Home ଓଡ଼ିଶା ପାଟକୁରା ନିର୍ବାଚନ: ଧର୍ମକୁ ଆଖିଠାର

ପାଟକୁରା ନିର୍ବାଚନ: ଧର୍ମକୁ ଆଖିଠାର

875

ଭୁବନେଶ୍ୱର ୬ ଜୁଲାଇ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଚଳିତ ମାସ କୋଡ଼ିଏ ତାରିଖରେ ହେବାକୁ ଯାଉଛି ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ। ୨୪ ତାରିଖ ଦିନ ହେବ ଭୋଟ ଗଣତି। ଏଠାରେ ସୂଚନାଯୋଗ୍ୟଯେ, ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ ସେହି ଆସନରୁ ବିଡେଡ଼ି ଟିକେଟ ପାଇଥିବା ବେଦ୍ ପ୍ରକାଶ ଅଗ୍ରୱାଲଙ୍କର ମୃତ୍ୟୁ ହୋଇଯାଇଥିଲା। ସେଥି ସକାଶେ ଏହି ବିଧାନସଭା ଆସନର ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନର। ପାଟକୁରା ଆସନଟି ବିଜେଡ଼ି କବ୍ଜାରେ ଥିଲା ଏବଂ ବେଦ୍ ପ୍ରକାଶ ଅଗ୍ରୱାଲ୍ ଏହାର ବିଧାୟକଥିଲେ। ସାଧାରଣ ନିର୍ବାଚନର ବହୁ ପୂର୍ବରୁ ବୟସାଧିକ କାରଣରୁ ବେଦପ୍ରକାଶ ଅଗ୍ରୱାଲ ଅସୁସ୍ଥଥିଲେ ତାଙ୍କ ବଦଳରେ ତାଙ୍କ ସ୍ତ୍ରୀ କିମ୍ବା ତାଙ୍କ ପୁତ୍ରଙ୍କୁ ଟିକେଟ ଦେବାପାଇଁ ପାଟକୁରାବାସୀ ଚାହୁଁଥିଲେ। ମାତ୍ର ଏହିଠାରେହିଁ ବିଜେଡ଼ି ଖେଳିଥିଲା ତା’ର ରାଜନୈତିକ ଚାଲ୍। ଶେଷ ମୂହୂର୍ତ୍ତରେ ଭାରତୀୟ ଜନତା ପାର୍ଟି ପାଟକୁରା ଆସନ ପାଇଁ ଘୋଷଣା କରିଥିଲା ବିଜୟ ମହାପାତ୍ରଙ୍କର ନାମ। ଏହାପରେ ବିଜୟ ମହାପାତ୍ରଙ୍କୁ ବିଧାନସଭା ଭିତରେ ପୁରାଇ ନଦେବାପାଇଁ ବିଜେଡ଼ି ଖେଳିଥିଲା ଭୟଙ୍କର ଷଢ଼ଯନ୍ତ୍ର। ସମସ୍ତ ମେଡ଼ିକାଲ୍ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟଗତ କାରଣ ସକାଶେ ବେଦ ପ୍ରକାଶ ଅଗ୍ରୱାଲ୍ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ଅବସ୍ଥାରେ ନଥିଲେ। ନିର୍ବାଚନ ପୂର୍ବରୁ ତାଙ୍କର ଦେହାନ୍ତ ପରି କିଛି ଅଭାବନୀୟ ଘଟଣାକୁ ମଧ୍ୟ ହୃଦୟଙ୍ଗମ କରିସାରିଥିଲା ବିଜେଡ଼ି। ଚାଲରେ ସଫଳ ହୋଇଥିଲା ବିଜେଡ଼ି। ରୁଗ୍ଣ ଅବସ୍ଥାରେ ବେଦ୍ ପ୍ରକାଶ ଅଗ୍ରୱାଲଙ୍କୁ ବିଜେଡ଼ି ଟିକେଟ ଦେଇଥିଲା। ନିର୍ବାଚନ ପୂର୍ବରୁ ବେଦୁ ବାବୁଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଏହି ରାଜନୈତିକ ଖେଳରେ ବିଜୁ ଜନତା ଦଳ ପାଇଥିଲା ସଫଳତା। ବେଦୁଙ୍କ ମୃତ୍ୟୁ ପରେ ପାଟକୁରାରେ ନିର୍ବାଚନ ରଦ୍ଦ ହେଲା ଏହା ପରେ ମାହବାତ୍ୟା ଫନି ସକାଶେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଗଲା। ଏବେ ଘୋଷଣା ହୋଇଛି ତାରିଖ। ଓଡ଼ିଶାରେ ରାଜନୈତିକ ବାତାବରଣର ସ୍ଥିତି ଯାହା ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିର୍ବାଚନ ହାରିବାଟା ଥୟ। ଏକକାଳୀନ ନିର୍ବାଚନ ହୋଇଥିଲେ ବିଜୟ ମହାପାତ୍ରଙ୍କ ପରି ବରିଷ୍ଠ ନେତା ଅଳ୍ପ ବ୍ୟବଧାନରେ ନିର୍ବାଚନ ହାରିଥାନ୍ତେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଥିଲେ। ମାତ୍ର ଏବେକାର ପରିସ୍ଥିତି ଏବଂ ରାଜ୍ୟ ସଭା ନିର୍ବାଚନପରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏକ ବୃହତ ବ୍ୟବଧାନରେ ପାଟକୁରା ନିର୍ବାଚନ ହାରିବା ଏକପ୍ରକାର ସ୍ପଷ୍ଟବୋଲି ସର୍ବସାଧାରଣରେ ଆଲୋଚନା ହେଉଛି। ଅଶ୍ୱିନୀ ବୈଷ୍ଣବ ବିଜେପି ଦଳ ତରଫରୁ ରାଜ୍ୟସଭାଯିବାର ଖେଳ ଓଡ଼ିଶାବାସୀ ଅଳ୍ପେ ବହୁତେ ହୃଦୟଙ୍ଗମ କରିସାରିଲେଣି। ବିଜେଡ଼ି ଓ ବିଜେପିର ଭାଇଚାରା ସର୍ବସମ୍ମୁଖରେ ବିଦିତ। ବିଭିନ୍ନ ସ୍ତରରୁ ସମାଲୋଚନା ପରେ ଦୁଇ ଦଳ ତରଫରୁ ଆରମ୍ଭ ହୋଇଛି ଏକ ରାଜନୈତିକ ଖସଡ଼ା। ନିର୍ବାଚନରେ ବିଗୁଲ ବାଜିବା ପରେ ସର୍ବସାଧାରଣରେ ହାୱା ସୃଷ୍ଟି କରାଯାଉଛି ଏକ ରାଜନୈତିକ ଉଷ୍ମତା। ପାଟକୁରାବାସୀଙ୍କୁ ଭୁତାଇବା ପାଇଁ ଦୁଇ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ରାଜନୈତିକ ଷଡ଼ଯନ୍ତ୍ର। ରାଜ୍ୟସଭା ନିର୍ବାଚନରେ ପରେ ସୃଷ୍ଟି ହୋଇଥିବା ବିଜେଡ଼ି ବିଜେପି ଭାଇଚାରାକୁ ପ୍ରତିହତ କରିବାପାଇଁ ଏବେ ଦୁଇ ଦଳ ଅପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ବିଜେପିର ମଙ୍ଗ ଧରିଥିବା ତୁଙ୍ଗନେତା ଓ ବିଜେଡ଼ିର ତଥାକଥିତ ତୃତୀୟମହଲା ଭିତରେ ପ୍ରସ୍ତୁ ହୋଇଛି ଅଘୋଷିତ ମେଣ୍ଟ। ସାପମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ଏହି ଅଘୋଷିତ ମେଣ୍ଟ ପ୍ରସ୍ତୁତ କରୁଛନ୍ତି ରଣନୀତି। ସେଥିରେ ବଳି କା ବକରା ବନିବେ ବିଜୟ ମହାପାତ୍ର। ଓଡ଼ିଶାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନର ଆବଶ୍ୟକତା ଥିଲା। ଗୋଟିଏ ହେଉଛି ବିଜେପୁର ଏବଂ ଅନ୍ୟଟି ହେଉଛି ପାଟକୁରା। ମାତ୍ର କେଉଁ ସ୍ୱାର୍ଥକୁ ଦୃଷ୍ଚିରେ ରଖି କେନ୍ଦ୍ରୀୟ ନିର୍ବାଚନ କମିଶନର କେବଳ ପାଟକୁରା ଆସନ ପାଇଁ ତାରିଖ ଘୋଷଣା କଲେ ତାହା ଏକ ପ୍ରଶ୍ନବାଚୀ। ଲୋକଙ୍କୁ ଭୁତାଇବା ପାଇଁ ପାଟକୁରାରେ ଡେରା ପକାଇଛନ୍ତି ବିଜେଡ଼ି ମନ୍ତ୍ରୀ ବିଧାୟକ, ସାଂସଦ ଓ ଦଳୀୟ ନେତା। ଖବର କ’ଣ, ଏମାନେ ପାଟକୁରାରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ମାତ୍ର ରଣନୀତି ପ୍ରସ୍ତୁତ ହୋଇ ଫଳ ମଧ୍ୟ ପ୍ରକାଶ ପାଇସାରିଛି ବୋଲି ଦୃଦୟଙ୍ଗମ କରିସାରିଲେଣି ପାଟକୁରାବାସୀ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ମିଡ଼ିଆରେ ସ୍ପଷ୍ଟିକରଣ ଦେଇଛନ୍ତିଯେ, ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କର ଜିତିବା ସୁନିଶ୍ଚିତ। ମାତ୍ର ଏହାକୁ ବୁଦ୍ଧିଜୀବି କହୁଛନ୍ତି ଏକ ମୂଲ୍ୟହୀନ ସ୍ପଷ୍ଟିକରଣ। ନିର୍ବାଚନର ଫଳାଫଳ ବିଜେଡ଼ି ସପକ୍ଷରେ ଯିବାଟା ଏକ ପ୍ରକାର ନିଶ୍ଚିନ୍ତ ବୋଲି ବିଭିନ୍ନ ମହଲରୁ ସ୍ପଷ୍ଟ ସୂଚନା ମିଳିଛି। ମାତ୍ର ବିଜେଡ଼ି ପ୍ରସ୍ତୁତ କରିଥିବା ଏ ନାଟକର ନାୟକମାନେ ପାଟକୁରାରେ ବସି କି ପ୍ରକାର ରଣନୀତି କରୁଛନ୍ତି ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ରାଜ୍ୟ ଏବଂ ନିର୍ବାଚନ ମଣ୍ଡଳୀର ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ବିଜେଡ଼ିର ଏହି ମନ୍ତ୍ରୀ ସାଂସଦ, ବିଧାୟକ ଏବଂ ଦଳୀୟ ନେତା ପାଟକୁରାକୁ ଯାଇ ରାଜନୈତିକ ପିକନିକ୍ କରୁଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.