Home ଓଡ଼ିଶା ରାଜନୀତି ଛାଡ଼ିଦେବେ ପ୍ରତାପ ଷଡ଼ଙ୍ଗୀ!

ରାଜନୀତି ଛାଡ଼ିଦେବେ ପ୍ରତାପ ଷଡ଼ଙ୍ଗୀ!

1369

ସନ୍ୟାସୀ ନେବେ ରାଜନୀତିରୁ ସନ୍ୟାସ?
ଭୁବନେଶ୍ୱର:ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ରାଜନୀତି ଛାଡ଼ିଦେବେ!କ’ଣ ବିଜେପି ରାଜନୀତିରେ ସନ୍ୟାସୀ କୁହାଯାଉଥିବା ଏହି ସନ୍ୟାସୀ ରାଜନୀତିରୁ ସନ୍ୟାସ ନେଇଯିବେ?ଏହିପରି ଏକ ଆଲୋଚନା ଏବେ ବିଜେପି ଭିତରୁ ଶୁଣିବାକୁ ମିଳୁଛି।ତେବେ ଏହି ଆଲୋଚନା ଏକ ଗୁଜବ,ନାଁ ଏ ଆଲୋଚନା ଭିତରେ କିଛି ସତ୍ୟତା ଲୁଚି ରହିଛି?

ପ୍ରତାପ ଷଡ଼ଙ୍ଗୀ କେବଳ ବିଜେପି ଭିତରେ ନୁହେଁ,ସଂପୂର୍ଣ୍ଣ ଓଡ଼ିଶା ରାଜନୀତିରେ ଏକ ପରିଚିତ ଚେହେରା।ନିର୍ମଳ ଭାବମୂର୍ତ୍ତି,ନିରାଡ଼ମ୍ବର ଜୀବନଶୈଳୀ,ତେଜସ୍ୱି ବକ୍ତା,ପ୍ରଖର ରାଷ୍ଟ୍ରବାଦୀ ତଥା ହିନ୍ଦୁବାଦୀ ଚେହେରା ଭାବରେ ପ୍ରତାପ ଷଡ଼ଙ୍ଗୀର ପରିଚୟ ରହିଛି।ବିନା କ୍ଷମତାରେ ମଧ୍ୟ ତାଙ୍କର ଏକ ନିଜସ୍ୱ ପରିଚୟ ରହିଛି।ବିଜେପି ସମେତ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କୁ ସମ୍ମାନ କରିଥାଆନ୍ତି।ନୀଳଗିରିରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି ପ୍ରତାପ।ଏବେ ପୁଣି ଆସୁଛି ନିର୍ବାଚନ।ତେବେ ଏ ଭିତରେ ପ୍ରତାପ ରାଜନୀତିରୁ ସନ୍ୟାସ ନେବା କଥା ଉଠିବାର କାରଣ ଅବା କ’ଣ?

ପ୍ରତାପ ଷଡ଼ଙ୍ଗୀ ଦୁଇ ଦୁଇ ଥର ବିଧାୟକ ହୋଇ ପାରିଛନ୍ତି।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରୁ ଆସିଥିବା ପ୍ରତାପ ଷଡ଼ଙ୍ଗୀ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇବା ପରେ ରାଜନୀତିକୁ ଆସିଥିଲେ।ପ୍ରଥମଥର ୨୦୦୪ ନିର୍ବାଚନରେ ସେ ବିଜେପି/ବିଜେଡି ମେଣ୍ଟ ପକ୍ଷରୁ ବିଜେପିରୁ ପାର୍ଥି ହୋଇଥିଲେ।ପୂର୍ବରୁ କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ଗଡ଼ ରହି ଆସିଥିବା ନୀଳଗିରିରୁ ପ୍ରତାପ ୨୦୦୪ରେ ଆସନଟି ଛଡ଼ାଇ ଆଣିଥିଲେ।ପ୍ରତାପ ୪୮.୪୯ % ଭୋଟ ପାଇ ନିର୍ବାଚନ ଜିତିଥିଲେ।ଏହାପରେ ୨୦୦୯ରେ ବିଜେପି ବିଜେଡି ମେଣ୍ଟ ଭାଙ୍ଗି ଯାଇଥିଲା।ପ୍ରତାପ ବିଜେପିରୁ ଏବଂ ସ୍ୱାଧୀନ ଭାବରେ ଦୁଇଟି ନାମାଙ୍କନ ପତ୍ର ଦାଖଲ କରିଥିଲେ।ବିଜେପି ପାର୍ଥିପତ୍ର ନାକଚ ହୋଇଯାଇଥିଲା।ତେବେ ବିଜେପି ସମର୍ଥିତ ହିସାବରେ ସ୍ୱାଧୀନ ପାର୍ଥି ଭାବରେ ଲଢ଼ି ସେ ପୁଣି ନୀଳଗିରି ଉପରେ କବଜା ରଖିଥିଲେ।୩୦.୬୩% ପ୍ରତିଶତ ଭୋଟ ହାରରେ ୩୫,୫୨୫ ଖଣ୍ଡ ଭୋଟ ପାଇ ସେ ନିର୍ବାଚନ ଜିତିଥିଲେ।ତେବେ ୨୦୧୪ରେ ସେ ବିଧାୟକ ଭାବରେ ନଲଢ଼ି ବାଲେଶ୍ୱର ସାଂସଦ ପାଇଁ ଲଢ଼ିଥିଲେ।ତେବେ ସେ ନିର୍ବାଚନ ହାରି ଯାଇଥିଲେ।ନୀଳଗିରିରୁ ବିଜେପି ପାର୍ଥି ହୋଇଥିବା ସୁଷମା ବିଶ୍ୱାଳ ମଧ୍ୟ ନିର୍ବାଚନ ହାରି ଯାଇଥିଲେ।ଆସନଟି ବିଜେଡି ହାତକୁ ଚାଲି ଯାଇଥିଲା।ଆଲୋଚନା ହୁଏ ପ୍ରତାପ ସାଂସଦ ପାଇଁ ଲଢ଼ିବାକୁ ଆଦୌ ଇଛୁକ ନଥିଲେ।ଏପରିବି ଆଲୋଚନା ହୁଏ,ଚକ୍ରାନ୍ତ କରି ତାଙ୍କୁ ସାଂସଦ ଭାବରେ ଲଢ଼ିଆ ଯାଇଥିଲା।ଏବଂ ଦଳର ଏକ ଶୃଙ୍ଖଳିତ ସଦସ୍ୟ ଭାବରେ ନିଜର ଅନିଚ୍ଛା ସତ୍ତ୍ୱେ ସେ ସାଂସଦ ଭାବରେ ଲଢ଼ିଥିଲେ।

ବାସ୍ତବରେ ପ୍ରତାପ ଷଡ଼ଙ୍ଗୀ ଦଳର ଯେ ଏକ ଶୃଙ୍ଖଳିତ ସଦସ୍ୟ ଏହା ସମସ୍ତେ ଜାଣନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତ ବେଳେ,ସ୍ୱାଗତ ସମୟରେ ମୋଦୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଖରେ ଅଟକି ଯାଇଥିଲେ।ଦଳର ଜଣେ ପୁରୁଣା ଏବଂ ସୁଦୃଢ଼ ସୈନିକ ବୋଲି ପ୍ରତାପଙ୍କୁ କହିଥିଲେ ମୋଦୀ।ଏହାକୁ ନେଇ ସେତେବେଳେ ପ୍ରବଳ ଆଲୋଚନା ହେଇଥିଲା।

ଏହାପରେ ପ୍ରତାପ ଯେ ରାଜ୍ୟ ବିଜେପିରେ ଏକ ପ୍ରମୁଖ ଦାୟିତ୍ୱ ନେଉଛନ୍ତି ବୋଲି ଆଲୋଚନା ହେଲା।ତେବେ ଏ ଆଲୋଚନା ଯେ ପ୍ରଥମ ଥର ହେଲା ତାହା ନୁହେଁ।ପ୍ରତାପ ରାଜ୍ୟ ବିଜେପିରେ ଏକ ପ୍ରମୁଖ ଦାୟିତ୍ୱ ନେଉଛନ୍ତି ବୋଲି ବାରମ୍ବାର ଆଲୋଚନା ହୋଇଛି।ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ବେଳେ ପ୍ରଥମେ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଆଲୋଚନା ହେଉଥିଲା।ସମସ୍ତେ ଏକ ପ୍ରକାର ଭାବି ନେଇଥିଲେ ଯେ ପ୍ରତାପ ଷଡ଼ଙ୍ଗୀ ହିଁ ବିଜେପି ରାଜ୍ୟ ସଭାପତି ହେଉଛନ୍ତି।ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂ ମଧ୍ୟ ପ୍ରତାପଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେପରି ହେଲା ନାହିଁ।ହଠାତ ବସନ୍ତ ପଣ୍ଡାଙ୍କୁ ରାଜ୍ୟ ସଭାପତି କରି ଦିଆଗଲା।ଏବଂ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ପ୍ରତାପ ତାହା ମାନି ନେଲେ।

ଏବେ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ସଭାପତି କରାଯାଉଛି ବୋଲି ବାରମ୍ବାର ଆଲୋଚନା ହେଉଛି।ମୁଁ ସଭାପତି ପାଇଁ ଦୌଡ଼ କରୁନାହିଁ ବୋଲି ପ୍ରତାପ କହିଲେ ମଧ୍ୟ ସଂଘ ଏବଂ ବିଜେପିର ତୃଣମୂଳ ସଙ୍ଗଠନ କାର୍ଯ୍ୟକର୍ତ୍ତା ସେୟା ଚାହୁଁଛନ୍ତି।କିନ୍ତୁ ସେପରି କିଛି ହେଉ ନାହିଁ।ରାଜ୍ୟ ବିଜେପିରେ ନିଜର ପତିଆରା ସୃଷ୍ଟି କରି ଦଳକୁ ଏକ ପ୍ରକାର କବଜା କରି ରଖିଥିବା ଏକ ବଡ଼ ଗୋଷ୍ଠୀ ଏବଂ ମୁଖ୍ୟତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାରେ ଚାହୁଁ ନାହାଁନ୍ତି ଯେ ପ୍ରତାପ ଷଡ଼ଙ୍ଗୀ ସଭାପତି ହୁଅନ୍ତୁ।କେବଳ ଯେ ସଭାପତି ନୁହେଁ,ପ୍ରତାପଙ୍କର ଦଳ ଭିତରେ କୌଣସି ପ୍ରକାର ପ୍ରଭାବ ନରହୁ ନେଇ ଅହରହ ଚାଲିଛି ଯୋଜନା।ପ୍ରତାପଙ୍କୁ ନିଚ୍ଚା ଦେଖାଇବାକୁ ଏହି ଗୋଷ୍ଠୀଙ୍କର ଚାଲିଛି ରଣନୀତି।ଦଳରେ ସେପରି କିଛି ଗୁରୁ ଦାୟିତ୍ୱ ହେଉ ଅବା କେନ୍ଦ୍ରର କୌଣସି ବଡ଼ ବଡ଼ ଯୋଜନା ନେଇ ରାଜ୍ୟରେ କାର୍ଯ୍ୟକ୍ରମ କରିବାରେ ପ୍ରତାପଙ୍କୁ ସେପରି କୌଣସି ଦାୟିତ୍ୱ ଦିଆ ଯାଉନାହିଁ।କୌଣସି ଯୋଜନା ସମ୍ବନ୍ଧରେ ସମ୍ବାଦିକ ସମ୍ମିଳନୀ କରିବା ସମୟରେ ପ୍ରତାପଙ୍କୁ ସହଜରେ ସୁଯୋଗ ଦିଆଯାଏ ନାହିଁ।ଯେତେବେଳେ କି ପ୍ରତାପଙ୍କ କଥା ହିଁ ସାଧାରଣରେ ଭଲ ଗ୍ରହଣୀୟ ଏବଂ ପ୍ରଭାବୀ ହୋଇଥାଏ।କେବଳ ସେତିକି ନୁହେଁ ପ୍ରତାପଙ୍କୁ ନୀଚ୍ଚା ଦେଖାଇବାକୁ ଦଳର କେତେକ ନେତା ତାଙ୍କ କଥାକୁ କାଉଣ୍ଟର କରନ୍ତି।ପ୍ରତାପ ଷଢ଼ଙ୍ଗୀ ଭୁଲ କହୁଛନ୍ତି ବୋଲି ସିଧା ସଳଖ କହନ୍ତି।

ଥରେ ପ୍ରତାପ ଷଢ଼଼ଙ୍ଗୀ କହିଥିଲେ ଯେ,ରାଜ୍ୟରେ ଏକ ଭୟଙ୍କର ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଏଭଳି ସରକାରଙ୍କୁ କିଭଳି ଲୋକମାନେ ବରଦାସ୍ତ କରିଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି।ନବୀନ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରି ୨୦ ବର୍ଷ ହେଲା ଶାସନ କରି ଆସୁଛନ୍ତି।ତେବେ ଏଥିପାଇଁ ଆମେମାନେ ଦାୟୀ କହି ନିଜକୁ ଓ ଦଳକୁ ଦାୟୀ କରିଥିଲେ ପ୍ରତାପ।ବିଜେଡ଼ିର ବିକଳ୍ପ ପ୍ରସ୍ତୁତ କରିବାରେ ଆମେ ବିଫଳ ହୋଇଛୁ ବୋଲି ପ୍ରତାପ କହିଥିଲେ।ତେବେ ଏହାପରେ ଏନେଇ ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସିଧାସଳଖ କହିଥିଲେ ଯେ,ପ୍ରତାପ ଷଢ଼ଙ୍ଗୀ ଭୁଲ୍ କହୁଛନ୍ତି।ଏବଂ ଏହା ତାଙ୍କର ବ୍ୟକ୍ତିଗତ ମତ।ଏକ ମାତ୍ର ବିରୋଧୀ ଦଳ ଭାବେ ବିଜେଡ଼ିର ବିକଳ୍ପ ଭାବେ ବିଜେପି ନିଜକୁ ଠିକ୍ ଭାବେ ଉପସ୍ଥାପିତ କରିପାରିଛି।୨୦୧୯ରେ ଦଳ ଭଲ ପ୍ରଦର୍ଶନ କରି ସରକାର ଗଢ଼ିବ ଏବଂ ଅସଜଡ଼ା ଶାସନ ବ୍ୟବସ୍ଥାକୁ ସଜାଡ଼ିବ ବୋଲି ପୃଥ୍ୱୀରାଜ କହିଥିଲେ।ପ୍ରତାପ ଷଢ଼ଙ୍ଗୀଙ୍କ ମନ୍ତବ୍ୟରେ ସେପରି କିଛି ତୃଟି ଥିଲା ପରି ଜଣାପଡୁ ନଥିଲା।ସେ ବିଜେଡିକୁ କଠୋର ସମାଲୋଚନା କରିବା ସହ ନିଜକୁ ତଥା ଦଳକୁ ଶକ୍ତିଶାଳୀ କରିବା ନେଇ ଏକ ବାର୍ତ୍ତା ରଖିଥିଲେ।ଏହାକୁ ନେଇ ପୃଥ୍ୱୀରାଜ ଖଣ୍ଡନ କରିବା ଏବଂ ସିଧା ସଳଖ ପ୍ରତାପ ଷଢ଼ଙ୍ଗୀ ଭୁଲ କହୁଛନ୍ତି,ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିବା କେତେଦୂର ସମୀଚିନ ଥିଲା?ନାଁ ଏହା ଉଦ୍ଦେଶ୍ୟମୂଳକ ଥିଲା?କେବଳ ଏତିକି ନୁହେଁ,ଧର୍ମେନ୍ଦଙ୍କୁ ଖୁସି କରାଇବା ପାଇଁ ତଥା ସେହି ପ୍ରଭାବୀଶାଳୀ ଗୋଷ୍ଠୀ ଭିତରେ ନିଜର ସ୍ଥାନ ରଖିବା ପାଇଁ ପ୍ରତାପଙ୍କୁ ଜାଣିଶୁଣି ରାଜ୍ୟର କିଛି ନେତା ନିଚ୍ଚା ଦେଖାଇବାକୁ ଅନବରତ ଉଦ୍ୟମ କରି ଆସୁଛନ୍ତି।ଏପରିକି କିଛି ନେତା/ନେତ୍ରୀ କାଳେ ଧର୍ମେନ୍ଦ୍ର ଖରାପ ଭାବିବେ ଭାବି କିମ୍ବା ଧର୍ମେନ୍ଦ୍ରଙ୍କ ଆଗରେ ଭଲେଇ ହେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ହେଉ ଅବା କୌଣସି କାର୍ଯ୍ୟକ୍ରମରେ ହେଉ, ପ୍ରତାପଙ୍କୁ ଦେଖି ନଦେଖିଲା ପରି ହୁଅନ୍ତି,ମୁହଁ ପଡ଼ିଗଲେ ମୁହଁ ବୁଲେଇ ଦିଅନ୍ତି ନେଇ ଆଲୋଚନା ହୁଏ।

ତେଣୁ ଏହି ସବୁ କାରଣରୁ ବାରମ୍ବାର ପ୍ରତିଶ୍ରୁତି ପାଇ ପ୍ରତାରଣା ହେବା କାରଣରୁ ନାଁ ରାଜ୍ୟ ବିଜେପିରେ ଏହି ପ୍ରଭାବୀ ଗୋଷ୍ଠୀଙ୍କ ଚକ୍ରାନ୍ତ କାରଣରୁ ଅତିଷ୍ଠ ହୋଇ ଆଉ ପ୍ରତାପ ରାଜନୀତିରୁ ସନ୍ୟାସ ନେବା କଥା ଆଲୋଚନା ହେଉଛି କି?ପ୍ରତାପ ଯେ ଅନ୍ୟ କୌଣସି ଦଳକୁ ଯିବା ସମ୍ଭାବନା ନାହିଁ।ତେଣୁ ବିଜେପି ଭିତରେ ନିଜର ଅସ୍ତିତ୍ୱ ନପାଇ ରାଜନୀତିରୁ ନିଷ୍କ୍ରିୟ ହୋଇ ଯିବେ କି ପ୍ରତାପ ଷଡ଼ଙ୍ଗୀ?

ପ୍ରତାପ ଷଡ଼ଙ୍ଗୀ ଏ ନେଇ ସ୍ପଷ୍ଟ ଭାବରେ କିଛି କହିନଥିଲେ ମଧ୍ୟ ତାଙ୍କ କଥା ହୁଏତ ସେପରି କିଛି ଆଲୋଚନାକୁ ସୁରାଗ ଯୋଗାଉଛି।ପ୍ରତାପ କହୁଛନ୍ତି ଯେ ଏମିତିରେ ରାଜନୀତି ପ୍ରତି ତାଙ୍କର ସେପରି ସ୍ପୃହା ନାହିଁ।ସମାଜସେବା କରିବା ତଥା ସାଂସ୍କୃତିକ ରାଷ୍ଟ୍ରବାଦୀ କାର୍ଯ୍ୟକ୍ରମରେ ନିଜକୁ ଯୋଡ଼ି ରଖିବା ତାଙ୍କର ଉଦ୍ଦେଶ୍ୟ ବୋଲି ପ୍ରତାପ କହିଛନ୍ତି।ରାଜନୀତି ଏସବୁ କାର୍ଯ୍ୟକ୍ରମ କରିବାରେ କେବଳ ଏକ ପ୍ଲାଟଫର୍ମ ବୋଲି ପ୍ରତାପ କହିଛନ୍ତି।ପ୍ରତାପଙ୍କର ଏପରି କଥା ହୁଏତ ଏପରି ଏକ ଆଲୋଚନାକୁ ସୁରାଗ ଯୋଗାଇଥାଇ ପାରେ।କିନ୍ତୁ ବାସ୍ତବରେ ଯଦି ଏପରି ହୁଏ ତେବେ ହୁଏତ ଏହା ରାଜ୍ୟ ବିଜେପି ଉପରେ ଏକ ବଡ଼ ଧରଣର ନକରାତ୍ମକ ପ୍ରଭାବ ପକାଇପାରେ।କାରଣ ପ୍ରତାପ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ପ୍ରତି ଦଳ ଭିତର ତୃଣମୂଳ ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନଙ୍କର ଏକ ଶ୍ରଦ୍ଧା ରହିଥିବା ସହ ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀ ମହଲରେ ତାଙ୍କର ଏକ ସ୍ୱତନ୍ତ୍ର ସମ୍ମାନ ରହିଛି।ଯଦି ସେ ସେପରି କିଛି ପଦକ୍ଷେପ ନେଇ ବସନ୍ତି ତେବେ ତାହା ଦଳ ଭିତରେ ଏବଂ ସାଧାରଣ ଜନତାରେ ଦଳ ପ୍ରତି ଏକ ବଡ଼ ଧରଣର ନକରାତ୍ମକ ପ୍ରଭାବ ପକାଇବ।କାରଣ ରାଜ୍ୟ ବିଜେପିରେ ସେହି ଗୋଷ୍ଠୀବାଦ ଭିତରେ କ୍ଷମତାରେ ଏପରି ଅନେକ ନେତା ଅଛନ୍ତି,ଯାହାର ପରିଚୟ ବୋଲି କିଛି ନାହିଁ।କେବଳ ସେମାନଙ୍କ ପାଖରେ କ୍ଷମତା ଥିବା କାରଣରୁ ଦଳରେ ସେମାନଙ୍କର ଖାତିର ରହିଛି।ସେମାନଙ୍କ ହାତରୁ କ୍ଷମତା ଗଲେ ତାଙ୍କୁ କେହି ଚିହ୍ନିବେନି।ସେମାନେ ସବୁ ଏପରି ନେତା ତାଙ୍କୁ ଯଦି ଏକ ବାଇକରେ ନେଇ କୌଣସି ଗାଁ ମୁଣ୍ଡରେ ଛାଡ଼ିଦିଆଯାଏ ଏବଂ ସେ ଗାଁ ଦାଣ୍ଡରେ ୫ଥର ଏମୁଣ୍ଡ ସେମୁଣ୍ଡ ହେଲେ ବି ତାଙ୍କୁ କେହି ଚିହ୍ନିବେନି।କିନ୍ତୁ ପ୍ରତାପ ଷଡ଼ଙ୍ଗୀ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କର ସ୍ୱତନ୍ତ୍ର ତଥା ଏକ ନିଜସ୍ୱ ପରିଚୟ ରହିଛି।ତେଣିକି ସେ କ୍ଷମତାରେ ଥାଆନ୍ତୁ ଅବା ନଥାଆନ୍ତୁ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.