Home ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)ରେ ୮୫ ଲକ୍ଷ ଆବାସ ନିର୍ମାଣକୁ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)ରେ ୮୫ ଲକ୍ଷ ଆବାସ ନିର୍ମାଣକୁ ମଞ୍ଜୁରି

982

– ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ
– ୫୧ ଲକ୍ଷ ଗୃହ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ
– ପିଏମଏୱାଇ-ୟୁ ପୁରସ୍କାରରେ ଅଂଶଗ୍ରହଣ ଅବଧି ବୃଦ୍ଧି
– ମୋବାଇଲ ଆପ୍ ରେ ଯୋଡ଼ି ହେଲେଣି ୮୫ ହଜାର ହିତାଧିକାରୀ

ନୂଆ ଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)- ପିଏମଏୱାଇ-ୟୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ସହରାଂଚଳରେ ୧୧୨ ଲକ୍ଷ ଆବାସ ନିର୍ମାଣ ଲାଗି ଚାହିଦା ରହିଥିବା ବେଳେ ବର୍ତମାନ ସୁଦ୍ଧା ୮୫ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ପାଖାପାଖି ୫୧ ଲକ୍ଷ ଆବାସ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଥିବା ବେଳେ ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ଉପଲବ୍ଧିର ନାୟକମାନଙ୍କୁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ହିତାଧିକାରୀମାନଙ୍କ ପାଇଁ “ଶ୍ରେଷ୍ଠ ଆବାସ ନିର୍ମାଣ” ନିମନ୍ତେ ପିଏମଏୱାଇ (ୟୁ) ୨୦୧୯ର ଘୋଷଣା କରାଯାଇଛି। ଏହା ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, ପୌର ପ୍ରଶାସନ ଏବଂ ହିତାଧିକାରୀମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବ।

ଗତ ଫେବୃଆରୀ ୨୦୧୯ରେ ଆବାସ ଏବଂ ସହରାଂଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମଏୱାଇ-ୟୁ ମୋବାଇଲ ଆପରେ ହିତାଧିକାରୀମାନଙ୍କ ଅଂଶଗ୍ରହଣ ଉତ୍ସାହଜନକ ରହିଛି। ଏହାଦ୍ୱାରା ଅଭିଯାନ ସହିତ ହିତାଧିକାରୀମାନେ ସିଧାସଳଖ ଯୋଡ଼ି ହୋଇପାରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ପାଖାପାଖି ୮୫ ହଜାର ହିତାଧିକାରୀ ଏହା ସହ ଯୋଡ଼ି ହୋଇଛନ୍ତି ଏବଂ ୨ଲକ୍ଷରୁ ଊର୍ଦ୍ଧ୍ୱ ଫଟୋ ମିଳିସାରିଛି। ଏହି କାରଣରୁ ପିଏମଏୱାଇ-ୟୁ ପୁରସ୍କାର-୨୦୧୯ରେ ଅଂଶଗ୍ରହଣ କରିବାର ତାରିଖ ୩୧ ଅଗଷ୍ଟ ୨୦୧୯କୁ ବୃଦ୍ଧି କରାଯିବା ଲାଗି ନିଷ୍ପତି ନିଆଯାଇଛି।

ଏଥିସହିତ ଏକ ନୂତନ ବର୍ଗରେ ପୁରସ୍କାର ଦିଆଯିବା ଲାଗି ନିଷ୍ପତି ନିଆଯାଇଛି। ପିଏମଏୱାଇ-ୟୁ ମୋବାଇଲ ଆପ ଜରିଆରେ ସର୍ବାଧିକ ପ୍ରତିଶତ ଫଟୋ ମିଳୁଥିବା ରାଜ୍ୟକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ। ଏହି ସ୍ୱତନ୍ତ୍ର ପୁରସ୍କାର ଦ୍ୱାରା ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି ଉତ୍ସାହିତ ହେବେ, ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ବାସଗୃହ ନିର୍ମାଣ ସ୍ୱପ୍ନ ପୂରଣ ହୋଇପାରିବ। ଏହାମଧ୍ୟ ହିତାଧିକାରୀମାନଙ୍କୁ ସ୍ଥାୟୀ ପଦ୍ଧତି ଉପଯୋଗ କରି ସୁନ୍ଦର ଆବାସ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ। ଅଧିକ ସୁନ୍ଦର ଏବଂ ଅଭିନବ ଢଙ୍ଗରେ ଆବାସ ନିର୍ମାଣ କରିଥିବା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ହିତାଧିକାରୀଙ୍କୁ “ହିତାଧିକାରୀ-ନେତୃତ୍ୱ ନିର୍ମାଣ” ବର୍ଗରେ ପୁରସ୍କୃତ କରାଯିବା ଲାଗି ମଧ୍ୟ ନିଷ୍ପତି ନିଆଯାଇଛି।

ପିଏମଏୱାଇ-ୟୁ ମୋବାଇଲ ଆପ ହିତାଧିକାରୀଙ୍କ ପାଇଁ ଡିଜାଇନ କରାଯାଇଛି। ଏଥିରେ ସେମାନେ ନିଜ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ ବାସଗୃହର ଉଚ୍ଚମାନର ଫଟୋ ଅପଲୋଡ୍ କରିବା ସହିତ ସଫଳ ଘର ମାଲିକ ହେବାର କାହାଣୀ ଅପଲୋଡ କରିପାରିବେ। ଏଥିରେ ସେମାନଙ୍କ ଆତ୍ମସମ୍ମାନ ବୃଦ୍ଧି, ସାମାଜିକ ଉନ୍ନତି, ପରିବାରର ସୁରକ୍ଷା ଏବଂ ନିରାପତା, ନାବାଳିକାଙ୍କ ପାଇଁ ସୁରକ୍ଷିତ ପରିବେଶ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ଉନ୍ନତ ପରିବେଶ ଆଦିର ଭାବନାତ୍ମକ କାହାଣୀ ରହିବ।

ଏହି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଅତ୍ୟନ୍ତ ପାରଦର୍ଶୀ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଏମଆଇଏସ ବ୍ୟବସ୍ଥାରେ କରାଯାଉଥିବା ଅପଲୋଡର ଅଗ୍ରଗତି ସହିତ ଏହାକୁ ଯୋଡ଼ାଯାଇଛି। ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.