Home Top News ଓଡ଼ିଶା ବିଜେପିରେ ଦୃବଳ ନେତୃତ୍ୱ: କାହାକୁ ଇଙ୍ଗିତ ?

ଓଡ଼ିଶା ବିଜେପିରେ ଦୃବଳ ନେତୃତ୍ୱ: କାହାକୁ ଇଙ୍ଗିତ ?

61

ଭୁବନେଶ୍ୱର: ପୋୖର ଏବଂ ମହାନଗର ନିଗମ ନିର୍ବାଚନ ସରିଲା। ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଲା। ସେହିପରି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ୩ଟି ଜାକ ସ୍ଥାନରେ ବିଜେଡି ବାଜିମାତ୍ କଲା। ତେବେ, କଟକରେ ସିନା ବିଜେପିର ଦୟନୀୟ ସ୍ଥିତି ରହିଲା, କିନ୍ତୁ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ବିଜେପି ଭଲ ଫାଇଟ୍ କଲା। ଭୁବନେଶ୍ୱରରେ ଦଳ ଏକ ନୂଆ ଚେହେରା, ସୁନୀତି ମୁଣ୍ଡଙ୍କୁ ଆଣି ପାର୍ଥି କଲା। ଶେଷରେ ବିଜେଡି ପାର୍ଥିନୀ ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମେୟର୍। ସେ ୧ ଲକ୍ଷ ୭୪ ହଜାର ୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେଇ ବିଜେପି ପାର୍ଥିନୀ ସୁନୀତି ମୁଣ୍ଡ ୧ ଲକ୍ଷ ୧୩ ହଜାର ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଲେ। କଂଗ୍ରେସ ମାତ୍ର ୧୧ ହଜାର ୪୧୯ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଲା।ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏହା ଆମର ପରାଜୟ ନୁହେଁ, ଏହା ଆମର ବିଜୟ ବୋଲି କହିବା ସହ ଏତେ ସଂଖ୍ୟାରେ ଭୋଟ୍ ପାଇବାକୁ ନେଇ ଭୁବନେଶ୍ୱର ମହାନଗର ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁନୀତି ମୁଣ୍ଡ। ନିଜକୁ ନିମିତ୍ତ ମାତ୍ର ବୋଲି କହିବା ସହ ସବୁ ଶ୍ରେୟ ଦଳକୁ ତଥା ବିଶେଷ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଇଛନ୍ତି ସୁନୀତି। ତେବେ, ଏ’ ଭିତରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ। ପରାଜୟର ବିଭିନ୍ନ କାରଣ ଭିତରେ ସେ ରାଜ୍ୟ ବିଜେପିର ଦୃବଳ ନେତୃତ୍ୱଙ୍କୁ ଦାୟୀ କରିଛନ୍ତି। ରାଜ୍ୟସାରା ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଉତ୍ସାହ, ଉଦ୍ଦୀପନା ରହିଛି। ବିଜେପିକୁ ଜିତାଇବାର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସାମର୍ଥ୍ୟ ଏବଂ କ୍ଷମତା ରହିଛି। କିନ୍ତୁ, ରାଜ୍ୟ ନେତୃତ୍ୱ ଦୃବଳ ରହିଛି। ରାଜ୍ୟ ନେତୃତ୍ୱକୁ ଆମକୁ ସୁଦୃଢ଼ କରିବାକୁ ପଡ଼ିବ। ସଶକ୍ତ ଏବଂ ବଳଶାଳୀ କରିବାକୁ ପଡ଼ିବ। ରାଜ୍ୟ ନେତୃତ୍ୱ ଯେଉଁ ପର୍ଯ୍ୟନ୍ତ ସଶକ୍ତ, ସୁଦୃଢ଼ ଏବଂ ବଳଶାଳୀ ନ’ହୋଇଛି, ତୃଣମୂଳ ସ୍ତରରେ ତାହା ପରିଲିକ୍ଷିତ ହେବ ନାହିଁ ବୋଲି କହିଛନ୍ତି ଅପରାଜିତା।ଅପରାଜିତାଙ୍କ ଏପରି ଆକ୍ଷେପ କାହା ପ୍ରତି ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି। ଏମିତିରେ ରାଜ୍ୟ ନେତୃତ୍ୱ ମାନେ ନିୟମ ଅନୁଯାୟୀ ପ୍ରମୂଖତା ଭାବରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଧରାଯିବ। କିନ୍ତୁ, ସମୀର ମହାନ୍ତିଙ୍କୁ ରବର୍ ଷ୍ଟାମ୍ପ ସଭାପତି ବୋଲି କୁହାଯାଏ। ସେ କେବଳ ରିମୋର୍ଟ ଦ୍ୱାରା ପରିଚାଳିତ ହୁଅନ୍ତି ଏବଂ ରିମୋର୍ଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବୋଲି କୁହାଯାଏ। ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପିରେ ତାଙ୍କ ଅନୁଗାମୀ ମାନେ ଧର୍ମେନ୍ଦ୍ରଙ୍କୁ ଦଳର ମୁଣ୍ଡିଆଳ ବୋଲି ଭାବନ୍ତି। ଧର୍ମେନ୍ଦ୍ର ମାନେ ବିଜେପି, ବିଜେପି ମାନେ ଧର୍ମେନ୍ଦ୍ର ବୋଲି କୁହନ୍ତି। ଯିଏ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱୀକାର ନ’କରିଲା ତାକୁ ନିର୍ଦ୍ୱନ୍ଦରେ ବିଜେପି ବିରୋଧୀ ବୋଲି କୁହାଯିବ ବୋଲି ଏମାନେ କୁହନ୍ତି। ଏପରିକି ଧର୍ମେନ୍ଦ୍ରଙ୍କ ସାଙ୍ଗରେ ଆସ, ନ’ହଲେ ମାଟିରେ ମିଶ ବୋଲି ଧମକ ଦିଅନ୍ତି। ଧର୍ମେନ୍ଦ୍ରଙ୍କ ବିନା ଇଙ୍ଗିତରେ ରାଜ୍ୟ ବିଜେପିରେ ପତ୍ରଟିଏ ବି ହଲେ ନାହିଁ। ତେଣୁ, ଏସବୁ ଭିତରେ ଅପରାଜିତାଙ୍କ ଦୃବଳ ନେତୃତ୍ୱ ଆକ୍ଷେପଟି କାହା ପ୍ରତି ଥିଲା ତାହା ତର୍ଜମା କରିବାର ଅଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.