Home Coronavirus Outbreak ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ

ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ

29

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରୀୟ ପିଏସୟୁ ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ ଏବଂ ବ୍ୟାଙ୍କିଂ କ୍ଷେତ୍ରର ପ୍ରମୁଖଙ୍କ ସହ ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭିସି ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଦୃଢ଼ କରିବା, ଆଇସୋଲେସନ ବେଡର କ୍ଷମତା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଅକ୍ସିଜେନ ସଂଯୁକ୍ତ ବେଡକୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା ସହ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବା ଦରକାର ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପିଏସୟୁ ଗୁଡ଼ିକୁ ଖୋଲାବଜାରରୁ ଟିକା କିଣି ନିଜର କର୍ମଚାରୀଙ୍କୁ ଟିକା ଦେବା ସହ ସମାଜରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହ ପ୍ରକାଶ କରିଥିଲେ। କର୍ପୋରେଟ ମାନେ ଟେଷ୍ଟିଂ, ଟିକାକରଣ ସୁବିଧା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତ୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ।

ରାଜ୍ୟର ଦୁଇଟି ଅଗ୍ରଣୀ ଇନଷ୍ଟିଚ୍ୟୁଟ୍ ଆରଏମଆରସି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସକୁ ଅଧିକରୁ ଅଧିକ ଟେଷ୍ଟିକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା ସହ ପିଏସୟୁ ଗୁଡ଼ିକୁ ମଧ୍ୟ ନିଜ ନିଜ ବ୍ୟବସ୍ଥାରେ ଟେଷ୍ଟିଂ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରିବା ପାଇଁ ଧର୍ମେନ୍ଦ୍ର ଆହ୍ୱାନ କରିଥିଲେ। କୋଭିଡ୍- ୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ପାଇଁ ଟେଷ୍ଟିଂ ବଢ଼ାଇବା, ଜରୁରିକାଳୀନ ଔଷଧ ତଥା ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଦୃଢ଼ କରି ରାଜ୍ୟ ସରକାରଙ୍କୁ ସହଯୋଗ କରିବା ତଥା ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ଆଲୋଚନା ହୋଇଥିଲା। ସମସ୍ତେ ମିଳିତ ଭାବେ କରୋନା ମହାମାରୀର ସାମ୍ନା କରିପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଭିସି ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଏଆଇଆଇଏମଏସ୍ ଭୁବନେଶ୍ୱର, ଆଇଏଲଏସ୍ ଭୁବନେଶ୍ୱର, ଆଇସିଏମଆର, ଆରଏମଆରସି ଭୁବନେଶ୍ୱର, ଏନଏଚଏମ ଓଡ଼ିଶା ନିର୍ଦ୍ଦେଶିକାଙ୍କ ସମେତ ଇଷ୍ଟକୋଷ୍ଟ ରେଲୱେ, ଏଏଆଇ, ଏସବିଆଇ, ନାବାର୍ଡ, ପାରାଦ୍ୱୀପ ପୋର୍ଟ, ମହାନଦୀ କୋଲ୍ ଏବଂ ନାଲକୋ ଅଧିକାରୀ ମାନେ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.