Home ଆମ ସଂସ୍କୃତି, କଳା ଓ ଐତିହ୍ୟ ହାଇଟେକ ଯୁଗରେ ଦେଖିବାକୁ ମିଳୁନି ବହୁରୂପୀଙ୍କ କମାଲ

ହାଇଟେକ ଯୁଗରେ ଦେଖିବାକୁ ମିଳୁନି ବହୁରୂପୀଙ୍କ କମାଲ

317

ରାଉରକେଲା ୬-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଫୁରସତ୍ ସମୟରେ ମନୁଷ୍ୟ ନିଜ ମନ ପ୍ରଫୁଲିତ କରିବା ଖୋଜେ ନାନା ସାଧନ। ସେ ରଙ୍ଗୀନ ଟେଲିଭିଜନର ପରଦା ହେଉ ଅବା ରେଡିଓରୁ ଭାସି ଆସୁଥିବା ମଧୁରମୟ ସଙ୍ଗୀତ। ଆଜିକାଲି ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଲାଣି ବହୁରୂପୀ ମାନଙ୍କ ଯାଦୁଭରା ପ୍ରଦର୍ଶନ। ନାନା କୌତୁକିଆ ପୋଷାକ ପରିଧାନ କରି ବିଭିନ୍ନ ବେଶ ଧାରଣ କରି ସହରର ରାଜରାସ୍ତାରେ ଜନସାଧାରଣଙ୍କୁ ମନୋରଂଜନ ଖୋରାକ ଯୋଗାଉଥିବା ବହୁରୁପି ମାନଙ୍କ ଚାହିଦା କମିବା ଯୋଗୁ ଏମାନଙ୍କ ପେଟପାଟଣା ମଧ୍ୟ ବହୁଳ ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ସତୁରୀ ଦଶକରେ ସହରରେ ରାଜରାସ୍ତାରେ ପ୍ରତିଦିନ ଦେଖିବାକୁ ମିଳୁଥିଲା ବହୁରୂପୀଙ୍କ ରଙ୍ଗଭରା ଖେଳ। କେବେ ପୁଲି-ଚୋରର ବେଶ ସାଜି ଦର୍ଶକଙ୍କ ମନ ମୋହୁଥିଲେ ବହୁରୂପୀ ତ ପୁଣି କେବେ ମହାଦେବ ଶିବଙ୍କ ବେଶରେ ଦର୍ଶକଙ୍କ ମନରେ ଜାଗ୍ରତ କରୁଥିଲେ ଆଧ୍ୟାତ୍ମିକ ଭକ୍ତିର ଭାବନା। ସେହିପରି ବୁଢୀ ଅସୁରୁଣୀ, ଜୋକର, ରାବଣ, ଦେବୀ ସୀତା, ହନୁମାନ, ଟ୍ରାଫିକ ପୁଲିସ ଆଦି ବେଶରେ ସହରର ବିଭିନ୍ନ ଜାଗାରେ ଘୁରିବୁଲି ଦର୍ଶକଙ୍କ ମନୋରଂଜନ କରୁଥିଲେ। ପ୍ରତିବଦଳରେ ଲୋକଙ୍କୁ ଠାରୁ କିଛି ଟଙ୍କା ପାଇବାରେ ସକ୍ଷମ ହୋଇ ପାରୁଥିଲେ। ଏହି ଟଙ୍କାରେ ଚାଲୁଥିଲା ତାଙ୍କର ତେଲଲୁଣର ସଂସାର। ପିଢୀ ପରେ ପିଢୀ ଏହି ପେଶାକୁ ଆଦରି ଜୀବନସଂଗ୍ରାମ ଜାରି ରଖିଥିଲେ ସହରର ବହୁରୂପି ମାନେ। ସହରର ପୁରୁଣା ଷ୍ଟେସନ ନିକଟବର୍ତ୍ତୀ ଅଂଚଳରେ ବହୂରୁପି ମାନେ ବାସ କରୁଥିଲେ। କାଳକ୍ରମେ ଏହି ପେଶାରେ ଅର୍ଥ ରୋଜଗାର କରିବା ଏକ ପ୍ରକାର କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିବା କାରଣରୁ ଏବେ ଅନେକ ବହୁରୂପୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଥିବା ବେଳେ, ଆଉ କିଛି ସହରରେ ଥିବା ଟେଂଟ ହାଉସ ଗୁଡ଼ିକରେ କାର୍ୟ୍ୟ କରୁଛନ୍ତି ବୋଲି ସହରର ଜଣେ ପୁରାତନ ବୟସ୍କ ବହୁରୂପୀ ପ୍ରକାଶ କରିଛନ୍ତି। ସରକାରଙ୍କ ଅନେକ ହିତାଧିକାରୀ ଯୋଜନା ମଧ୍ୟରୁ କିଛି ଯୋଜନାର ସୁବିଧା ବହୁରୁପୀ ମାନେ ପାଇ ପାରିନଥିବା ଅଭିଯୋଗ କରିଛନ୍ତି। କଳାକାର ସାଜି ଦର୍ଶକଙ୍କ ମନୋରଂଜନ କରୁଥିଲେ ସୁଦ୍ଧା ତାଙ୍କୁ କଳାକାରଙ୍କ ମାନ୍ୟତା ସରକାରଙ୍କ ପକ୍ଷରୁ ଆଜି ପର୍ୟ୍ୟନ୍ତ ମିଳିପାରିନଥିବା ଜଣାପଡ଼ିଛି। ବହୁରୁପୀ ମାନଙ୍କ ଭାଗ୍ୟ, ଭବିଷ୍ୟତ ବର୍ତମାନ କେବଳ ଭଗବାନ ଭରୋସେ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.