Home ଉପ ନିର୍ବାଚନ ଆଗକୁ ପିପିଲି ଉପ-ନିର୍ବାଚନ: କାହା କାହା ଭିତରେ ହେବ ଲଢ଼େଇ ?

ଆଗକୁ ପିପିଲି ଉପ-ନିର୍ବାଚନ: କାହା କାହା ଭିତରେ ହେବ ଲଢ଼େଇ ?

101

ଭୁବନେଶ୍ୱର: ଦିବ୍ୟଙ୍ଗତ ବିଧାୟକ ମଦନମୋହନ ଦତ୍ତ ଏବଂ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ପାଇଁ ତ’ ଉପନିର୍ବାଚନ ହୋଇଗଲା। ଏବେ, ଆଉ ଜଣେ ଦିବ୍ୟଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ପାଇଁ ମଧ୍ୟ ଆଗକୁ ହେବ ଉପନିର୍ବାଚନ। ଯାହା ଅନୁମାନ କରାଯାଉଛି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଅଧ୍ୟାପିକା ଡଃ ପ୍ରତିଭା (ମିଶ୍ର) ମହାରଥୀ କିମ୍ବା ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ମଧ୍ୟରୁ କେହି ଜଣେ ହୋଇପାରନ୍ତି ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପାର୍ଥି। ତେବେ, ବିଜେପିରୁ କିଏ ହେବ ପାର୍ଥି କହିଲେ ୨୦୧୯ରେ ପାର୍ଥି ହୋଇଥିବା ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନାମ ସର୍ବାଗ୍ରେ ରହିଛି। ଆଶ୍ରିତ ପରାଜିତ ହୋଇଥିଲେ ମଧ୍ୟ ପ୍ରଦୀପ ମହାରଥୀଙ୍କୁ ଦେଇଥିଲେ ଭଲ ଟକ୍କର। ପ୍ରଦୀପ ମହାରଥୀ ୫୦.୬୬% ହାରରେ ୮୮, ୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପାର୍ଥି ଆଶ୍ରିତ ପଟ୍ଟନାୟକ ୪୧.୬୨% ହାରରେ ପାଇଥିଲେ ୭୨, ୭୩୧ ଖଣ୍ଡ ଭୋଟ୍। ଯେତେବେଳେ କି କଂଗ୍ରେସ ପାର୍ଥି ଅଜିତ ମଙ୍ଗରାଜ ୫.୬୩% ହାରରେ ପାଇଥିଲେ ମାତ୍ର ୯, ୮୩୦ ଖଣ୍ଡ ଭୋଟ୍। ଅର୍ଥାତ୍ ବିଜେପି ପାର୍ଥି ଆଶ୍ରିତ ପଟ୍ଟନାୟକ ବିଜେଡି ପାର୍ଥି ପ୍ରଦୀପ ମହାରଥୀଙ୍କ ଠାରୁ ୧୫, ୭୭୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ଓଡ଼ିଶାରେ ବିଜେପିର ସ୍ଥିତି ଏବଂ ପ୍ରଦୀପ ମହାରଥୀଙ୍କ ପରି ଟାଣୁଆ ପାର୍ଥିଙ୍କ ଠାରୁ ୧୫, ୭୭୮ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିବାକୁ ହୁଏତ ଏକ ଭଲ ଲଢ଼େଇ ବୋଲି କୁହାଯାଇ ପାରେ। ତେଣୁ, ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପାର୍ଥି ହେବା ସମ୍ଭାବନା ଯଥେଷ୍ଟ ଅଧିକ। ତେବେ ଏହା ସହିତ ଏହା ମଧ୍ୟ ସତ୍ୟ ଯେ ଭଲ ଲଢ଼ିବା ପାଇଁ ନୁହେଁ, ଜିତିବା ଉଦ୍ଦେଶ୍ୟରେ ନିର୍ବାଚନ ଲଢ଼ାଯାଏ।

ଏ’ ସବୁ ଭିତରେ ପିପିଲି ଉପନିର୍ବାଚନ ପାଇଁ ଯଦି ରୁଦ୍ରପ୍ରତାପ ବିଜେଡିରୁ ପାର୍ଥି ହୁଅନ୍ତି ତେବେ ବିଜେପିରୁ ଆଶ୍ରିତ ପଟ୍ଟନାୟକ, କିନ୍ତୁ ପ୍ରତିଭା ଯଦି ବିଜେଡିରୁ ପାର୍ଥି ହୁଅନ୍ତି ତେବେ ବିଜେପିରୁ ଡଃ ଲେଖାଶ୍ରୀ ସାମନ୍ତସିଂହାର ପାର୍ଥି ହେବା ଠିକ୍ ହେବ ବୋଲି ଗୋଟିଏ ମହଲରୁ କୁହାଯାଉଛି। ବିଜେଡି ପକ୍ଷରୁ ପ୍ରତିଭା ପାର୍ଥି ହେବା ସ୍ଥିତିରେ ବିଜେପିର କିଛି ଗୋଷ୍ଠୀଙ୍କ ଭିତରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସପକ୍ଷରେ ମତ ରହୁଛି। ଲେଖାଶ୍ରୀ କେତେ ଦିନ ଆଉ ଅନ୍ୟ ପାର୍ଥିଙ୍କ ପାଇଁ ପ୍ରଚାର କରୁଥିବେ, କେତେଦିନ ଆଉ ବିଜେଡି ସରକାରଙ୍କୁ ବିଭିନ୍ନ କଥାରେ ଆକ୍ଷେପ କରି ଲଢ଼ୁଥିବେ ବୋଲି କୁହାଯାଉଛି। ୨୦୧୯ ନିର୍ବାଚନ ପୂର୍ବରୁ କୁଆଡ଼େ ଲେଖାଶ୍ରୀଙ୍କ ପାର୍ଥିତ୍ବ ନେଇ ପିପିଲି ସମେତ ଭୁବନେଶ୍ୱରରୁ ଆରମ୍ଭ କରି ପୁରୀରୁ ବାଲେଶ୍ଵର ଯାଏଁ ଆଲୋଚନା ହୋଇ ଶେଷରେ ସେ କେଉଁ କୂଳକୁ ହେଲେନି। ଦକ୍ଷତା ପ୍ରତିପାଦନ ପାଇଁ ତାଙ୍କୁ ତ’ ଥରେ ସୁଯୋଗ ମିଳିବା ଉଚିତ୍।

ଏମିତିରେ ପିପିଲିରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା କିମ୍ବା ପୁଅ ରୁଦ୍ର ଯିଏ ବି ପାର୍ଥି ହେଲେ ନବୀନଙ୍କ ଲୋକପ୍ରିୟତାର ଲାଭ ସହିତ ଅନୁକମ୍ପା ଭୋଟ୍ ମଧ୍ୟ ବିଜେଡି ପାଇଁ ଲାଭଦାୟକ ହେବ। ତେବେ, ପୁଅ ରୁଦ୍ର ପାର୍ଥି ହେଲେ ବିଜେପିରୁ କାହାକୁ ପାର୍ଥି କରାଯିବ କଥା ଯେତିକି ନୁହେଁ, ଯଦି ପତ୍ନୀ ପ୍ରତିଭା କିନ୍ତୁ ପାର୍ଥି ହୁଅନ୍ତି ତେବେ ଏପରି ସ୍ଥିତିରେ ଜଣେ ମହିଳାଙ୍କ ବିପକ୍ଷରେ ବିଜେପି ଜଣେ ମହିଳାଙ୍କୁ ହିଁ ପାର୍ଥି କଲେ ଭଲ ହେବ ଏବଂ ଏଥିପାଇଁ ଲେଖାଶ୍ରୀ ହିଁ ଉପଯୁକ୍ତ ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ରହିଛି କିଛି ସମାନତା। ଉଭୟ ମହିଳା ବ୍ୟତୀତ ଉଭୟ ରହି ସାରିଛନ୍ତି ଅଧ୍ୟାପିକା ଏବଂ ଉଭୟ ମଧ୍ୟ ପିଏଚଡି ଧାରୀ। ଏମିତିରେ ପ୍ରଦୀପ ମହାରଥୀ ଏବଂ ଲେଖାଶ୍ରୀଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ନହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଭିନ୍ନ ଢଙ୍ଗରେ ଲଢ଼େଇ ହୋଇସାରିଛି। ବେବିନା ଘଟଣାରେ ମହିଳା ମୋର୍ଚ୍ଚା କରିଥିବା ଆନ୍ଦୋଳନର ନେତୃତ୍ୱ ସେବେକାର ମହିଳା ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ତଥା ଏବେକାର ରାଜ୍ୟ ଉପଧ୍ୟକ୍ଷା ପ୍ରଭାତୀ ପରିଡ଼ା ନେଇଥିଲେ ମଧ୍ୟ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ୍ କରିବାରେ ଲେଖାଶ୍ରୀ ମଧ୍ୟ ବହୁତ ଆଗରେ ଥିଲେ। ପରିଣାମ ସ୍ୱରୂପ ପିପିଲି ଟୋଲ୍ ଗେଟ୍‌ ନିକଟରେ ଲେଖାଶ୍ରୀ ଗାଡ଼ି ଉପରକୁ ହୋଇଥିଲା ଅଣ୍ଡାମାଡ଼। ତାଙ୍କ ଗାଡ଼ିକୁ ଅଟକାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏ’ ସବୁ ପ୍ରଦୀପ ମହାରଥୀଙ୍କ ଇଙ୍ଗିତରେ ଶାସକ ବିଜେଡି ଦଳର କର୍ମୀମାନଙ୍କ ଦ୍ୱାରା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏ’ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କୁହାଯାଏ, ପିପିଲିରୁ ପାର୍ଥି ହେବା ଆଶାରେ ସେତେବେଳେ ଲେଖାଶ୍ରୀ ପିପିଲି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ପିପିଲି ଅଞ୍ଚଳକୁ ଗସ୍ତ କରୁଥିଲେ। କିନ୍ତୁ, ଶେଷରେ ତାଙ୍କ ଆଶା ମଉଳିଗଲା ଯେତେବେଳେ ଧର୍ମେନ୍ଦ୍ର ଆଶ୍ରିତଙ୍କୁ ଆଣି ପିପିଲିରୁ ପାର୍ଥି କରାଇଦେଲେ।

ସେବେ ସିନା ଲେଖାଶ୍ରୀଙ୍କ କଥା ହୋଇ ପାରିଲାନି, ଏବେ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଚାହିଁଲେ ଲେଖାଶ୍ରୀଙ୍କ କଥା ସମ୍ଭବ ହୋଇପାରେ। ଏମିତିରେ ଲେଖାଶ୍ରୀ ପାର୍ଥି ହେଲେ ପୂର୍ବ କଥା ସବୁ ପୁଣି ଉଜ୍ଜୀବିତ ହେବ। ଯାହା ହୁଏତ ବିଜେପି ପାଇଁ କିଛିଟା ଲାଭଦାୟକ ହେବ। ବାକି ରହିଲା, କିଏ ପାର୍ଥି ହେବ କିଏ ନହେବ, ଠାରୁ ଆରମ୍ଭ କରି ଓଡ଼ିଶା ବିଜେପିରେ ପ୍ରତ୍ୟେକଟି କଥା କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଇଙ୍ଗିତରେ ତ’ ହୋଇଥାଏ। ଏମିତିରେ ଆଶ୍ରିତଙ୍କୁ ସିନା ଧର୍ମେନ୍ଦ୍ର ଆଣିଛନ୍ତି, କିନ୍ତୁ ଲେଖାଶ୍ରୀ ମଧ୍ୟ ପୂର୍ବରୁ ମନ୍ତ୍ରୀଙ୍କ ପାଖଲୋକ। କିନ୍ତୁ, ଯାହା ହେଲେ ବି ଆଶ୍ରିତଙ୍କ ଉପରୁ ଆଶ୍ରା ହରାଇ ଧର୍ମେନ୍ଦ୍ର ଲେଖାଶ୍ରୀଙ୍କୁ ଯେ ସୁଯୋଗ ଦେବେ ତାହାର ସମ୍ଭାବନା ମଧ୍ୟ କ୍ଷୀଣ। ଆଶ୍ରିତ ମଧ୍ୟ ଏବେ ପୁରୀ ଜିଲ୍ଲା ସଭାପତି। କିନ୍ତୁ, ଏହା ସହ ଏହା ବି ସତ୍ୟ ଯେ, ଧର୍ମେନ୍ଦ୍ରଙ୍କ ପ୍ରଧାନ କ୍ଷେତ୍ରରେ ତାଙ୍କ ଯୋଜନା ମୁତାବକ ତାଙ୍କ ଠାରୁ କିଛି ବି ପରିବର୍ତ୍ତିତ ନିଷ୍ପତ୍ତି ଆଶା କରାଯାଇ ପାରେ। ତେଣୁ ଯଦି ଯଦି ମନ୍ତ୍ରୀ ମନ ବଳାଇଲେ, ତେବେ ହୁଏତ ଲେଖାଶ୍ରୀଙ୍କୁ ହୁଏତ ସୁଯୋଗ ମିଳିଯିବ। ଆଉ ସୁଯୋଗ ପାଇ ଲେଖାଶ୍ରୀ ଜିତିଗଲେ ତାଙ୍କ ଭାଗ୍ୟ ତ’ ଖୋଲିଯିବ।
/- ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.