Home ଅପରାଧ ଜାଣନ୍ତୁ; ବାସ୍ତବରେ ଜୁମ୍ ଆପ୍ କାହାର ଏବଂ ଏହା କେତେ ସୁରକ୍ଷିତ, କେତେ ବିପଦଜନକ ..

ଜାଣନ୍ତୁ; ବାସ୍ତବରେ ଜୁମ୍ ଆପ୍ କାହାର ଏବଂ ଏହା କେତେ ସୁରକ୍ଷିତ, କେତେ ବିପଦଜନକ ..

299

ଭୁବନେଶ୍ୱର: ସୀମାରେ ଭାରତ ଚାଇନା ବିବାଦ ଏବଂ ହିଂସାକାଣ୍ଡ ପରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ସରକାର ଚାଇନିଜ୍ ଲିଙ୍କ ଥିବା ୫୯ ଆପ୍ ବ୍ୟାନ କରିଛନ୍ତି। ଏହାକୁ ଭାରତ ପକ୍ଷରୁ ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ତେବେ ପୂର୍ବରୁ ସବୁଠାରୁ ଅଧିକ ଆଲୋଚନା ହେଉଥିବା ଜୁମ୍ ଆପକୁ ବ୍ୟାନ୍ କରାଯାଇ ନାହିଁ। ଏହାକୁ ନେଇ ଅନେକଙ୍କ ମଧ୍ୟରେ ଏକ ସନ୍ଦେହ ରହିଛି। କେତେକ ଏହାକୁ ଚାଇନିଜ୍ ଆପ୍ ଭାବୁଥିବା ବେଳେ କେତେକ ଏହାକୁ ଆମେରିକାନ୍ ଆପ୍ ବୋଲି ଭାବୁଛନ୍ତି। ଅନେକ ଲୋକ ଏବଂ ଅନେକ ଅନୁଷ୍ଠାନ ସନ୍ଦେହରେ ଜୁମ୍ ଆପ୍ ବ୍ୟବହାର କରୁ ନାହାଁନ୍ତି। ଅନେକ ଲୋକ ମୋବାଇଲରୁ ଜୁମ୍ ଆପ୍ ଡିଲିଟ୍ କରିଦେଇଛନ୍ତି। କିନ୍ତୁ, ଏଥିରୁ ବ୍ୟତିକ୍ରମ ରହିଛି ବିଜେପି। ନିଜର ପ୍ରଚାର ପାଇଁ ବରଂ ଜୁମ୍ ଆପର ଲୋକପ୍ରିୟତା ବଢ଼ାଇ ଏହାକୁ ଘରେ ଘରେ ପହଞ୍ଚାଉଛି ବିଜେପି।

କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ମୋଦୀ ସରକାର ୨.୧ର ରିପୋର୍ଟ କାର୍ଡ ଜନତାଙ୍କ ନିକଟରେ ରଖୁଛି ବିଜେପି। ଦଳର ବରିଷ୍ଠ ମନ୍ତ୍ରୀ ଏବଂ ପଦାଧିକାରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସମ୍ବୋଧିତ କରି ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ବର୍ଣ୍ଣନା କରୁଛନ୍ତି। ତଦ୍ ଅନୁଯାୟୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ “ଓଡ଼ିଶା ଜନ ସମ୍ବାଦ ରାଲି”ରେ ସମ୍ବୋଧିତ କରି ସାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅମିତ ଶାହା ତାଙ୍କ ସମ୍ବୋଧନରେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ଉପରେ କହିବା ସହ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ରହିଥିବା ଅବଦାନ ଗୁଡ଼ିକ ବଖାଣିଥିଲେ। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ସରକାରଙ୍କ ଅବଦାନ ଗୁଡ଼ିକ ବଖାଣି ଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ତେବେ, ଏତିକିରେ ମନ ପୁରିଲା ନାହିଁ। ଏହାପରେ ଓଡ଼ିଶା ମହିଳା ଜନ ସମ୍ବାଦ ରାଲି, ଓଡ଼ିଶା କୃଷକ ଜନ ସମ୍ବାଦ ରାଲି, ଓଡ଼ିଶା ଯୁବ ସମ୍ବାଦ ରାଲି, ବିଧାନସଭା କ୍ଷେତ୍ର ଅନୁଯାୟୀ ଜନ ସମ୍ବାଦ ରାଲି, ଜିଲ୍ଲା ଅନୁଯାୟୀ ବିଭିନ୍ନ ମୋର୍ଚ୍ଚା ଜନ ସମ୍ବାଦ ରାଲି ଆଦି ଘନଘନ କରାଯାଉଛି ଅବା କରିବା ପାଇଁ ପ୍ରସ୍ତୁତି ଚାଲିଛି। ସେହି କଥାକୁ, ସେହି କଥାକୁ ବାରମ୍ବାର ଦୋହରା ଯାଉଛି। ଅମିତ ଶାହା ଯୋଗ ଦେଇଥିବା ଓଡ଼ିଶା ଜନ ସମ୍ବାଦ ରାଲି ଫେସବୁକ୍, ଟ୍ୱିଟର୍, ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରଣ ହେବା ସହିତ ୱେବ୍- ଏକ୍ସ୍ ଡିଜିଟାଲ୍ ପ୍ଲାଟଫର୍ମ୍ ମାଧ୍ୟମରେ ଏହି ଭର୍ଚୁଆଲ୍ ରାଲିରେ ସିଧାସଳଖ ଯୋଡ଼ି ହୋଇଥିଲେ ବିଜେପି କାର୍ଯ୍ୟକର୍ତ୍ତା। କିନ୍ତୁ, ଏହା ପରଠାରୁ ହେଉଥିବା ଜନ ସମ୍ବାଦ ଭର୍ଚୁଆଲ୍ ରାଲି ପାଇଁ ପ୍ରାୟତଃ ବ୍ୟବହାର କରାଯାଉଛି ଜୁମ୍ ଆପ୍। ଯେତେବେଳେ ଜୁମ୍ ଏକ ଚାଇନିଜ୍ ଆପ୍ ବୋଲି ଚାରିଆଡ଼େ ଆଲୋଚନା ଆରମ୍ଭ ହେଲା ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ଜୁମ୍ ଆପ୍ ବ୍ୟବହାର ନେଇ ଆଡଭାଇଜରୀ ଜାରୀ ହେବା କଥା କୁହାଗଲା, ସେତେବେଳେ ଅନେକ ଲୋକ ନିଜ ମୋବାଇଲରୁ ଜୁମ୍ ଆପ୍ ଡିଲିଟ୍ କରିଦେଲେ। ତୃଣମୂଳ ସ୍ତରର ଅନେକ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ କିଛି ଚାଇନିଜ୍ ଆପ୍ ସହ ଜୁମ୍ ଆପ୍ ନିଜ ମୋବାଇଲରୁ ଡିଲିଟ୍ କରିଦେଇ ଥିଲେ। କିନ୍ତୁ, ଭର୍ଚୁଆଲ୍ ରାଲି ପାଇଁ ରାଜ୍ୟ ବିଜେପି ପକ୍ଷରୁ ଏମାନଙ୍କ ପାଖକୁ ଜୁମ୍ ଆପ୍ ଲିଙ୍କ୍ ପଠାଯାଇ ଏଥିରେ ଯୋଡ଼ି ହେବାକୁ କୁହାଗଲା। ଅନିଚ୍ଛା ସତ୍ତ୍ୱେ ଏହି କାର୍ଯ୍ୟକର୍ତ୍ତାମାନେ ବାଧ୍ୟ ହୋଇ ପୁଣି ଜୁମ୍ ଆପ୍ ଇଂଷ୍ଟାଲ୍ କଲେ। ଯିଏ କେବେ ଜୁମ୍ ଆପ୍ ବ୍ୟବହାର କରୁନଥିଲା ସେ ମଧ୍ୟ ବିଜେପି ନେତୃତ୍ୱଙ୍କ କଥାରେ ପଡ଼ି ଜୁମ୍ ଆପ୍ ଇଂଷ୍ଟାଲ୍ କଲେ। ଯେତେବେଳେ କେହି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଏ’ ନେଇ ପ୍ରଶ୍ନ କଲା, ବିଜେପିର ବଡ଼ବଡ଼ିଆ ନେତାନେତ୍ରୀ ଜୁମ୍ ଚାଇନିଜ୍ ଆପ୍ ନୁହେଁ, ଆମେରିକାନ୍ ଆପ୍ ବୋଲି ସେମାନଙ୍କୁ ବୁଝାଇ ଦେଲେ। ସେମାନେ ବି ବୁଝିଗଲେ ଏବଂ ସେମାନେ ଅନ୍ୟକୁ ମଧ୍ୟ ବୁଝାଇବାରେ ଲାଗିଲେ। ଯେତେବେଳେ ଜୁମ୍ ଏକ ଚାଇନିଜ୍ ଆପ୍ ବୋଲି ଚାରିଆଡ଼େ ଆଲୋଚନା ଚାଲିଥିଲା, ସେତେବେଳେ ବିଜେପି ନେତୃତ୍ୱ ମାନେ ମିଟିଂ ପୂର୍ବରୁ କାର୍ଯ୍ୟକର୍ତ୍ତା ମାନଙ୍କ ପାଖକୁ କେବଳ ଗ୍ରୁପରେ ଜୁମ୍ ଆପ୍ ଲିଙ୍କ୍ ଏବଂ ଏହାର ପାସୱାର୍ଡ ପଠାଉଥିଲେ। ଏବେ କିନ୍ତୁ, କେନ୍ଦ୍ର ସରକାର ବ୍ୟାନ୍ କରିଥିବା ଆପ୍ ଭିତରେ ଜୁମ୍ ଆପ୍ ନଥିବା ଦେଖି ଏମାନେ ଏବେ ଖୁଲମଖୋଲା ଜୁମ୍ ଆପ୍ ମିଟିଂ ପାଇଁ ଲିଙ୍କ୍ ଏବଂ ପାସୱାର୍ଡ ଫେସବୁକ୍ ଆଦି ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି। ଜୁମ୍ ଆପ୍ ମାଧ୍ୟମରେ ଘନଘନ ମିଟିଂ ମଧ୍ୟ ହେଉଛି।

ଏବେ ସିନା ଭାରତ ସରକାର ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କଲେ, କିନ୍ତୁ ଏହାର କିଛିଦିନ ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ଚାଇନା ସହିତ ସଂଯୁକ୍ତ ଜୁମ୍ ସମେତ ୫୨ଟି ମୋବାଇଲ୍ ଆପ୍ଲିକେସନକୁ ଅବରୋଧ କରିବାକୁ କିମ୍ବା ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ସରକାରଙ୍କୁ କହିଥିଲେ। ଏହି ଆପ୍ ଗୁଡ଼ିକ ବ୍ୟବହାର କରିବା ସୁରକ୍ଷିତ ନୁହେଁ, କାରଣ ଏହି ଆପ୍ ଗୁଡ଼ିକ ଭାରତରୁ ବହୁ ପରିମାଣରେ ତଥ୍ୟ ଲିକ୍ କରୁଛନ୍ତି ବୋଲି କହିଥିଲେ ସୁରକ୍ଷା ଏଜେନ୍ସି। ଗୁପ୍ତଚର ଏଜେନ୍ସି ଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ମଧ୍ୟ ସମର୍ଥନ କରିଥିଲା। ସୁରକ୍ଷା ପରିଷଦ ମଧ୍ୟ ବିଶ୍ୱାସ କରୁଥିଲା ଯେ ଏହି ଆପ ଗୁଡ଼ିକ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ଗତ ଏପ୍ରିଲ ମାସରେ ଗୃହ ମନ୍ତ୍ରଣାଳୟ ଭିଡିଓ କନ୍ଫରେନ୍ସିଂ ଆପ୍ ଜୁମ୍ ବ୍ୟବହାର ଉପରେ ଏକ ଆଡଭାଇଜର୍ ଜାରି କରିଥିଲା। ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି କମ୍ପ୍ୟୁଟର ଜରୁରୀକାଳୀନ ରେସପନ୍ସ ଟିମ୍ ଇଣ୍ଡିଆ (CERT-in) ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ଦିଆଯାଇଥିଲା। ସୁରକ୍ଷା ଏଜେନ୍ସି ଗୁଡ଼ିକର କହିବା ଅନୁଯାୟୀ, ଚାଇନିଜ୍ ଡେଭଲପର୍ସଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା କିମ୍ବା ଚାଇନିଜ୍ ଲିଙ୍କ୍ ଆପ୍ ଗୁଡ଼ିକ ଆଣ୍ଡ୍ରଏଡ୍ ପାଇଁ ହେଉ କିମ୍ବା ଆଇଓଏସ୍ ପାଇଁ ହେଉ, ଗୁପ୍ତଚର ବୃତ୍ତି କିମ୍ବା ଅନ୍ୟାନ୍ୟ କ୍ଷତିକାରକ ଭାବରେ ବ୍ୟବହାର କରାଯାଇ ପାରେ। ପାଶ୍ଚାତ୍ୟ ଦେଶ ଗୁଡ଼ିକର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଚୀନ୍ ସହିତ ଜଡ଼ିତ ହାର୍ଡୱେର୍ ଏବଂ ସଫ୍ଟୱେର୍ ବିଷୟରେ ସମାନ ଚିନ୍ତା ପ୍ରକଟ କରିଛନ୍ତି। ଏକ ଯୁକ୍ତି ମଧ୍ୟ କରାଯାଏ ଯେ ଯୁଦ୍ଧ ହେଲେ ଯୋଗାଯୋଗ ସେବା ସେମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରେ।

ବାସ୍ତବରେ ଜୁମ୍ ଆପ୍ କାହାର ଏବଂ ଏହା କେତେ ସୁରକ୍ଷିତ, କେତେ ବିପଦଜନକ –
ଭିଡିଓ କମ୍ୟୁନିକେସନ୍ ଆପ୍ ଜୁମ୍ ହେଉଛି ଏକ ଆମେରିକୀୟ କମ୍ପାନୀ। ଜଣେ ଚାଇନା ନାଗରିକଙ୍କ ଦ୍ୱାରା ଆମେରିକାରେ ପ୍ରସ୍ତୁତ କରାଯାଇ ଥିବା ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ୍ ହେଲା ଜୁମ୍। ଏହା ମୂଳ ଚାଇନା ନିବାସୀ ତଥା ଆମେରିକୀୟ ବ୍ୟବସାୟୀ ଏରିକ୍ ୟୁଆନନେଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ୨୩ ବର୍ଷ ପୂର୍ବେ ଯେତେବେଳେ ଇଣ୍ଟରନେଟ୍ ଦ୍ରୁତ ଗତିରେ ବିଶ୍ୱରେ ପ୍ରସାର ଲାଭ କରୁଥିଲା, ସେତେବେଳେ ଚାଇନାର ଏରିକ୍ ୟୁଆନ୍ ଆମେରିକା ଆସିବାକୁ ନିଷ୍ପତ୍ତି ନେଇଥିଲେ। ସେ ଜାଣିଥିଲେ ଯେ ଚାଇନାରେ ଭବିଷ୍ୟତ ନାହିଁ ଏବଂ ଆମେରିକାରେ ସେ ତାଙ୍କର ବିଶ୍ୱବ୍ୟାପୀ ବ୍ୟବସାୟିକ ଚିନ୍ତାଧାରାକୁ ଭଲ ଭାବରେ କାର୍ଯ୍ୟକାରୀ କରିବାକୁ ସମର୍ଥ ହୋଇପାରିବେ। ଦୁଇ ବର୍ଷରେ ଆଠ ଥର ଭିସା ଆବେଦନ ବାତିଲ ହେବା ପରେ ୟୁଆନ୍ ଶେଷରେ ଭିସା ପାଇଲେ ଏବଂ ଆମେରିକାର ସିଲିକନ୍ ଭ୍ୟାଲିରେ ଆସି ପହଞ୍ଚିଲେ ଏବଂ ଆରମ୍ଭ କଲେ ଜୁମ୍ ଆପ୍। ଜୁମ୍ ଆପ୍ ପ୍ରଥମେ ଆମେରିକାର ୱାଲ୍ ଷ୍ଟ୍ରିଟ୍ ପରିସର ମଧ୍ୟରେ ଲୋକପ୍ରିୟ ଥିଲା। ଧୀରେ ଧୀରେ ଏହା ବିଶ୍ୱରେ ନିଜର କାୟା ବିସ୍ତାର କରିବାକୁ ଲାଗିଲା। ଏବେ ଯେତେବେଳେ କରୋନା ଆତଙ୍କ କାରଣରୁ ଦୁନିଆ ଲକ୍ ଡାଉନ୍ ଭିତରେ ରହିଲା ଏହି ସମୟରେ ଜୁମ୍ ବ୍ୟବସାୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଲା। ସେନ୍ସର ଟାୱାର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୦ ଭିତରେ ଜୁମ୍ ଦୁନିଆର ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ୍ ହୋଇଗଲା। ଭାରତରେ ଏହି ଆପ୍ ଲକଡାଉନ୍ ସମୟରେ ସବୁଠାରୁ ଲୋକପ୍ରିୟ ଆପ୍ ଟିକଟକକୁ ମଧ୍ୟ ପଛରେ ପକାଇଦେଲା।

ଜୁମ୍ ଆପ୍ ଏକ ଆମେରିକୀୟ ଆପ୍ ହୋଇପାରେ। କିନ୍ତୁ, ଏହାର ସର୍ବେସର୍ବା ହେଉଛନ୍ତି ଜଣେ ଚାଇନିଜ୍ ବ୍ୟକ୍ତି। ଏହାର ଡାଟା କେନ୍ଦ୍ର ଗୁଡ଼ିକ ଏକ ଗ୍ରୁପରେ ଚାଇନା, ଅଷ୍ଟ୍ରେଲିଆ, କାନାଡା, ୟୁରୋପ, ଭାରତ, ଜାପାନ, ହଂକଂ, ଲାଟିନ୍ ଆମେରିକା ଏବଂ ଆମେରିକା ଆଦି ସ୍ଥାନରେ ରହିଛି। ତେବେ ଜୁମ୍ ଆପର ସୁରକ୍ଷା ଏବଂ ଏହା ଚାଇନାକୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗ ଉଠିବା ପରେ କିଛି ଦିନ ପୂର୍ବରୁ ଜୁମ୍ ସ୍ୱୀକାର କରିଥିଲା ଯେ ଏହାର କିଛି ଡେଟା ଭାୟା ଚାଇନା ହୋଇ ବିଶ୍ୱର ଅନ୍ୟ ସ୍ଥାନକୁ ଯାଇଥିଲା। ଡାଟା ସେଣ୍ଟରରେ ଟ୍ରାଫିକ୍ ବୃଦ୍ଧି ଯୋଗୁଁ ଏପରି ହୋଇଥିଲା। ଉପଭୋକ୍ତା ମାନଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ହେତୁ ଜୁମ୍ ଏହାର ସର୍ଭର କ୍ଷମତାକୁ ବୃଦ୍ଧି କରିବାକୁ ପଡ଼ିଲା। ଯେଉଁଥିରେ ଭୁଲ୍ ଭାବରେ କିଛି ଡେଟା, କଲ୍ ବ୍ୟାକଅପ୍ ଭାବରେ ଭାୟା ଚାଇନା ସର୍ଭର ଦେଇ ଅନ୍ୟ ସ୍ଥାନକୁ ଯାଇଥିଲା। ଏହା ଏକ ତୃଟି ଥିଲା ଏବଂ ଏହାପରେ ଏହି ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଜୁମ୍ ପକ୍ଷରୁ କୁହାଯାଇଥିଲା। ତେବେ, ଜୁମ୍ ଆପରେ ଅନେକ ଲୁପହୋଲ୍ସ୍ ରହିଥିବା କୁହାଯାଉଛି। ଯାହା ହ୍ୟାକର୍ସ ମାନଙ୍କ କାର୍ଯ୍ୟକୁ ସହଜ କରିଥାଏ। ଏମିତିରେ ବହୁ ପରିମାଣରେ ସମ୍ଭବ ଯେ ଜଣେ ତୃତୀୟ ବ୍ୟକ୍ତି ଆପଣଙ୍କର ଭିଡିଓ କନଫରେନ୍ସିଂ ମିଟିଂ ଶୁଣିପାରେ। ଏଭଳି ପରିସ୍ଥିତିରେ ଯଦି ମିଟିଂରେ ଦେଶର ସୁରକ୍ଷା କିମ୍ବା ଗୁପ୍ତ ସୂଚନା ବିଷୟରେ ଆଲୋଚନା ହୁଏ, ତେବେ ଏହା ନିଶ୍ଚିତ ଭାବରେ ବିପଜ୍ଜନକ ହୋଇପାରେ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.