲେ ମନ୍ତ୍ରୀଙ୍କ ପାଖ ଲୋକ।ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଆସୁଥିବା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ମହିଳା ମୋର୍ଚ୍ଚା ରାଜ୍ୟ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷା ରହି ସାରିଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ନୟାଗଡ଼ ଜିଲ୍ଲା ବିଜେପି ରାଜନୀତିରେ ସୁରମା ପାଢ଼ୀଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ରହିଥିଲା। କିନ୍ତୁ ଲାଲା – ଇରାଣୀ ପତି – ପତ୍ନୀ ଯୋଡ଼ି ବିଜେପିକୁ ଆସିବା ପରଠାରୁ ସୁରମା ପାଢ଼ୀଙ୍କର ଆଉ ସେ ଭାଉ ନାହିଁ। କେବଳ ସେତିକି ନୁହେଁ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କନ୍ଧମାଳର ପୂର୍ବତନ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ମଧ୍ୟ ହେଉଛନ୍ତି ଅବହେଳିତ। ଲାଲା – ଇରାଣୀ ରାୟ ପତି – ପତ୍ନୀ ଯୋଡ଼ି ରାଣୀଙ୍କୁ ସଂପୂର୍ଣ୍ଣ ଭାବରେ କଣଠେସା କରି ରଖିବାକୁ ଚାହୁଁଛନ୍ତି। ଭୟ ରହିଛି କାଳେ ରାଣୀ ୨୦୨୪ରେ ଟିକେଟ୍ ନେଇଯିବେ! ଏହାସହ ଜିଲ୍ଲାର ଆଉ କିଛି ନେତାନେତ୍ରୀଙ୍କୁ ମଧ୍ୟ କରାଯାଉଛି ଅଣଦେଖା। କୁହାଯାଉଛି ଆଗକୁ ହେବାକୁ ଥିବା ପଞ୍ଚାୟତ – ପୌର ନିର୍ବାଚନରେ ପାର୍ଥି ହେବାକୁ ଇଚ୍ଛା ରଖୁଥିବା କିଛି ନେତାନେତ୍ରୀଙ୍କ ଉପରେ ବ୍ରେକ୍ ଲଗାଇବା କାମ କରୁଛନ୍ତି ଏହି ପତି – ପତ୍ନୀ ଯୋଡ଼ି। ଏହାକୁ ନେଇ ନୟାଗଡ଼ ବିଜେପିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଫଳ ସ୍ୱରୂପ ନିକଟରେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷା ନିରୁପମା ଖଟେଇଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ଶ୍ରୀକାନ୍ତ ଖଟେଇ, ରାଜ ପ୍ରଧାନଙ୍କ ସମେତ ନୟାଗଡ଼ ପୌରପରିଷଦର ବିଭିନ୍ନ ୱାର୍ଡ଼ରୁ ଏବଂ ବିଭିନ୍ନ ପଞ୍ଚାୟତରୁ ବହୁ ବିଜେପି କର୍ମୀ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଲାଲା – ଇରାଣୀ ପତି – ପତ୍ନୀଙ୍କ ମନମାନୀ ଯୋଗୁଁ ବିଜେପି ଭିତରେ ଅସନ୍ତୋଷ ବଢ଼ି ଚାଲିଛି, ଦଳ ଭାଙ୍ଗି ଚାଲିଛି। ସୁଧାରିବାକୁ କେହି ନାହାଁନ୍ତି। କାରଣ ପତି – ପତ୍ନୀଙ୍କ ମୁଣ୍ଡ ଉପରେ ମନ୍ତ୍ରୀଙ୍କ ହାତ ରହିଛି। ଏପରି ସ୍ଥିତିରେ ନୟାଗଡ଼ ବିଜେପିକୁ ବୁଡ଼ାଇ ଦେବେ ପତି ପତ୍ନୀ ଔର ୱ .. ବୋଲି ଆଲୋଚନା ଚାଲିଛି। ଏପରି ଆଲୋଚନାକୁ ଏଡ଼ାଇବାକୁ ପତି – ପତ୍ନୀ ଯୋଡ଼ିରୁ ବାହାରି ଇରାଣୀ ମହିଳା ମୋର୍ଚ୍ଚାକୁ ଧରି ଏପରି ଏକ କାର୍ଯ୍ୟକ୍ରମ କରାଇଛନ୍ତି ବୋଲି କୁହାଯାଉଛି!
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.