ad
ଓଡ଼ିଶା

କୃଷି ଓ ଖାଦ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚିତ

– ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏହି ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା
– ନିକଟରେ ବିକଶିତ ହୋଇଥିବା ବାୟୋଫର୍ଟିଫାୟାଡ (ଜୈବ ସମୃଦ୍ଧ) ୧୭ କିସମର ଶସ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ
– ଭାରତରେ ସଂସ୍କାରବାଦୀ କାର୍ଯ୍ୟକ୍ରମ ବିଶ୍ୱ ଖାଦ୍ୟ ନିରାପତ୍ତା ପ୍ରତି ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶିତ କରୁଛି, କହିଲେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହାଛଡା ଏହି ଅବସରରେ ସେ ନିକଟରେ ବିକଶିତ ୧୭ କିସମର ଜୈବ ସମୃଦ୍ଧ (ବାୟୋଫର୍ଟିଫାୟାଡ) ଫସଲର ବିହନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ପୁଷ୍ଟିହୀନତା ଦୂର କରିବା କାର୍ଯ୍ୟରେ ନିରନ୍ତର ନିୟୋଜିତ ଥିବା ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମର କିଷାନ ସାଥୀ, ଆମ ଅନ୍ନଦାତା, ଆମ କୃଷି ବୈଜ୍ଞାନିକ, ଆମ ଅଙ୍ଗନବାଡି ଆଶାକର୍ମୀ ଦେଶରେ କୁପୋଷଣ ଓ ପୁଷ୍ଟିହୀନତା ବିରୋଧରେ ଚାଲିଥିବା ଆନ୍ଦୋଳନର ଭିତ୍ତି ପାଲଟିଛନ୍ତି। ସେମାନେ ନିଜର କଠୋର ପରିଶ୍ରମ ବଳରେ ଭାରତର ଶସ୍ୟ ଭଣ୍ଡାରକୁ ପୂରଣ କରିବା ସହିତ ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ ଉଦ୍ୟମ ଫଳରେ କରୋନା ମହାମାରୀ ସମୟରେ ମଧ୍ୟ ଭାରତ କୁପୋଷଣ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ବର୍ଷଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ସମେତ ସାରା ପୃଥିବୀରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କ୍ଷୁଧା ଦୂରୀକରଣରେ ବଡ଼ ଭୂମିକା ନିର୍ବାହ କରିଛି। ଏହାର କାର୍ଯ୍ୟ ପୁଷ୍ଟିସାଧନ ବୃଦ୍ଧିରେ ବିଶେଷ ସହାୟକ ହୋଇଥିବାବେଳେ ଏହି ସଂଗଠନର ସେବାକୁ ୧୩୦ କୋଟିରୁ ଅଧିକ ଭାରତୀୟ ସମ୍ମାନ କରନ୍ତି। ସେ କହିଛନ୍ତି ଚଳିତବର୍ଷ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି ଏବଂ ଏହା ଏଫ୍‌ଏଓର ଏକ ବୃହତ୍‌ ସଫଳତା। ସେ କହିଛନ୍ତି ଏହି ସଂଗଠନ ସହ ଭାରତର ସଂପର୍କ ଐତିହାସିକ ଏବଂ ଅଂଶୀଦାରୀ ଭିତ୍ତିରେ ଏହାସହ କାମ କରି ଭାରତ ଖୁସୀ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡ- ବିନୟରଂଜନ ସେନଙ୍କ ନେତୃତ୍ୱରେ ଏଫ୍‌ଏଓ ଅଧୀନରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେତେବେଳେ ସେ ଏହି ସଂଗଠନର ମହାନିର୍ଦେଶକ ଥିଲେ। ଡ- ସେନ ଦୁର୍ଭିକ୍ଷ ପ୍ରପୀଡିତ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ କ୍ଷୁଧାର ଜ୍ୱଳା ଅତି ନିକଟରୁ ଅନୁଭବ କରିଥିଲେ। ବିଶ୍ୱରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ତାଙ୍କ ଅବଦାନ ଲୋକେ ଏବେ ମଧ୍ୟ ମନେ ରଖିଛନ୍ତି। ବିଗତ ଦଶନ୍ଧିଗୁଡିକରେ କୁପୋଷଣ ବିରୋଧରେ ଭାରତର ଲଢେଇକୁ ସେ ଅତି ନିକଟରୁ ଅନୁଧ୍ୟାନ କରୁଥିଲେ। ସେତେବେଳେ ଏ କ୍ଷେତ୍ରରେ ଯଥେଷ୍ଟ ପ୍ରତିବନ୍ଧକ ରହିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଳ୍ପ ବୟସରେ ଗର୍ଭବତୀ ହେବା ଶିକ୍ଷା ଓ ସୂଚାନର ଅଭାବ, ଆବଶ୍ୟକତା ଅନୁସାରେ ପାନୀୟ ଜଳ ନ ମିଳିବା, ପରିଚ୍ଛନ୍ନତାର ଅଭାବ ଆଦି କାରଣ ଯୋଗୁଁ ଭାରତକୁ କୁପୋଷଣ ବିରୋଧୀ ଲଢେଇରେ ଆଶାଜନକ ସଫଳତା ମିଳୁନଥିଲା।

ସେ କହିଛନ୍ତି ଯେ ଦୀର୍ଘବର୍ଷର ଅଭିଜ୍ଞତାକୁ ପୁଞ୍ଜିକରି ୨୦୧୪ରେ ଦେଶରେ ସାନି ଉଦ୍ୟମ ଆରମ୍ଭ ହୋଇଥିଲା। ଏ କ୍ଷେତ୍ରରେ ସରକାର ସମନ୍ୱିତ ଓ ସାମଗ୍ରିକ ଆଭିମୁଖ୍ୟ ନେଇ କୁପୋଷଣ ବିରୋଧରେ ବହୁପାକ୍ଷିକ ରଣନୀତି ଆପଣାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ପୋଷଣ ଅଭିଯାନ, ଶୌଚାଳୟ ନିର୍ମାଣ, ସ୍ୱଚ୍ଛଭାରତ ଅଭିଯାନ, ମିଶନ ଇନ୍ଦ୍ରଧନୁ, ଜଳଜୀବନ ମିଶନ, ସ୍ୱଳ୍ପ ମୂଲ୍ୟରେ ସାନିଟାରି ପ୍ୟାଡ ଯୋଗାଣ ଭଳି ବହୁମୁଖୀ ପଦକ୍ଷେପ ମିଳିତଭାବେ କାର୍ଯ୍ୟକାରୀ କରି କୁପୋଷଣ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ମୁକାବିଲା କରାଯାଇଥିଲା। ଏହିସବୁ କାର୍ଯ୍ୟର ସୁଫଳ ମିଳିଛି ଏବଂ ସେ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସ୍କୁଲରେ ଝିଅ ପିଲାମାନଙ୍କ ନାମଲେଖା ହାର ବଢିଛି ଓ ସେମାନେ ପୁଅମାନଙ୍କ ତୁଳନାରେ ଅଧିକ ସଂଖ୍ୟାରେ ନାମ ଲେଖାଉଛନ୍ତି। କୁପୋଷଣ ଦୂର କରିବା ପାଇଁ ମୋଟାଶସ୍ୟ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି। ପ୍ରୋଟିନ, ଆଇରନ ଓ ଜିଙ୍କ୍‌ ଆଦି ଖାଦ୍ୟପ୍ରାଣ ଅଧିକ ଥିବା ଫସଲ ଚାଷକୁ ଗୁରୁତ୍ୱ ଦିଆଯାଉଛି।

୨୦୨୩କୁ ଆନ୍ତର୍ଜାତିକ ମିଲେଟ (ବାଜରା ଓ ଜୱାର ଆଦି ଶସ୍ୟ) ବର୍ଷଭାବେ ଘୋଷଣା କରିବା ପାଇଁ ଭାରତ ଯେଉଁ ପ୍ରସ୍ତାବ ଦେଇଛି ଏଫ୍‌ଏଓ ତାହାକୁ ପୂର୍ଣ୍ଣ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଏହି ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ପୁଷ୍ଟିକର ଖାଦ୍ୟ ଖାଇବାକୁ ଲୋକେ ଉତ୍ସାହିତ ହେବେ ଏବଂ ଏସବୁ ଖାଦ୍ୟଶସ୍ୟର ଉତ୍ପାଦନ ଓ ଉପଲବ୍‌ଧତା ବଢିବ। ଏହା ଫଳରେ କ୍ଷୁଦ୍ର ଚାଷୀମାନେ ଉପକୃତ ହୋଇପାରିବେ। ସେ କହିଛନ୍ତି ଯେ କ୍ଷୁଦ୍ର ଓ ମଧ୍ୟମ ଚାଷୀମାନେ ନିଜ ନିଜ ଖେତରେ ମୁଖ୍ୟତଃ ପାଣି ଅଭାବରୁ ମୋଟାଶସ୍ୟ ଚାଷ କରନ୍ତି। ଏହି ଫସଲ ଚାଷ ପାଇଁ ଜମି ମଧ୍ୟ ବିଶେଷ ଉର୍ବର ହେବା ଦରକାର ନାହିଁ। ଏହି ପ୍ରକାର ମୋଟାଶସ୍ୟର ବ୍ୟବହାର ବଢିଲେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଉପକୃତ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କେତେକ ପ୍ରକାର ସାଧାରଣ କିସମର ଶସ୍ୟରେ ମାଇକ୍ରୋ ନ୍ୟୁଟ୍ରେସନ ବା କ୍ଷୁଦ୍ର ପୋଷକ ତତ୍ତ୍ୱର ଅଭାବ ଥାଏ। ସେହି ଅଭାବକୁ ଦୂର କରିବା ପାଇଁ ବାୟୋଫର୍ଟିଫାୟାଡ ବା ଜୈବ ସମୃଦ୍ଧ କିସମର ଫସଲ ବିକଶିତ କରାଯାଇଛି। ଆଜି ଏଭଳି ୧୭ ପ୍ରକାରର ବାୟୋଫର୍ଟିଫାୟାଡ ଫସଲର ବିହନ ଚାଷୀଙ୍କ ପାଇଁ ଉପଲବ୍‌ଧ ହୋଇଛି। ଏସବୁ ମୁଖ୍ୟତଃ ସ୍ଥାନୀୟ ଓ ପାରମ୍ପରିକ ଶସ୍ୟ। ଏଥିରେ ଉଭୟ ଗହମ ଏବଂ ଧାନ ମଧ୍ୟ ରହିଛି। ଏହି ଜୈବ ସମୃଦ୍ଧ ଫସଲ ଅଧିକରୁ ଅଧିକ ପରିମାଣରେ ଚାଷ ହେଲେ ଭାରତରେ ପୋଷଣ ଆନ୍ଦୋଳନ ଅଧିକ ଦୃଢୀଭୂତ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଭାରତରେ ଅନାହାର ଓ କୁପୋଷଣ ନେଇ ବିଶ୍ୱର ଖାଦ୍ୟ ବିଶେଷଜ୍ଞମାନେ ଆଶଙ୍କା ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନଙ୍କର ଏହି ଉଦ୍‌ବେଗ ଭିତରେ ଭାରତ ଗତ ୭-୮ ମାସ ମଧ୍ୟରେ ଦେଶର ୮୦ କୋଟି ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଇଛି। ଅନାହାର ଓ କୁପୋଷଣକୁ ଦୂର କରିବା ପାଇଁ ସ୍ୱତନ୍ତ୍ରଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେ ଆହୁରି କହିଛନ୍ତି ଲୋକଙ୍କ ରାସନ ସାମଗ୍ରୀରେ ଚାଉଳ କିମ୍ବା ଗହମ ସହିତ ଡାଲିକୁ ସଂପୃକ୍ତ କରିବା ପାଇଁ ସ୍ୱତନ୍ତ୍ର ପ୍ରଯତ୍ନ କରାଯାଇଛି। ଭାରତ ଖାଦ୍ୟ ନିରାପତ୍ତା ପାଇଁ ଅଙ୍ଗୀକୃତ ହୋଇଥିବାରୁ ଏହିସବୁ ପଦକ୍ଷେପ ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଆଇନ ଦେଶର ମାତ୍ର ୧୧ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିଲା। ଏହା ପରେ ଏହି ଆଇନ ସମଗ୍ର ଦେଶରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ କରୋନା ପାଇଁ ସଂଘର୍ଷରତ ଥିବାବେଳେ ଭାରତୀୟ କୃଷକମାନେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିବାରେ ସମର୍ଥ ହୋଇଛନ୍ତି। ସେହିଭଳି ସରକାର ମଧ୍ୟ ଚାଷୀଙ୍କଠାରୁ ଗହମ, ଧାନ ଓ ଡାଲି ଆଦି ସଂଗ୍ରହ କରିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ କହିଛନ୍ତି ଭାରତରେ ନିରନ୍ତରଭାବେ ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି ଏବଂ ଏହା ବିଶ୍ୱ ଖାଦ୍ୟ ନିରାପତ୍ତା ଦିଗରେ ଦେଶର ଅଙ୍ଗୀକାରକୁ ପ୍ରଦର୍ଶନ କରୁଛି। କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ କୃଷି ସଂସ୍କାର ସଂପର୍କରେ ସେ ଏକ ତାଲିକା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଏପିଏମ୍‌ସି ଆଇନରେ ଅଣାଯାଇଥିବା ସଂଶୋଧନର ଲକ୍ଷ୍ୟ ହେଲା ଏହାକୁ ଅଧିକ ପ୍ରତିଯୋଗିତମୂଳକ ଓ ଦକ୍ଷ କରିବା। ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନବେଳେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଖର୍ଚ୍ଚର ଦେଢଗୁଣା ଅଧିକ ଅର୍ଥ ଯେପରି ପାଆନ୍ତି ତାହାକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଦେଶର ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁରକ୍ଷିତ କରିବାରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ତଥା ସରକାରୀ ଖାଦ୍ୟଶସ୍ୟ ସଂଗ୍ରହ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି। ତେଣୁ ଏହି ବ୍ୟବସ୍ଥା ଦ୍ୱୟ ସ୍ୱଭାବିକଭାବେ ବଳବତ୍ତର ରହିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ଷୁଦ୍ର ଚାଷୀମାନଙ୍କୁ ସମର୍ଥ କରିବା ପାଇଁ ଏକ ବୃହତ୍‌ କୃଷି ଉତ୍ପାଦକ ସଂଗଠନ ବା ଏଫ୍‌ପିଓ ବ୍ୟବସ୍ଥା କରାଯାଉଛି। ଗୋଟିଏ ଗୋଟିଏ ଏଫ୍‌ପିଓରେ ଏକାଧିକ ଚାଷୀଙ୍କୁ ଯୋଡି ସେମାନଙ୍କୁ ଅଧିକ ଉତ୍ପାଦନ ଓ ଅଧିକ ଲାଭ ପାଇବାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ ହେଉଛି। ସେ କହିଛନ୍ତି, ଭାରତରେ ଉତ୍ପାଦିତ ଶସ୍ୟ ଓ ଫସଲ ନଷ୍ଟ ଏକ ବଡ଼ ସମସ୍ୟାଭାବେ ସବୁବେଳେ ରହିଆସିଛି। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଯେଉଁ ସଂଶୋଧନ ଆଣିଛନ୍ତି ତାହା ଏହି ଶସ୍ୟ ଅପଚୟକୁ ରୋକିବାରେ ସହାୟକ ହେବ। ଏହାଦ୍ୱାରା ଫସଲ ନଷ୍ଟ ସ୍ଥିତି ବଦଳିବ। ସଂସ୍କାରିତ ବ୍ୟବସ୍ଥାରେ ଉଭୟ ସରକାର ଓ ଘରୋଇ ପକ୍ଷ ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ସୁଯୋଗ ପାଇବେ।

ଏପିଏମ୍‌ସି ଆଇନର ସଂଶୋଧନ ସଂପର୍କରେ ପ୍ରଧାନମନ୍ତ୍ରୀ ଅଧିକ ସୂଚନା ଦେବା ଅବସରରେ କହିଥିଲେ ଯେ ଯେତେବେଳେ ଚାଷୀ କୌଣସି ଘରୋଇ କଂପାନୀ ବା ଉଦ୍ୟୋଗ ସହ ଫସଲ ଚାଷ ଓ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ନେଇ କିଛି ରାଜିନାମା କରିବ ସେତେବେଳେ ଫସଲ ବୁଣିବା ପୂର୍ବରୁ ଏହାର ମୂଲ୍ୟ କେତେ ରହିବ ତାହା ଚୂଡାନ୍ତ ହେବ। ଏହା ଫଳରେ ଉତ୍ପାଦିତ ଫସଲର ମୂଲ୍ୟ ହ୍ରାସ ବୃଦ୍ଧିର ଅସ୍ଥିରତା ରହିବ ନାହିଁ ଏବଂ ଚୁକ୍ତି ଅନୁସାରେ ଚାଷୀ ଫସଲ ବିକିପାରିବ। ନୂଆ ବ୍ୟବସ୍ଥାରେ କୃଷି କାର୍ଯ୍ୟରେ ନୂତନ ଟେକ୍‌ନୋଲଜି ବ୍ୟବହାର ପାଇଁ ଚାଷୀମାନେ ମଧ୍ୟ ଉତ୍ସାହିତ ହେବେ। ନୂଆ କୃଷି ନୀତି ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବା ସହ ଆହୁରି ଅନେକ ବିକଳ୍ପ ପ୍ରଦାନ କରିଛି। ଯଦି ଜଣେ ଚାଷୀ କୌଣସି କାରଣରୁ ଚୁକ୍ତି ଭାଙ୍ଗିବାକୁ ଚାହେଁ, ସେଥିପାଇଁ ତାକୁ କୌଣସି ଜରିମାନା ଦେବାକୁ ପଡିବ ନାହିଁ; କିନ୍ତୁ ଯେଉଁ ସଂସ୍ଥା ଚାଷୀଙ୍କ ସହ କରିଥିବା ବୁଝାମଣା ବା ଚୁକ୍ତିକୁ ଉଲ୍ଲଂଘନ କରିବ ବା ସେଥିରୁ ଓହରିଯିବ ତାକୁ ଜରିମାନା ଦେବାକୁ ପଡିବ। ସେ କହିଛନ୍ତି ଚାଷୀ ଓ ପକ୍ଷଙ୍କ ମଧ୍ୟରେ ଯେଉଁ ରାଜିନାମା ହେବ ତାହା କେବଳ ଉତ୍ପାଦିତ ଫସଲକୁ ନେଇ ହେବ। ଏଥିରେ ଚାଷୀର ଜମି ଜମା ସଂକ୍ରାନ୍ତ କୌଣସି କଥା ରହିବ ନାହିଁ। ଏହି ସଂସ୍କାରିତ ବ୍ୟବସ୍ଥା ଦ୍ୱାରା ଚାଷୀମାନଙ୍କୁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଚାଷୀମାନେ ଯେତେବେଳେ ମଜଭୁତ ହେବେ ସେତେବେଳେ ସେମାନଙ୍କର ଆୟ ବଢିବ ଏବଂ ସେମାନଙ୍କ ଆୟ ବଢିଲେ କୁପୋଷଣ ବିରୋଧୀ ଅଭିଯାନ ସମାନଭାବେ ଶକ୍ତିଶାଳୀ ହେବ। ଏଫ୍‌ଏଓ ଏବଂ ଭାରତ ମଧ୍ୟରେ ପରିବର୍ତ୍ତିତ ସହଯୋଗ ଓ ସମନ୍ୱୟ ଏହି ଅଭିଯାନକୁ ଅଧିକ ବେଗଗାମୀ କରାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top