Home Top News ସ୍ଵୟଂ ସହାୟିକା ଗୋଷ୍ଠୀକୁ ଦଳୀୟ ପ୍ରଚାର ଓ ନେତାମାନଙ୍କ ଆତ୍ମରକ୍ଷା ପାଇଁ ବ୍ୟବହାର କରାନଯାଉ: ମହିଳା...

ସ୍ଵୟଂ ସହାୟିକା ଗୋଷ୍ଠୀକୁ ଦଳୀୟ ପ୍ରଚାର ଓ ନେତାମାନଙ୍କ ଆତ୍ମରକ୍ଷା ପାଇଁ ବ୍ୟବହାର କରାନଯାଉ: ମହିଳା ମୋର୍ଚ୍ଚା

47

ଭୁବନେଶ୍ୱର/ପୁରୀ: ସ୍ଵୟଂ ସହାୟିକା ଗୋଷ୍ଠୀକୁ ଦଳୀୟ ପ୍ରଚାର ଓ ନେତାମାନଙ୍କ ଆତ୍ମରକ୍ଷା ପାଇଁ ବ୍ୟବହାର କରାନଯାଉ ବୋଲି ଦାବୀ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସଂପୃକ୍ତି ଥିବା ଏବଂ ଏଥିରୁ ଧ୍ୟାନ ହଟାଇବା ପାଇଁ ଯୋଜନାବଦ୍ଧ ଭାବରେ ନିମାପଡ଼ା ଠାରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମାବେଶ ଆୟୋଜିତ ହେଉଥିବାକୁ ବିରୋଧ କରି ମହିଳା ମୋର୍ଚ୍ଚା ପକ୍ଷରୁ ଏପରି ଦାବି କରାଯାଇଛି। ସମାଜର ସୁରକ୍ଷା ଓ ସଭ୍ୟ ସମାଜ ନିର୍ମାଣରେ ନାରୀର ଅବଦାନ ଅବର୍ଣ୍ଣନୀୟ। ମହିଳାଙ୍କୁ ସ୍ୱତନ୍ତ୍ର ଓ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା ପାଇଁ ଭାରତ ସରକାର ସର୍ବଦା ଚେଷ୍ଟାରତ ଅଟନ୍ତି। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ଗଠନ ଓ ସଶକ୍ତିକରଣ ପାଇଁ ଗୋଷ୍ଠି ଗୁଡ଼ିକୁ ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅଳ୍ପ ସୁଧରେ ବ୍ୟାଙ୍କ ଋଣ ଯୋଗାଇ ଆତ୍ମନିର୍ଭରଶୀଳ କରିବାର ଉଦ୍ୟମ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନେକ ଯୋଜନା, ଅର୍ଥ ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଗଢ଼ି ଉଠିଥିବା “ମିଶନଶକ୍ତି” ମାଧ୍ୟମରେ ଓଡ଼ିଶାର ମହିଳା ମାନେ ସ୍ବାବଲମ୍ବୀ ହେବାପାଇଁ ପ୍ରୟାସ ଜାରୀ ରଖୁଛନ୍ତି। ମହିଳା ମାନଙ୍କୁ ସଂଘବଦ୍ଧ କରିବା ଓ ମହିଳାଙ୍କ ନେତୃତ୍ୱ ବିକାଶ କରିବାରେ “ମିଶନଶକ୍ତି” ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଅଛି। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏହିକି ଯେ , ମିଶନଶକ୍ତି ମାଧ୍ୟମରେ ପ୍ରଶାସନିକ ଚାପ ପ୍ରୟୋଗ କରି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଜୁ ଜନତା ଦଳର ସଭାସମିତିକୁ ଡାକିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ ଘଟଣା ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଦୁଷ୍କର୍ମ, ହତ୍ୟା ଆଦି ପରି ବିଭିନ୍ନ ଅପରାଧିକ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଓ ବିଧାୟକଙ୍କ ପାପ କର୍ମକୁ ଘୋଡ଼ାଇବା ଉଦ୍ଦେଶ୍ୟରେ ସ୍ଵୟଂ ସହାୟିକା ଗୋଷ୍ଠୀକୁ ବ୍ୟବହାର କରାଯିବା ଘଟଣା ନଜରକୁ ଆସିଛି। ତରବରିଆ ଭାବେ ନିମାପଡ଼ା ଠାରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କର ଏକ ବିଶାଳ ସଭା କରାଯାଉଛି। ନିକଟରେ ପୁରୀ ଜିଲ୍ଲା ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ପଛରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ବର୍ଗତ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ପୂର୍ବର ଏକ ଅଡିଓ ଭାଇରଲ ହେଉଛି। ଯେଉଁଥିରେ ୨ ନମ୍ବର ଦୋଷୀ ଭାବେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଧର୍ମେନ୍ଦ୍ର କହୁଥିବାର ଶୁଣିବାକୁ ମିଳୁଛି। ଆହୁରି ଅନେକ ସ୍କାଣ୍ଡଲ ଓ କଳେଙ୍କାରୀର କାହାଣୀ ସେ ଅଡିଓରୁ ମଧ୍ୟ ଶୁଣିବାକୁ ମିଳୁଛି। ଏହାକୁ ନେଇ ନିମାପଡ଼ା ଓ ଗୋପ ଅଞ୍ଚଳରେ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଜୋରରେ ହେଉଛି। ଠିକ୍ ଏହି ସମୟରେ ପ୍ରଶାସନର ହଠାତ ମିଶନ ଶକ୍ତିର ସଭା ନିମାପଡ଼ାରେ କରିବା ମନରେ ଦ୍ବନ୍ଦ ସୃଷ୍ଟି କରାଉଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସଭାକୁ ସବୁଜ ରଙ୍ଗର ଶାଢୀ ପିନ୍ଧି ଆସିବାକୁ CRP ଓ MBK ମାନଙ୍କ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ସଭାକୁ ଯେଉଁ ଗୋଷ୍ଠୀ ନ’ଆସିବ ସେମାନଙ୍କର ସହାୟତା ରାଶି କାଟିଦେବାର ଧମକ ଦିଆଯାଇଛି। ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ମିଶନ ଶକ୍ତି କୌଣସି ଡ୍ରେସ୍ କୋଡ଼୍ କରିନଥିବା ବେଳେ ବିଜୁ ଜନତା ଦଳର ସଭାକୁ ନୀଳ ରଙ୍ଗର ଶାଢ଼ୀ ପିନ୍ଧିବା ପାଇଁ ବାଧ୍ୟ କରିବା ଅଯୌକ୍ତିକ ଓ ଅଗଣତନ୍ତ୍ରିକ ନୁହେଁ କି ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଶ୍ନ କରାଯାଇଛି।ମହିଳା ମାନଙ୍କର ବିକାଶ, ସଶକ୍ତିକରଣ, ପ୍ରମୋସନ, ପୋଜିସନ ଓ ଦକ୍ଷତା ପାଇଁ କରୁଥିବା କାମକୁ ମହିଳା ମୋର୍ଚ୍ଚା ପ୍ରଶଂସା କରୁଛି। କିନ୍ତୁ, ସରକାରୀ ଧନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ଗଢ଼ି ଉଠିଥିବା ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ଦଳୀୟ ସଭାରେ ଦଳୀୟ କର୍ମୀ ରୂପେ ସଜାଇ, ଦଳୀୟ ପତାକା ଧରାଇବାକୁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତୀବ୍ର ନିନ୍ଦା କରିବା ସହିତ ଏହାଦ୍ୱାରା ସମଗ୍ର ଗୋଷ୍ଠୀ ଭୁକ୍ତ ମହିଳା ମାନେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଯେଉଁଠି ମୃତ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ କାଠଗଡ଼ାରେ ଠିଆ କରିଛି, ସେହି ଅଞ୍ଚଳରେ ଏଭଳି ପ୍ରୟାସ ବନ୍ଦ କରିବାକୁ ଆମେ ଅନୁରୋଧ କରୁଛୁ। ମହିଳା ମାନଙ୍କୁ କାହା ହାତରେ କଣ୍ଢେଇ ସଜାନ୍ତୁ ନାହିଁ। ଦଳୀୟ ସଂପୃକ୍ତି ମହିଳା ସଶକ୍ତିକରଣ ଦିଗରେ ବାଧକ। ଯାହାକି ମିଶନ ଶକ୍ତିର ସଫଳତାରେ ଏକ ପ୍ରଶ୍ନବାଚୀ ଠିଆ କରିବ। ତୁରନ୍ତ ହସ୍ତକ୍ଷେପ କରି ଏହିଭଳି ଅନୀତିକର କାର୍ଯ୍ୟକୁ ବନ୍ଦ୍ କରିବାକୁ ମହିଳା ମୋର୍ଚ୍ଚା ଦାବୀ କରିବା ସହିତ, ଅନ୍ୟଥା ମହିଳା ସମାଜର ସ୍ବାର୍ଥ ଦୃଷ୍ଟିରୁ ଓ ମାନବାଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ବ୍ୟତୀତ ବିଜେପି ରାଜ୍ୟ ଉପାଧ୍ୟକ୍ଷା ତଥା ନିମାପଡ଼ା ବିଜେପି ଚେହେରା ପ୍ରଭାତୀ ପରିଡ଼ା, ଅନ୍ୟତମ ଉପାଧ୍ୟକ୍ଷା ତଥା ମହିଳା ମୋର୍ଚ୍ଚା ପ୍ରଭାରୀ ଅନୀତା ଶୁଭଦର୍ଶିନୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ରାଜ୍ୟ ମିଡିଆ ସେଲ୍ ପ୍ରଭାରୀ ସୁଚରୀତା ଜେନାମଣି, ପୁରୀ ଜିଲ୍ଲା ବିଜେପି ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଜିଲ୍ଲା ପ୍ରଭାରୀ ସୁବାସିନୀ ପୃଷ୍ଟି, ଜିଲ୍ଲା ଉପାଧ୍ୟକ୍ଷା ମନସ୍ବିନୀ ଦାସ, ସବିତା ପୃଷ୍ଟି ପ୍ରମୂଖ ସାମିଲ୍ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.