Home Top News ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍: ଶୁଭାରମ୍ଭ କରିବେ ପିଏମ୍, ଯୋଗଦେବେ ସିଏମ୍

ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍: ଶୁଭାରମ୍ଭ କରିବେ ପିଏମ୍, ଯୋଗଦେବେ ସିଏମ୍

84

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ। ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ସେହିପରି ପ୍ରଧାନମନ୍ତ୍ରୀ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପୁନଃବିକାଶ ହେଉଥିବା ଷ୍ଟେସନ ଗୁଡ଼ିକରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରର ଅଭିଜ୍ଞତା ପ୍ରଦାନ କରୁଥିବା ସମସ୍ତ ଆଧୁନିକ ସୁବିଧା ରହିବ। ଏହାସହ ଓଡ଼ିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏହା ଅପରେଟିଂ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ର୍ନିଭରଶୀଳତା ହ୍ରାସ କରିବ।ପ୍ରଧାନମନ୍ତ୍ରୀ ସମ୍ବଲପୁର- ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ- ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲାଇନ, ମନୋହରପୁର- ରାଉରକେଲା- ଝାରସୁଗୁଡା- ଜାମଗା ମଧ୍ୟରେ ତୃତୀୟ ଲାଇନ୍‍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ନୂତନ ବ୍ରଡ- ଗଜ୍ ଲାଇନର ଲୋକାର୍ପଣ କରିବେ। ଓଡ଼ିଶାର ଇସ୍ପାତ‍ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୂଖ କାର୍ଯ୍ୟକ୍ରମରେ ସାମିଲ୍ ରହିବେ।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.