Home ଓଡ଼ିଶା ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

121

ଭୁବନେଶ୍ୱର ୧୬- ୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରାକ୍ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଗଲାଣି କହିଲେ ଚଳେ। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ନିଜ ନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ ବ୍ୟସ୍ତ ତ କିଏ ରାଜ୍ୟ ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। ତତ୍ସହିତ ସାଂଗଠନିକ ଅଦଳବଦଳ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋର୍ସୋର୍ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପୁର ପରାଜୟ ପରେ ଉଭୟ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ସାଗଠନିକ ଅଦଳବଦଳ ସହିତ ସଭାପତି ପରିବର୍ତ୍ତନ ଉପରେ ଗୁରୁତର ସହିତ ଚିନ୍ତା କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନର ସଫଳତା ପରେ ଉତ୍ସାହିତ ହୋଇପଡିଥିବା ଭାରତୀୟ ଜନତା ପାର୍ଟୀ ବିଜେପୁର ଉପନିର୍ବାଚନର ପରାଜୟ ପରେ ଏକ ପ୍ରକାର ଆତ୍ମବିଶ୍ୱାସ ହରାଇବା ପରିସ୍ଥିତିକୁ ଆସି ଯାଇଥିଲା। ବିଜେପୁର ନିର୍ବାଚନ ପାଇଁ ପ୍ରଚାରର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରାକୁ କିଛି ମାତ୍ରାରେ ସଙ୍କୁଚିତ କରିଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ। ତା ସହିତ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟ ଧାରାରେ ମଧ୍ୟ ଅସନ୍ତୁଷ୍ଟ କେନ୍ଦ୍ରୀୟ ଟିମ୍। ସଭାପତି ହେଲା ଦିନ ଠାରୁ ସେ କେବଳ ଧର୍ମେନ୍ଦ୍ରଙ୍କ କଥାରେ ପରିଚାଳିତ ହେଉଥିଲେ। ଫଳରେ ସଂଗଠନ ଏକ ପ୍ରକାର ଏକ ପାଖିଆ ହୋଇପଡିଥିଲା। ଯାହାର ପରିଣାମ ଭୋଗିବାକୁ ପଡିଲା ବିଜେପୁରରେ। ତେଣୁ ବସନ୍ତଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ କାହାକୁ ସଭାପତି କରାଯିବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଗୁରୁତର ସହିତ ଚିନ୍ତା କରୁଛନ୍ତି। ସର୍ବାଗ୍ରେରେ ପ୍ରତାପ ଷଡଙ୍ଗୀଙ୍କ ନାମ ଚର୍ଚ୍ଚାକୁ ଆସୁଛି। ତା ପରେ ବିଧାୟକ କେ.ଭି.ସିଂଦେଓଙ୍କ ନାମ ମଧ୍ୟ ଆସୁଛି। ପ୍ରତାପ ଷଡଙ୍ଗୀ ହେଉଛନ୍ତି ସଂଘୀୟ ଲୋକ। ତେଣୁ ତାଙ୍କ ନାମରେ ମୋହରା ବାଜିବା ଆଶା ଅଧିକା। କେବଳ ସେ ନିଜେ ହିଁ ସମ୍ମତି ପ୍ରକାଶ କରୁ ନାହାଁନ୍ତି। କାରଣ ସେ ଜାଣିଛନ୍ତି ରାଜ୍ୟ ବିଜେପିରେ ଧମ୍ରେନ୍ଦ୍ରଙ୍କ ଦବ୍ଦବା ରହିଛି ଓ ଆଗକୁ ରହିବ ମଧ୍ୟ। ତେଣୁ ସେ ସ୍ୱାଧିନ ଭାବରେ କାମ କରିବାକୁ ସୁଯୋଗ ପାଇବେ ନାହିଁ। ତାଙ୍କ ଅବସ୍ଥା ବସନ୍ତ ପଣ୍ଡାଙ୍କ ପରି ହେବ ଓ ସେ ବଦ୍ନାମ୍ ହୋଇଯିବେ।

ସେହିପରି ରାଜ୍ୟ କଂଗ୍ରେସରେ ମଧ୍ୟ ଅଦଳବଦଳର ପୂର୍ଣ୍ଣ ଆଭାସ୍ ମିଳୁଛି। ରାଜ୍ୟରେ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ଏହି ଦଳରୁ କ୍ରମାଗତ ଭାବରେ ବରିଷ୍ଠ ନେତାମାନେ ଦଳ ଛାଡି ବିଜେଡିରେ ମିଶିବା କେନ୍ଦ୍ରୀୟ ନେତାମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ତେଣୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ପିସିସି ପରିବର୍ତ୍ତନ ଏକ ପ୍ରକାର ଚୁଡାନ୍ତ ସ୍ଥିତିରେ ପହଁଚିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶା ପ୍ରଭାରୀ ଓ ସହ ପ୍ରଭାରୀ ପରିବର୍ତ୍ତନ ହୋଇଛି। ପ୍ରାୟ ଅଧିକାଂଶ ବିଧାୟକ ଓ ନେତୃବୃନ୍ଦ ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଅଛନ୍ତି। ସେ ମଧ୍ୟ ପିସିସି ସଭାପତି ହେବା ଏକ ପ୍ରକାର ଚୁଡାନ୍ତ ଥିଲା। ମାତ୍ର ତାଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ମିଶି ରାଜ୍ୟସଭା ସାଂସଦ ହେବା ପରେ ନିରଞ୍ଜନଙ୍କ ପାଇଁ ଲବି କରୁଥିବା ସମସ୍ତ ନେତାଙ୍କ ମନ ଫିକା ପଡି ଯାଇଛି। ସଭାପତି ଦୌଡରେ ଥିବା ଅନ୍ୟ ନେତା ଯଥା ଭକ୍ତ ଦାସ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଏବେ କଂଗ୍ରେସ ପରିସ୍ଥିତି ଦେଖି ମଙ୍ଗ ଧରିବାକୁ ଅନିଛୁକ। ନିରଞ୍ଜନଙ୍କ ପରେ ରାମଚନ୍ଦ୍ର ଖୁଣ୍ଟିଆ ଏବେ ରାହୁଳ ଗାନ୍ଧୀଙ୍କ ପସନ୍ଦରେ ଅଛନ୍ତି। ଇଛା ନଥିଲେ ବି ରାଷ୍ଟ୍ରୀୟ ସଭାପତିଙ୍କ ନର୍ଦ୍ଦେଶ ଆସିଲେ ରାମଚନ୍ଦ୍ର ମଙ୍ଗ ଧରିବାକୁ ବାଧ୍ୟ ହେବେ। ତେଣୁ ଆସନ୍ତା କିଛି ଦିନ ଭିତରେ ଏ ବାବଦରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଆଶା କରାଯାଉଛି।

ସେ ଯାହା ହେଉ ଏବେ ବିଜେପି ଓ କଂଗ୍ରେସ ପରସ୍ପର ରଣନିତୀକୁ ଅପେକ୍ଷା କରିଛନ୍ତି। ଯିଏ ପ୍ରଥମେ ତାର ସଭାପତି ଘୋଷଣା କରିବ ତା ପରେ ଯାଇ ଅନ୍ୟ ଦଳ ସଭାପତି ଘୋଷଣା କରିବ। କାରଣ ଏହି ବର୍ଷ ହେଉଛି ନିର୍ବାଚନୀ ବର୍ଷ। ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସଭାପତି ହେଲେ ବିଜେପି ନିଶ୍ଚିତ ଭାବରେ ତାଙ୍କୁ କାଉଣ୍ଟର କରିବାକୁ ସେହିପରି ପ୍ରାର୍ଥି ଖୋଜିବ ସଭାପତି ପାଇଁ। କାରଣ ନିରଞ୍ଜନ ହେଲେ ବିଜେପି କ୍ଷତିରେ ପଡିପାରେ। କଂଗ୍ରେସରୁ ବୀତସ୍ପୃହ ହୋଇ ଦଳ ଛାଡୁଥିବା କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବ। ତେଣୁ ଏପରି ସ୍ଥିତିରେ ଉଭୟ ବିଜେପି ଓ କଂଗ୍ରେସ ସୁଚିନ୍ତିତ ଯୋଜନା କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶା କରିଛନ୍ତି। ବିଜେଡି କିନ୍ତୁ ଦୁଇ ଦଳର ଗତିବିଧି ଉପରେ ନଜର ରଖିଛି। ଯେହେତୁ ଏହି ଦଳ ସରକାରରେ ଅଛି ତେଣୁ ଦଳୀୟ ଅଦଳବଦଳ ଅପେକ୍ଷା ଲୋକଙ୍କୁ ଗୁରୁତ୍ୱ ଦେଇ କିପରି ଆସନ୍ତା ନିର୍ବାଚନ ବୈତରଣୀ ପାର୍ କରିବ ସେ ଚିନ୍ତା କରୁଛି ବିଜେଡି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.