Home Top News ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ – ଜାଣନ୍ତୁ ଅନନ୍ୟ ପରମ୍ପରା ବିଷୟରେ

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ – ଜାଣନ୍ତୁ ଅନନ୍ୟ ପରମ୍ପରା ବିଷୟରେ

108

ପୁରୀ ୧୩-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ଥାଏ। ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ତାପର ଦିନ ଅର୍ଥାତ ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଦୀର୍ଘ 25 ବର୍ଷ ପରେ ପଡିଥିବା ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ନିଜ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ପାଇବେ। ପ୍ରତି ରବିବାର ସାନିଟାଇଜ୍ କରାଯିବା ହେତୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହୁଥିବା ବେଳେ ଆସନ୍ତାକାଲି ଅର୍ଥାତ ନୂଆ ଏସଓପି ଅନୁଯାୟୀ ରବିବାର ମନ୍ଦିର ଖୋଲା ରହିବ ଓ ଭକ୍ତମାନେ ଏହି ବେଶକୁ ଦର୍ଶନ ମଧ୍ୟ କରିପାରିବେ। ସେପଟେ ଆଜି ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସନ୍ଧ୍ୟାଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ତେଵେ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.