Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି

ବାଲେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି

31

ବାଲେଶ୍ୱର, ୧୬ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ୨୬ ତାରିଖର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ନିଷ୍ପତି ନିଆଯାଇଥିଲା। ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ସହରରେ ରାମଧୁନ ପରିବେଷଣ କରାଯିବ। ସକାଳ ଘ୭.୩୦ ମିନିଟ ସୁଦ୍ଧା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଜାତୀୟ ପତାକା ଉତୋଳନ କରାଯିବ। ସ୍ଥାନୀୟ ପୋଲିସ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବେ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ କେବଳ ପୁଲିସ ବାହିନୀ ଅଂଶଗ୍ରହଣ କରିବେ। ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍ ଏଥିରେ ଭାଗ ନେବେ ନାହିଁ। ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକା ଅନୁଯାୟୀ କୋଭିଡ ଯୋଦ୍ଧାଙ୍କ ସମେତ ସୀମିତ ସଂଖ୍ୟକ ଅତିଥିଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ କରାଯିବ। ଅନ୍ୟ ଦର୍ଶକମାନଙ୍କୁ ପଡିଆ ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। କୋଭିଡ କଟକଣା ଅନୁଯାୟୀ ପଡିଆ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ ପ୍ରବନ୍ଧ, କୁଇଜ ପ୍ରତିଯୋଗିତା ଆୟୋଜନ କରିବା ନିମନ୍ତେ ସ୍ଥିରୀକୃତ ହୋଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ବ୍ୟାରିକେଡିଂ, ମଂଚ ସଜ୍ଜା, ପରିମଳ, ଆଶୁ ଚିକିତ୍ସା, ଆଇନଶୃଙ୍ଖଳା, ପାନୀୟ ଜଳ, ଅତିଥି ବସିବା ସ୍ଥାନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସେହିପରି ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକାର ଅନୁପାଳନ କରି ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେଶ କୁମାର ପାଣିଗ୍ରାହୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.